ମଦ୍ୟପ ଚାଳକଙ୍କ ଉନ୍ମୁକ୍ତ କାଣ୍ଡ, ଏକାଧିକ ଷଣ୍ଢ ମାରି ବି ଖସିଗଲା |

215

କଟକ (ଉତ୍କଳ ନ୍ୟୁଜ) ୧୯-୦୮-୨୦୨୨ : ମଦ୍ୟପ ଚାଳକଙ୍କ ଉନ୍ମୁକ୍ତ କାଣ୍ଡ, ଗାଡି ଚଢେଇ ଏକାଧିକ ଷଣ୍ଢ ମାରିଥିବା ଚାଳକ ସଂପ୍ରତି ଅଭିଯୋଗ ଅଭାବରୁ ଆଇନ୍ ଆଖିରୁ ଖସିଗଲା । କେବଳ ସେତିକି ନୁହେଁ ଦୁର୍ଘଟଣା କରିଥିବା ଟ୍ରକ ମଧ୍ୟ ବିନା ଦ୍ୱିଧାରେ ଫାଣ୍ଡିରୁ ପାର୍ ହୋଇ ଯାଇଛି । ତେବେ ଏହି ଘଟଣାକୁ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବାରୁ ୨ଟି ମୃତ ଷଣ୍ଢକୁ ପୀରହାଟ ପୋଲିସ ମାଟିରେ ପୋତି ଦେବା ସହିତ ଚାଳକ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଥାନା ସୂତ୍ରରୂ ସୂଚନା ମିଳିଛି । ଏପରି ଅଘଟଣରେ ଚାଳକ ଖସିଯିବା ଆଗାମି ଦିନରେ ବେପରୁଆ ଚାଳନା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ସୂଚନା ମୁତାବକ, ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଜଣେ ଟ୍ରକ ଚାଳକ ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଉଥିବା ବେଳେ କମାରିଆରୁ ସନ୍ଥପୁରା ମଧ୍ୟରେ ଏକାଧିକ ଷଣ୍ଢକୁ ମାରି ଦେଇଥିବାର ଅଭିଯୋଗ ହୋଇଛି । ଏଥିସହ ଉକ୍ତ ଚାଳକ ଭାରସାମ୍ୟ ହରାଇ ବିଭିନ୍ନ ସ୍ଥାନରେ ଗାଡିମୋଟରକୁ ସାଇଡ୍ ମାରିବାପରେ ଉତ୍ୟକ୍ତ ଲୋକେ ମତୋ ବଜାରରେ ଟ୍ରକକୁ ଅଟକାଇବା ସହିତ ଚାଳକକୁ କାବୁ କରି ଫାଣ୍ଡି ପୋଲିସକୁ ହସ୍ତାନ୍ତର କରିଥିଲେ । ଟ୍ରକ ଚାଳକ ଚାନ୍ଦବାଲି ବ୍ଲକ ଅଧିନସ୍ଥ ଧାମରା କରଞ୍ଜମାଳ ପଞ୍ଚାୟତର ଅରୁଣ କୁମାର ମଣ୍ଡଳ ବୋଲି ଜଣା ଯାଇଛି । ଧାମରାରୁ ଗହମ ବୋଝେଇ କରି ଏକ ଦଶ ଚକିଆ ଟ୍ରକ ଯୋଗେ (ଓଆର-୦୯-ଏଲ-୬୬୭୪) କେନ୍ଦ୍ରାପଡା ଅଭିମୁଖେ ଯାଉଥିବା ସମୟରେ ବାଟରେ ଏପରି ଜଘନ୍ୟ ଅପରାଧ କରିଥିବା ଚାଳକ ପୋଲିସ ନିକଟରେ ସ୍ୱିକାର କରିଛି । ଉକ୍ତ ଘଟଣାଟି ପୀରହାଟ ଥାନାଚଂଳରେ ହୋଇ ଥିବାରୁ ପୀରହାଟ ପୋଲିସ ଘଟଣାର ତଦନ୍ତ କରି ଏପରି ମୃତ ଷଣ୍ଢ ଗୁଡିକୁ ପୋତି ଦେଇଥିବା ଜଣା ଯାଇଛି । ଏହି ଘଟଣାଟି ସଂପ୍ରତି ବେଶ ଚର୍ଚ୍ଚାର ବିଷୟ ସାଜିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |