ଅଙ୍ଗନୱାଡି କେନ୍ଦ୍ରରେ ପେଜ ପଡି ପିଲା ଗୁରୁତର, ଥାନାରେ ଏତଲା।

411

କଟକ(ଉତ୍କଳ ନିଉଜ )୦୭/୦୯/୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ ଆରୁହା ମିନି ଅଙ୍ଗନୱାଡି କେନ୍ଦ୍ରରେ ଗତ ଗୁରୁବାର ଭାତ ରନ୍ଧା ସମୟରେ ପେଜ ପଡି ଜଣେ ଶିଶୁ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଶିଶୁଟି ଶିବ ପ୍ରସାଦ ନାୟକଙ୍କ ୩ ବର୍ଷର ପୁଅ ବୋଲି ଜଣାଯାଇଛି । ଅଙ୍ଗନୱାଡି କେନ୍ଦ୍ର ଥିବା ସ୍ଥଳେ କର୍ମୀଙ୍କ ଘରେ ପିଲାମାନଙ୍କୁ ପାଠ ପଢା ଯାଏ ଏବଂ ରୋଷେଇ ମଧ୍ୟ ସେଠାରେ ହେଉଥିବା ଅଭିଯୋଗ ହୋଇଛି । ସେଦିନ ଘଟଣା ସମୟରେ ଶିଶୁର ଦେହରେ ବିଭିନ୍ନ ସ୍ଥାନରେ ଫୋଟକା ପଡିଯିବା ସହିତ ଖଣ୍ଡିଆ ଖାବରା ହୋଇଯାଇଥିଲା । ଖବର ପାଇ ପରିବାର ଲୋକେ ତାକୁ ତୁରନ୍ତ ତିହିଡି ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଅଧିକ ଗୁରୁତର ହେବାରୁ ଶେଷରେ କଟକ ବଡ ଡାକ୍ତରଖାନାକୁ ନିଆ ଯାଇଥିଲା । ୬ ଦିନ ଧରି ଚିକିତ୍ସା ହେବାପରେ ଗତ ବୁଧବାର ଘରକୁ ଫେରିଛି ।

ଫେରିବା ପରେ ତେବେ ଏପରି ଦାୟିତ୍ୱହିନତା ପାଇଁ ଶିଶୁର ପରିବାର ଲୋକେ ଅଙ୍ଗନୱାଡି କର୍ମୀ ସଞ୍ଜୁଲତା ମଲ୍ଲିକଙ୍କୁ ଦାୟୀ କରିବା ସହିତ ଏହାର କୈଫତ୍ ମାଗିଥିଲେ । ମାତ୍ର କର୍ମୀ ଜଣକ ମିଟିଙ୍ଗ୍ ଅଛି ବୋଲି ଘଟଣାକୁ ଟାଳି ଦେଇଥିଲେ । ପରେ ସଂପୃକ୍ତ କେନ୍ଦ୍ରର ସୁପୁର ଭାଇଜର ନମିତା ସାହୁଙ୍କୁ ଅବଗତ କରିଥିଲେ ଏବଂ ସେହି ଘଟଣାର ତଦନ୍ତ କରିବା ଲାଗି ଗୁରୁବାର ସକାଳେ କେନ୍ଦ୍ରକୁ ଆସିଥିଲେ । ଏନେଇ ଗାଁର ବହୁ ଅଭିଭାବକ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ଜଣେ ଭଦ୍ରଲୋକ ସଂପୃକ୍ତ ସୁପରଭାଇଜରଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ କର୍ମୀଙ୍କ ଜଣେ ସମ୍ପର୍କୀୟ ତାଙ୍କୁ ନାନାଦି କୁଭାଷାରେ ଗାଳି ଗୁଲଚ କରିବା ସହିତ ବାକବିତଣ୍ଡା କରି ସେଠାରୁ ପଳେଇ ଯିବାକୁ ଧମକ ଦେଇଥିଲେ । ଯାହାକୁ ନେଇ ଘଟଣାର ତଦନ୍ତ ହେବାରେ ବାଧା ସୃଷ୍ଟି ହେଲା ଏବଂ କୌଣସି ନ୍ୟାୟ ନପାଇବାରୁ ଶେଷରେ ପୀରହାଟ ଥାନାରେ ଶିଶୁର ଜେଜେବାପା ଦୈତାରୀ ନାୟକ ଏତଲା ଦେଇôଲବା ଜଣାଯାଇଛି । ତେବେ ଏତଲା ମୂଳେ ତଦନ୍ତ ଚାଲୁ ରହିଛି ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |