୨ ମାସ ହେଲା ହେଲା ମକରସେନ୍‌ଙ୍କ ପତ୍ତା ମିଳୁନି, ହତ୍ୟା ସନ୍ଦେହ, ବୋହୁକୁ ଦାୟୀ କରି ଥାନାରେ ଦ୍ୱାରସ୍ଥ ହେଲା ବୃଦ୍ଧା ମାଆ ।

434

କଟକ (ଉତ୍କଳ ନ୍ୟୁଜ) ୧୯-୦୮-୨୦୨୨ : ମାସ ହେଲା ଦାଦନଙ୍କ ପତ୍ତା ମିଳୁନି । ହତ୍ୟା ସନ୍ଦେହ, ବୋହୁକୁ ଦାୟୀ କରି ଥାନାରେ ଦ୍ୱାରସ୍ଥ ହେଲା ବୃଦ୍ଧା ମାଆ । ଏଭଳି ଅଭାବନୀୟ ଘଟଣା ଘଟିିଛି ଭଦ୍ରକ ଜିଲ୍ଲା ତିହିଡି ଥାନା କାଁପଡା ପଞ୍ଚାୟତ ଅଧିନ କାଁପଡା ଦକ୍ଷିଣପାରି ଗାଁରେ । ଏହି ଗାଁର ନରେନ୍ଦ୍ର ଦାସଙ୍କ ପୁଅ ମକରସେନ୍ ଦାସ(୩୩) ବିଗତ ୧୫ ବର୍ଷ ତଳେ ବାଂଶଡା ଥାନାଧିନ ବବି ଦାସଙ୍କୁ ବିବାହ କରିଥିଲେ । ଇତିମଧ୍ୟରେ ତାଙ୍କ ୨ଟି ପିଲା ମଧ୍ୟ ଅଛନ୍ତି । ମାତ୍ର ପାରିବାରିକ ଝଗଡାଝାଣ୍ଟି ସୃଷ୍ଟି କରାଇ ମକରସେନଙ୍କ ସ୍ତ୍ରୀ ବବି ଦାସ ବାପାମାଆଙ୍କ ଠାରୁ ତାଙ୍କୁ ଛଡେଇ ନେଇ ପିଲାଙ୍କୁ ମାମୁଁ ଘରେ ଛାଡିଦେଇ ସ୍ୱାମୀ ସ୍ତ୍ରୀ ବାହାର ରାଜ୍ୟକୁ ପଳେଇ ଯାଇଥିଲେ । ଆନ୍ଧ୍ରପ୍ରଦେଶର ଗୁଣ୍ଠୁରୁରେ ଏକ ଚିଙ୍ଗୁଡି ପ୍ଲାଣ୍ଟରେ ଉଭୟ କାମଧନ୍ଦା କରି ଏକାଠି ରହିଥିଲେ । ପ୍ରାୟ ୯ ମାସ ପର୍ଯ୍ୟନ୍ତ ମକରସେନଙ୍କ ସହିତ ବାପା ମାଆଙ୍କର ଯୋଗାଯୋଗ ରହି ଆସୁଥିଲା ।

ଶେଷ ବେଳକୁ ମକରସେନ ମାଆଙ୍କୁ ଫୋନ୍ କରି ତାଙ୍କ ଜୀବନ ପ୍ରତି ବିପଦ ଥିବା କହିବା ସହିତ ତାଙ୍କ ସ୍ତ୍ରୀ ବବି ଦାସ ଏଥିରେ ପ୍ରମୁଖ ସାମିଲ ରହୁଥିବା କହିଥିଲେ । ପରେ ୨ ମାସ ହେଲା କୌଣସି ଯୋଗାଯୋଗ ନହେବାରୁ ବାପାମାଆଙ୍କ ପକ୍ଷରୁ ସନ୍ଦେହ ଦେଖା ଦେଇଥିଲା । ମକରସେନଙ୍କ ମାଆ ହୁଣ୍ଡି ଦାସ ପୁଅକୁ ଖୋଜିବା ଲାଗି ଗ୍ରାମର ଧୁଷା ମଳିକ ଓ ସନ୍ୟାସୀ ମଳିକ ୨ ଜଣଙ୍କୁ ସାଥିରେ ନେଇ କାମ କରୁଥିବା ଆନ୍ଧ୍ରପ୍ରଦେଶର ଗୁଣ୍ଠୁରୁକୁ ଯାଇଥିଲେ । ସେଠାରେ ମକରସେନଙ୍କ କୌଣସି ପତ୍ତା ମିଳିନଥିଲା । ସ୍ୱାମୀ ସ୍ତ୍ରୀ ଏକାଠି ରହୁଥିଲେ ହେଲେ ମାସେ ହେଲା ତାଙ୍କର ସ୍ତ୍ରୀର କୌଣସି ପତ୍ତା ନାହିଁ । ମକରସେନଙ୍କୁ ସେମାନେ ଦେଖିବାକୁ ପାଉନଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ପ୍ରକଟ କରାଯାଉଥିବା ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ପାଇଥିଲେ । ଯାହାକୁ ନେଇ ବିଚଳିତ ହୋଇ ଯାଇଥିଲେ ମାଆ । ବୋହୁର ସନ୍ଧାନ ପାଇଁ ସେଠାରୁ ପ୍ରାୟ ୨ ଶହ କିଲୋମିଟର ଦୂରରେ ରହୁଥିବା ଏନଏସଏଲ ସୂତା କମ୍ପାନୀରେ ପହଁଞ୍ôଚଥିଲେ । ସେଠାରେ ବୋହୁ ଅନ୍ୟ ଜଣେ ପୁରୁଷ ସହିତ ଏକାଠି ରହଥିଲା ।

