ମହିଳାଙ୍କ ବେକରୁ ସୁନା ହାର ଲୁଟ ଘଟଣା, ୪ ଜଣଙ୍କୁ ଗିରଫ କରିଲା ପୋଲିସ।

385

କଟକ(ଉତ୍କଳ ନିଉଜ )୨୩/୦୨/୨୦୨୨ : ଆନ୍ତଃ ଜ଼ିଲ୍ଲା ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ। ତିନି ଜଣ ଲୁଟେରା ସହ ଜଣେ ରିସିଭରକୁ ଗିରଫ କରିବା ସହ ବ୍ୟବହୃତ ମାରଣାସ୍ତ୍ର ମଧ୍ଯ ଜବଦ କରିଛି। ଏଥିସହ ସେମାନଙ୍କ ନିକଟରୁ କାର, ବାଇକ, ନଗଦ ଟଙ୍କା ଓ ବିପୁଳ ପରିମାଣରେ ସୁନା ଜବତ କରିଛି ପୋଲିସ। ସୂଚନା ଅନୁଯାୟୀ, ଭଦ୍ରକ ସହର ଧରିତ୍ରୀ ନଗର ଅଞ୍ଚଳର ଜଣେ ମହିଳା ନିଜ ପିଲାଙ୍କୁ ସ୍କୁଲରୁ ଛାଡି ଫେରୁଥିବା ସମୟରେ ଛିନତାଇର ଶିକାର ହୋଇଥିଲେ। ଦୁଇ ଯୁବକ ଏକ ବାଇକ ଯୋଗେ ଆସି ମହିଳାଙ୍କ ବେକରୁ ଜୋରଜବରଦସ୍ତ ସୁନା ଚେନ ଛିଡ଼ାଇ ନେଇ ପଳାଇ ଯାଇଥିଲେ। ଏନେଇ ମହିଳା ଜଣକ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସିସିଟିଭି ଆଧାରରେ ଦୁଇ ଲୁଟେରାଙ୍କୁ ଠାବ କରିଥିଲା।

ତେବେ ଦୁଇ ଲୁଟେରାଙ୍କ ଖବର ପାଇଲେ ପୋଲିସକୁ ଜଣାଇବା ପାଇଁ ସ୍ଥାନୀୟ ଲୋକଙ୍କୁ ପୋଲିସ କହିଥିଲା। ଗତକାଲି ଆରଡ଼ି ଛକ ନିକଟରେ ଏହି ଦୁଇ ଲୁଟେରାଙ୍କୁ ସ୍ଥାନୀୟ ଲୋକ ଚିହ୍ନି ଅଟକାଇ ଥିଲେ। ପରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଲୁଟେରା ଦ୍ବୟଙ୍କୁ ଚି଼ହ୍ନଟ କରି ଅଧିକ ତଦନ୍ତ ଚଳାଇଥିଲେ। ଲୁଟେରା ମାନେ ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ଜ଼ିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକ ମାନଙ୍କୁ ଭୟଭୀତ କରାଇ ଲୁଟ ତରାଜ କରୁଥିଲେ। ଲୁଟ ସୁନା ସାମଗ୍ରୀ ଗୁଡିକ ବାଲେଶ୍ୱର ଜ଼ିଲ୍ଲା ଖଇରା ଅଞ୍ଚଳର ଜଣେ ସୁନା ଦୋକାନୀକୁ ବିକ୍ରି କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି। ତିନିଜଣ ଲୁଟେରାଙ୍କ ସହ ଜଣେ ରିସିଭରଙ୍କୁ ମଧ୍ଯ ଗିରଫ କରିଛି ପୋଲିସ। ଲୁଟେରାଙ୍କ ନିକଟରୁ ଲୁଟ ସମୟରେ ବ୍ୟବହୃତ ହେଉଥିବା ଗୋଟିଏ କାର, ମୋଟର ସାଇକେଲ ଜବତ କରିବା ସହ ୫୫ ଗ୍ରାମର ୫ଟି ସୁନା ଚେନ, କୋଡିଏ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ନଗଦ କ୍ୟାସ, ମୋବାଇଲ ଫୋନ, ଏଟିଏମ କାର୍ଡ ଓ ବିଭିନ୍ନ ଧାରୁଆ ମାରଣାସ୍ତ୍ର ଜବତ କରିଛି ପୋଲିସ। ଏହି ଲୁଟେରା ଗ୍ୟାଙ୍ଗରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |