ଗାରଡପୁରରେ ରାଜନୈତିକ ଆକ୍ରୋଶ ରଖି ସଂଘବଦ୍ଧ ଆକ୍ରମଣ, ୫ ଆହତ |

559

କଟକ (ଉତ୍କଳ ନିଉଜ )୧୯/୦୩/୨୦୨୨ : ସରିଯାଇଛି ନିର୍ବାଚନ ଏବଂ ପଦବୀ ହାତେଇବା ପରେ ନେତାଙ୍କର ଭାଉ ବଢି ଯାଇଛି । ନିର୍ବାଚନରେ ତାଙ୍କୁ ସହଯୋଗ କରିନଥିବା ଲୋକଙ୍କୁ ଚିହ୍ନଟ କରି ବିଭିନ୍ନ ଉପାୟରେ ହରକତ୍ କରାଯାଉଥିବା ନଜିର ରହିଛି । କ୍ଷମତାର ଅପବ୍ୟବହାର କରି ପରାଜିତ ପ୍ରାର୍ଥିଙ୍କ ସମର୍ଥକଙ୍କୁ ବିନା କାରଣରେ ଏବଂ କେତେକ ସ୍ଥଳରେ ମିଥ୍ୟା ଭିଆଣକରି ବିବାଦ ସୃଷ୍ଟି କରୁଛନ୍ତି ଏବଂ ସଂଘବଦ୍ଧ ଆକ୍ରମଣ କରାଯାଉଥିବା ମଧ୍ୟ ଦେଖା ଦେଉଛି । ବିଶେଷକରି ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଘଣ୍ଟେଶ୍ୱର ଫାଣ୍ଡି ଅଞ୍ଚଳରେ ଏହା ପ୍ରତିଫଳନ ବହୁବାର ଦେଖା ଦେଇଛି । ଯାହାକୁ ନେଇ ବହୁ ମାଲିମୋକଦ୍ଦମା ମଧ୍ୟ ଚାଲୁଛି । ପୁଣି ଶନିବାର ଘଣ୍ଟେଶ୍ୱର ଫାଣ୍ଡ ଗାରଡପୁର ଗାଁରେ ଏକ ରାଜନୈତିକ ବିବାଦ ଦେଖାଦେଇଛି । ବିଜେପି କର୍ମୀଙ୍କ ପରିବାର ଲୋକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଲୋକେ ମେଡିକାଲରେ ଚିକିତ୍ସା ସହିତ ଫାଣ୍ଡିରେ ଏତଲା ଦେବାକୁ ଆସୁଥିବା ବେଳେ ମଧ୍ୟ ସେମାନେ ନଜରବନ୍ଧି କରିବା ସହିତ ପୂନଶ୍ଚ ଆକ୍ରମଣ କରାଯାଇଥିଲା ଏପରିକି ଫାଣ୍ଡି କର୍ମଚାରୀଙ୍କ ସାମନାରେ ମଧ୍ୟ ଅପରପକ୍ଷ ଗଣ୍ଡଗୋଳ ସୃଷ୍ଟି କରିଥିଲେ । ଶେଷରେ ଫାଣ୍ଡି ଅଧିକାରୀ ପ୍ରଦୀପ କୁମାର ନାୟକ ଘଟଣା ସ୍ଥଳରେ ପହଁଞ୍ôଚ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ତିହିଡି ମେଡିକାଲକୁ ପଠାଇବା ସହିତ କ୍ଷେତ୍ରରେ ତଦନ୍ତ କରିଥିବା ଜଣାଯାଇଛି । ସୂଚନା ମୁତାବକ, ଗାରଡପୁର ଗାଁର ବିଷ୍ଣୁ ଚରଣ ବିଶ୍ୱାଳ ଦିର୍ଘ ବର୍ଷ ଧରି ନିଜ ସ୍ଥିତିବାନ୍ ସମ୍ପତ୍ତି ଉପରେ ବାଡ ପୋତିଛନ୍ତି । ଚଳିତ ନିର୍ବାଚନ ପରେ କେତେକ କ୍ଷମତାଶାଳୀ ବ୍ୟକ୍ତି ଉକ୍ତ ବାଡ ଉପାଡିବାକୁ ଉଦ୍ୟମ କରିଥିଲେ । ବିଷ୍ଣୁ ଚରଣଙ୍କ ପରିବାର ଲୋକେ ଏହାର ପ୍ରତିବାଦ କରିବାରୁ ସେମାନେ ଲୁହା ରଡ୍‌, ବାଡି ଓ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବିଷ୍ଣୁ ଚରଣଙ୍କ ପୁଅ ସୁଧାଂଶୁ ଓ ସ୍ତ୍ରୀ ହିରାମଣି ଗୁରୁତର ଆହତ ହୋଇଥିବା ବେଳେ ସୁଧାଂଶୁଙ୍କ ସ୍ତ୍ରୀ ଓ ଦୁଇଟି ପିଲା ଆହତ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ରାଜନୀତି ବେଶ ସରଗରମ ହୋଇଛି । ତେବେ ଏହି ଘଟଣାରେ ପୋଲିସ କି ପ୍ରକାର ପଦକ୍ଷେପ ନେଉଛି ତାହା କେବଳ ଦେଖିବା ବାକି ରହିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।