ବୃଦ୍ଧା ମାଆ ତାଙ୍କର ପୁଅ ସମ୍ପର୍କରେ ବୋହୁକୁ ପଚାରିବାରୁ ସେ ପ୍ରଥମେ ଚିହ୍ନି ନଥିବା କହିବା ସହିତ ସେ ବବି ଦାସ ନୁହଁନ୍ତି ଏବଂ ସେ ବାଲେଶ୍ୱରରେ ବିବାହ କରି ନିଜ ସ୍ୱାମୀ ସହିତ ଏଠାରେ ରହି କାମଧନ୍ଦା କରୁଥିବା କହିଥିଲେ । ତେବେ ବୃଦ୍ଧାଙ୍କ ସହିତ ଯାଇଥିବା ଲୋକେ ବବିଙ୍କୁ ବାରମ୍ବାର ଦାଗିତ୍ କରିବାରୁ ସେ ମକରସେନ୍‌ଙ୍କୁ ମାରି ଦେଇଛନ୍ତି ବୋଲି କହିବା ସହିତ “ତମେ କଣ କରିବା କଥା କର” ବୋଲି ଧମକାଇ ସେଠାରୁ ତଡି ଦେଇଥିଲେ । ସେଠାରୁ ଫେରିବା ପରେ ବୃଦ୍ଧା ମାଆ ହୁଣ୍ଡି ଦାସ ତିହିଡି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ମାତ୍ର ପୋଲିସ କୌଣସି ପଦକ୍ଷେପ ନେଇନଥିବାରୁ ନିରୁପାୟ ହୋଇ ଯାଇଥିଲେ ବୃଦ୍ଧା । ମାସେ ହେଲା ବୋହୁ ନିଜ ବାପଘର ବାଂଶଡା ଥାନାଧିନ ମାଣିପୁର ଗାଁକୁ ଆସିଥିବା ଖବର ପାଇଥିଲେ ହୁଣ୍ଡି ଦାସ । ମନକୁ ବୁଝାଇ ବୃଦ୍ଧା ମାଆ ଗତ ତା ୧୦.୦୮.୨୨ରିଖରେ ମାଣିପୁରକୁ ଯାଇ ବୋହୁକୁ ଭେଟିଥିଲେ । ମାତ୍ର ବୋହୁ ବବି ଦାସ ତାଙ୍କୁ ନାନାଦି ଗାଳି ଗୁଲଜ କରିବା ସହିତ ଧକ୍କାମାରି ସହିତ ମାରଣାସ୍ତ୍ର ଦେଖାଇ ଧମକାଇଥିଲେ ଏବଂ ବେଶି କଥା କହିଲେ ତୋ ପୁଅକୁ ଯେମିତି ମାରି ଦେଇଛି ତୋତେ ସେମିତି ମାରି ଦେବି ବୋଲି ଧମକ ଦେଇଥିଲା । ଏଥିରେ ମ୍ରିଣମାଣ ହୋଇ ବୃଦ୍ଧା ମାଆ ହୁଣ୍ଡି ଦାସ ଶେଷରେ ତିହିଡି ଥାନାରେ ଦ୍ୱାରସ୍ଥ ହେବା ସହିତ ନ୍ୟାୟ ଭିକ୍ଷା କରିଛନ୍ତି । ଏଥିସହ ହୁଣ୍ଡିଙ୍କୁ ନ୍ୟାୟ ପ୍ରଦାନ କରିବା ସହିତ ମକରସେନ ମୃତ କି ଜୀବିତ ସେନେଇ ବିହିତ ତଦନ୍ତ କରିବା ଲାଗି ଗ୍ରାମବାସୀ ମଧ୍ୟ ଥାନାରେ ଦାବି ଜଣାଇଛନ୍ତି । ଏହି ଘଟଣାକୁ ବିଭିନ୍ନ ଦିଗ ଉପରେ ପୋଲିସ ତଦନ୍ତ ଚଳାଇବ ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |