କ୍ୟାମେରାମ୍ୟାନ ମାନସ ଅପହରଣ ଓ ହତ୍ୟା ଘଟଣା, ବଡବଡିଆଙ୍କ ମୁଖା ଖୋଲିବ କ୍ରାଇମବ୍ରାଞ୍ଚ।

274

କଟକ (ଉତ୍କଳ ନ୍ୟୁଜ) ୩୧-୦୩-୨୦୨୨ : କ୍ୟାମେରାମ୍ୟାନ ମାନସ ଅପହରଣ ଓ ହତ୍ୟା ଘଟଣାର ଖୁଲାସାକୁ ଅପେକ୍ଷା କରିଛନ୍ତି ଓଡିଶାବାସୀ। ଏହି ଘଟଣାରେ ବଡବଡିଆଙ୍କ ସଂପୃକ୍ତି ଥିବାନେଇ ଯାହା ସନ୍ଦେହ କରାଯାଉଛି ତାକୁ ଖୁଲାସା କରିବ ଏହି କ୍ରାଇମବ୍ରାଞ୍ଚ ଟିମ୍। ମାନସକୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାଧିନ ପଳାଶପୁରରୁ ପ୍ରଥମେ ଅପହରଣ କରି ଭୁବନେଶ୍ଵରରେ ହତ୍ୟା ପରେ ଶବ ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳ ବଢିପାଟଣା ଧାନ ବିଲରୁ ଉଦ୍ଧାର ଘଟଣା। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ସାମ୍ନାକୁ ଆସିଥିଲା କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅପହରଣ ଓ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ମାନଙ୍କ ଅସଲି ଚିତ୍ର। ପ୍ରଥମେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜିଥିଲା ପୁଲିସ। ଏଥିସହ ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ର କାରି ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ଚାନ୍ଦବାଲି ପୁଲିସ ମାର୍ଚ୍ଚ ମାସ ୨୧ ତାରିଖ ଦିନ ଗିରଫ କରିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଘଟଣାର ଗୁରୁତ୍ଵକୁ ଦେଖି ଏବଂ ଏହି ଘଟଣାର ଚେର ବିଭିନ୍ନ ଜିଲ୍ଲା ସହ ଥିବା ଦୃଷ୍ଟିରୁ ଏହାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରା ଯାଇଥିଲା। ପରେ କ୍ରାଇମବ୍ରାଞ୍ଚ ଏହି ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ଶର୍ମିଷ୍ଠା ରାଉତ ଓ ଝୁନା ଭୋଇକୁ ମାର୍ଚ୍ଚ ୨୮ ତାରିଖ ଦିନ ଭଦ୍ରକ ଜିଲ୍ଲା ନଳାଙ୍ଗ ଅଞ୍ଚଳରୁ ଗିରଫ କରି ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରିବା ସହ ଘଟଣା ରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା। ହେଲେ ଏହି ମାମଲର ଶୁଣାଣି କରି ମାନ୍ୟବର କୋର୍ଟ ଶର୍ମିଷ୍ଠା ରାଉତଙ୍କ ସହଯୋଗି ଝୁନା ଭୋଇ ଏବଂ ନିରଞ୍ଜନ ସେଠୀଙ୍କ ସହ ରଞ୍ଜନ ନାୟକଙ୍କୁ ମିଶାଇ ୪ ଜଣ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ନିର୍ଦେଶ ଦେଇଥିଲେ। ତେବେ ଆଜି ରିମାଣ୍ଡ ଅବଧିର ଦ୍ଵିତୀୟ ଦିନରେ ହତ୍ୟା କାଣ୍ଡର ସମସ୍ତ ବ୍ଲ ପ୍ରିଣ୍ଟ ରଞ୍ଜନ ନାୟକ କ୍ରାଇମବ୍ରାଞ୍ଚ ସମ୍ମୁଖରେ ଓଗାଳି ଥିବା ଜଣା ପଡ଼ିଛି। ରଞ୍ଜନର ସ୍ୱୀକାରୋକ୍ତିକୁ ଆଧାର କରି କ୍ରାଇମବ୍ରାଞ୍ଚ ଚଣ୍ଡିଖୋଲ ଅଞ୍ଚଳରୁ ହତ୍ୟାକାଣ୍ଡ ସମ୍ପର୍କିତ ତଥ୍ଯ ଏବଂ ପ୍ରମାଣ ପାଇଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ଆଜି ଏହି ସମସ୍ତ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ପଳାଶପୁରକୁ ଆଣୁଥିବା ଘଟଣା ପ୍ରଘଟ ହେବା ପରେ ସେଠାରେ ଲୋକାରଣ୍ୟ ହୋଇଥିଲା। ତେବେ ସେମାନଙ୍କୁ ଆସନ୍ତା କାଲି ଚାନ୍ଦବାଲିର ପଳାଶପୁରକୁ ଅଣାଯାଇ କ୍ରାଇମ୍ ସିନ୍ ରିକ୍ରିଏସନ କରାଯିବ ବୋଲି ସୂଚନା ମିଳିଛି।  ଭଦ୍ରକ ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |