ଅଗ୍ନି ବିପନ୍ନଙ୍କୁ ଉଦ୍ଧାର କରି ସାହସିକତାର ପରିଚୟ ଦେଇଛନ୍ତି ଆଗ୍ନିକ ଚନ୍ଦନ |

469

କଟକ(ଉତ୍କଳ ନିଉଜ)୦୮/୦୩/୨୦୨୨ : ଘରପୋଡି ଭଳି ବିପଦ ସମୟରେ ସମସ୍ତେ ଅସ୍ତବ୍ୟସ୍ତ ହୋଇ ପଡନ୍ତି ଧନଜୀବନ ରକ୍ଷା କରିବା ପାଇଁ । ଅନେକ ବି ସାହସିକତା ଦେଖାଇ ନିଆଁର ଆଁ ଭିତରକୁ ପଶିଯାଇ ନିଜ ଜୀବନକୁ ବାଜି ଲଗେଇ ବିପନ୍ନଙ୍କୁ ଉଦ୍ଧାର କରିଥାନ୍ତି । ଏଥିପାଇଁ ମନର ସାହସ ସହିତ ଉପଯୁ୍‌କ୍ତ ଜ୍ଞାନକୌଶଳର ଆବଶ୍ୟକତା ଥିବା ନିହାତି ଦରକାର । ବିଶେଷକରି ଅଗ୍ନିକାଣ୍ଡ ସମୟରେ ଅଗ୍ନିଶମ ବାହିନୀର ଆଗ୍ନିକମାନେ ଏପରି ସାହସିକତା ପ୍ରଦର୍ଶନ କରିଥାନ୍ତି । ପ୍ରଥମେ ଜୀବନ ଓ ପରେ ଧନ ସମ୍ପତ୍ତିକୁ ରକ୍ଷା କରିବାକୁ ଶତଚେଷ୍ଟା କରିଥାନ୍ତି । ଏହାରି ମଧ୍ୟରେ ସେମାନେ ସମ୍ପୂର୍ଣ୍ଣରୂପେ ଭୁଲି ଯାଇଥାନ୍ତି ନିଜର ବହୁମୁଲ୍ୟ ଜୀବନ ଓ ପରିବାର କଥା । ପରିସ୍ଥିତି ଓ ପରିବେଶକୁ ଦୃଷ୍ଟିରେ ରଖି ସେମାନେ ନିଆଁ ଲିଭାଇବା ସହିତ ଜୀବନ ରକ୍ଷା ମଧ୍ୟ କରିଥାନ୍ତି । ଏପରି ଜଣେ ଆଗ୍ନିକଙ୍କ ଅଦମ୍ୟ ସାହସ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମହରମପୁରରେ ହୋଇଥିବା ଅଗ୍ନିକାଣ୍ଡ ସମୟରେ । ସେଦିନ ଥିଲା ଫେବୃଆରୀ ମାସ ୧୬ ତାରିଖ ମଧ୍ୟାହ୍ନ ସମୟ ।

ମହରମପୁର ଗାଁରେ ରବିନାରାୟଣ ଦାସଙ୍କ ଘରେ ନିଆଁ ଲାଗିଥିଲ । ଖବର ପାଇ ତିହିଡି ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଞ୍ôଚଥିଲା । ଆଗ୍ନିକମାନେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଘର ଭିତରେ ଫସି ଯାଇଥିବା ଜଣେ ଯୁବକର ଆର୍ତ୍ତଚିତ୍କାର ଶୁଣି ଆଗ୍ନିକ ଚନ୍ଦନ କୁମାର ମହାଳିକ ବୀରଦର୍ପରେ ପଶି ଯାଇଥିଲେ ନିଆଁର ଆଁ ଭିତରକୁ । ଯୁବକ ଜଣଙ୍କୁ ନିଆଁର ଆଁ ଭିତରୁ ବାହାରକୁ ଆଣୁଥିବା ସମୟରେ ହଠାତ୍ ତାଙ୍କ ଉପରେ ଗଳି ପଡିଥିଲା ରଡରଡ ହୋଇ ଜଳୁଥିବା ଚାଳ ଛପର । ଯୁବକଙ୍କୁ ସିନା ସେ ସୁରକ୍ଷିତ ଭାବେ ଉଦ୍ଧାର କରିଦେଲେ ହେଲେ ନିଆଁରେ ନିଜେ ପୋଡି ହୋଇଗଲେ । ତାଙ୍କ ଚିତ୍କାର ଶୁଣି ଅନ୍ୟ ଆଗ୍ନିକ ଏବଂ ଗ୍ରାମବାସି ଦୌଡିଯାଇ ତୁରନ୍ତ ତାଙ୍କୁ ମେଡିକାଲ ନେଇ ଆସିଥିଲେ । ପ୍ରଥମେ ତିହିଡି ପରେ ଭଦ୍ରକ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଅଦ୍ୟାବଧି ସେ ସେଠାରେ ଚିକିତ୍ସିତ ହେଉଛନ୍ତି । ଚନନ୍ଦଙ୍କ ଆରୋଗ୍ୟ କାମନା କରିବା ସହିତ ସେ ଯଥାଶିଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ତିହିଡିବାସୀ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଅନ୍ୟପଟେ ଯନ୍ତ୍ରଣାରେ ଜର୍ଜରିତ ହେଉଥିଲେ ମଧ୍ୟ ସାହସିକତାର ସହ ଜଣକ ଜୀବନ ବଞ୍ଚାଇଥିବାରୁ ଚନନ୍ଦ ନିଜକୁ ଓ ନିଜ ବିଭାଗକୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |