ଉଗ୍ରରୂପ ନେଉଛି ମଙ୍ଗରାଜପୁରରେ ନିର୍ବାଚନ ପରବର୍ତ୍ତୀ ହିଂସା, ପୋଲିସ ଛାଉଁଣୀ ।

615

କଟକ(ଉତ୍କଳ ନିଉଜ)୧୩/୦୩/୨୦୨୨ : ଉଗ୍ରରୂପ ନେଉଛି ମଙ୍ଗରାଜପୁରରେ ନିର୍ବାଚନ ପରବର୍ତ୍ତୀ ହିଂସା । ଗାଁରେ ଅଶାନ୍ତି ଛାୟା ଖେଳି ଯାଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପ୍ରଶାସନ ସଂପ୍ରତି ନାକେଦମ ହେଲାଣି । ଗାଁ ସାରା ପୋଲିସ ଛାଉଣୀ ହୋଇଯାଇଛି । ତେବେ ଶାନ୍ତି କମିଟି ଜରିଆରେ ଏହାର ସମାଧାନ କରାଯିବ ବୋଲି ପୋଲିସ ଆଶା ବାନ୍ଧିଥିବା ବେଳେ କେଉଁ ପାଣି କୁଆଡେ ଯାଉଛି ତାହା ସ୍ପଷ୍ଟ ହୋଇ ପାରୁନଥିବା ବାରି ହେଉଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତ ଅଧୀନ ମଙ୍ଗରାଜପୁର ଗାଁରେ । ଶନିବାର ସଂଧ୍ୟାରେ ଗଣ୍ଡଗୋଳ ଉପୁଜିଥିବା ପରେ ଥାନାରେ ହୋହାଲ୍ଲା କରାଯାଇଥିଲା । ପୂନଶ୍ଚ ଏହି ନିର୍ବାଚନ ପରବର୍ତ୍ତୀ ହିଂସା ଉଗ୍ରରୂପ ନେଇଛି । ରବିବାର ଅପରାହ୍ଣରେ ଦୁଇଗୋଷ୍ଠୀ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏଥିରେ ମନୋଜ କୁମାର ସେଠୀ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ ତିହିଡି ମେଡିକାଲରେ ଚିକିତ୍ସାଧିନ ଥିବାବେଳେ ଅପରପକ୍ଷ ମଧ୍ୟ ଗୁରୁତର ଆହତ ହୋଇ ଭଦ୍ରକ ଯାଇଥିବା କୁହାଯାଉଛି । ଏପରି ସମ୍ବେଦନଶୀଳ ଘଟଣାରେ ତିହିଡି ପୋଲିସ ଗାଁର ସୁରକ୍ଷା ବ୍ୟବସ୍ଥାକୁ କଡାକଡ୍ଡି କରିଥିବା ବେଳେ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |