ସୀମା ବିବାଦକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ, ୬ ଜଣ ଆହତ |

615

କଟକ (ଉତ୍କଳ ନ୍ୟୁଜ) ୨୦-୦୮-୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ଥାନା ଫତେପୁର ପଞ୍ଚାୟତ ଅଧିନ ଫତେପୁର ଓ ନିଶ୍ଚନ୍ତପୁର ମଧ୍ୟରେ ସୀମା ବିବାଦକୁ ନେଇ ଗଣ୍ଡଗୋଳ ଦେଖା ଦେଇଛି । ଉଭୟ ପକ୍ଷରୁ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣରେ ୬ ଜଣ ଆହତ ହୋଇଥିବା ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ଏନେଇ ଏକାଧିକ ଏତଲା ଥାନାରେ ଦାଏର ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ସୂଚନା ମୁତାବକ, ଫତେପୁର ଛକରେ ପୂର୍ବରୁ ଫତେପୁରଛକ ନାମରେ ଗ୍ରାମବାସୀ ଗ୍ରାମ ରାସ୍ତାର ବାମପଟେ ଏକ ବୋର୍ଡ ଲଗାଇଛନ୍ତି । ଯାହା ଫତେପୁର ଛକ ନାମରେ ନାମିତ ମଧ୍ୟ ହୋଇଛି । ମାତ୍ର ଉକ୍ତ ସ୍ଥାନଟି ନିୁଶ୍ଚନ୍ତପୁର ମୌଜାରେ ଅର୍ନ୍ତଭୁକ୍ତ ହୋଇଥିବା ଦର୍ଶାଇ କିଛି ଦିନ ହେଲା ସେହି ଗ୍ରାମବାସୀ ଗ୍ରାମ ରାସ୍ତାର ଡାହାଣ ପାଶ୍ୱର୍ରେ ଅନ୍ୟ ଏକ ବୋର୍ଡ ଲଗାଇଛନ୍ତି । ଏବଂ କିଛିଦିନ ହେଲା ଏକ କେବିନ୍ ପଡିଥିବା ନେଇ ମଧ୍ୟ ବିବାଦ ଦେଖା ଦେଇଥିଲା । ଯାହାକୁ ନେଇ ଦୁଇ ଗ୍ରାମ ମଧ୍ୟରେ ଆଭ୍ୟନ୍ତରୀଣ ବିବାଦ ଦେଖା ଦେଇ ଆସୁଥିଲା । ଶନିବାର ଦିବା ପ୍ରାୟ ୨.୩୦ ଘଟିକା ସମୟରେ କୌଣସି କାରଣରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଉଭୟ ପକ୍ଷରୁ ଆକ୍ରମଣ ଓ ପ୍ରତିଆକ୍ରମଣ କରାଯିବା ସହିତ ଅଶାଳୀନ ଭାଷାରେ ଗାଳି ଗୁଲଚ ଓ ସାମଗ୍ରୀ ଛଡେଇ ନେଇଥିବାର ଅଭିଯୋଗ ହୋଇଛି । ଏହି ଘଟଣାରେ ଫତେପୁର ଗ୍ରାମର ଉମ୍ ପ୍ରକାଶ ନାୟକ, ଜ୍ୟୋତିରଞ୍ଜନ ନାୟକ ଓ ଦେବାଶିଶ ନାୟକ ଆହତ ହୋଇଥିବା ବେଳେ ଦେବାଶିଶଙ୍କ ସ୍ୱାସ୍ଥ୍ୟବସ୍ତା ଗୁରୁତର ଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି । ସେହିପରି ନିଶ୍ଚନ୍ତପୁର ଗ୍ରାମର ମିନାରାଣୀ ନାୟକ, ନାରାୟଣ ଚନ୍ଦ୍ର ନାୟକ ଓ ବିକାଶ ନାୟକ ମଧ୍ୟ ଆହତ ହୋଇଥିବା ଜଣାଯାଇଛି । ଏହି ଘଟଣାଟି ସଂପ୍ରତି ତିହିଡିରେ ଚର୍ଚ୍ଚାର ବିଷୟ ସାଜିଛି । ପୋଲିସ ଉପଯୁକ୍ତ ତଦନ୍ତ କରିବା ସହିତ ବିହିତ ପଦକ୍ଷେପ ଓ ସ୍ଥାୟୀ ସମାଧାନ କରିବାକୁ ସାଧାରଣରେ ଦାବି ଜୋର ଧରିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |