ଦୋଳସାହିର ସରପଞ୍ଚ ପଦବୀ ରଦ୍ଦ ଦାବିକଲେ ପ୍ରାର୍ଥି ଶୁସାନ୍ତ ସେଠୀ।

705

କଟକ(ଉତ୍କଳ ନିଉଜ)୦୩/୦୩/୨୦୨୨ : ଭୋଟ ଗଣତି ସମୟରେ ପ୍ରାର୍ଥିଙ୍କ ପକ୍ଷରୁ ନିଯୁକ୍ତି ହୋଇଥିବା ଏଜେଣ୍ଟଙ୍କ ଆପତ୍ତି ଅଭିଯୋଗ ଶୁଣିଲେନି ସମୟ ଚାଲି ଯାଇଛି ବୋଲି କହି ଟାଳି ଚାଲିଲେ । ନାକଚ ହୋଇନଥିବା ବେଲଟ ପେପରକୁ ନାକଚ ଘୋଷଣା କଲେ ଆଉ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥିତ ପ୍ରାର୍ଥିଙ୍କୁ ଜିତାଇ ମଧ୍ୟ ଦେଲେ । ଶେଷରେ ଗଣତିରେ ୧୩ ଖଣ୍ଡ ଭୋଟରେ ପରାଜୟ ହୋଇଥିବାର ଚିଠି କଲେ ହେଲେ ମତଦାନ କେନ୍ଦ୍ର ପରିସରରେ ଛିନ୍‌ଭିନ୍ ହୋଇ ପଡିଥିବା ବେଲଟ ପେପରକୁ ନେଇ ସିଧାସଳଖ ବ୍ଲକ ନିର୍ବାଚନ ଅଧିକାରୀଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି । ତାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଦର୍ଶାଇ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଥିଲେ ଏହି ପ୍ରାର୍ଥି ଏବଂ ଯାହାବି ପ୍ରମାଣ ରହିଛି ତାକୁ ନେଇ ଅଦାଲତରେ ଆଶ୍ରୟ ନେବେ ବୋଲି ପ୍ରାର୍ଥି ବୁଧବାର ଅପରହାହ୍ନରେ ଏକ ସମ୍ବାଦଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଭଳି ସଂଗୀନ ପ୍ରସଙ୍ଗ ଆସିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦୋଳସାହି ପଞ୍ଚାୟତରୁ ।

ଏହି ପଞ୍ଚାୟତର ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥି ଶୁସାନ୍ତ କୁମାର ସେଠୀ ବ୍ଲକ ନିର୍ବାଚନ ଅଧିକାରୀଙ୍କ ବିରୋଧରେ ଖପ୍ପା ହୋଇ ଏହି ସମ୍ବାଦଦାତା ସମ୍ମିଳନୀରେ ପୁରା ଘଟଣା ବଖାଣିଛନ୍ତି । ଏହି ପଞ୍ଚାୟତର ହିଡିମ୍ବାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪ଟି ୱାର୍ଡ ପାଇଁ ୪ଟି ବୁଥ୍ ହୋଇଥିଲା । ଏହି ୪ଟି ବୁଥରେ ମତଦାନ ସମୟରେ ବ୍ୟାପକ ଅନିୟମିତତା ହୋଇଥିବା ବିଦ୍ୟାଳୟ ଖୋଲିବା ପରେ ଜଣାଯାଇଥିଲା । ଏହି ବିଦ୍ୟାଳୟ ପରିସରରେ ପ୍ରିଜାଇଡିଂ ଅଫିସରଙ୍କ ଦସ୍ତଖତ ଓ ଷ୍ଟାମ୍ପ ଲାଗିବା ସହିତ ପ୍ରାର୍ଥିଙ୍କ ଚିହ୍ନରେ ମୋହର ଲାଗିଥିବା ବେଲଟ ପେପର ଏଣେତେଣେ ପଡିଥିବା ଦେଖିବାକୁ ମିଳିଥିଲା । ଏହି ବେଲଟ ପେପରକୁ ସ୍କୁଲ ପିଲାମାନେ ଠାବ୍ କରି ଚିରାଚିରି କରୁଥିବା ଜାଣିବା ପରେ ପ୍ରାର୍ଥି ଓ ତାଙ୍କର ସମର୍ଥକ ବିଦ୍ୟାଳୟକୁ ଯାଇଥିଲେ । ବିଦ୍ୟାଳୟର ୮ ନମ୍ବର ବୁଥରୁ ଆଲମିରା ତଳୁ ଷ୍ଟାମ୍ପ ମରା କିଛି ବେଲଟ ପେପର ଉଦ୍ଧାର କରିଥିଲେ । ଏହା ପାଇବା ପରେ ଏ ସକ୍ରାନ୍ତରେ ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓଙ୍କୁ ଅବଗତ କରାଇଥିଲେ । ସେହିପରି ଗଣତି ସମୟରେ ଯେଉଁ ସରକାରୀ କର୍ମଚାରୀ ସାମିଲ ହୋଇଥିଲେ ସେମାନେ ତାଙ୍କ କାଉଣ୍ଟିଙ୍ଗ ଏଜେଣ୍ଟମାନଙ୍କୁ ସହଯୋଗ କରିନଥିଲେ । ଏପରିକି ୧୩ ଖଣ୍ଡ ଭୋଟ ବ୍ୟବଧାନରେ ସେ ପରାଜୟ ହୋଇଥିବା ଜାଣିବା ପରେ ତୁରନ୍ତ ପୂନର୍ବାର ଗଣତି ପାଇଁ ବିଡିଓଙ୍କୁ ନିବେଦନ କରିଥିଲେ । ହେଲେ ବିଡିଓ ତାଙ୍କ କଥାକୁ ଗ୍ରହଣ ନକରି ମୁହଁ ଧୋଇବା ବାହାନା କରି କାଉଣ୍ଟିଙ୍ଗ ହଲ୍ ଛାଡି ଅଧଘଣ୍ଟାଏ କାଳ ବାହାରେ ରହିଥିଲେ ଏବଂ ପରେ ଆସି ସମୟ ଗଡି ଯାଇଛି ବୋଲି କହି ଟାଳି ଦେଇଥିଲେ । ଯାହାକୁ ନେଇ ପ୍ରାର୍ଥି ଏବଂ କାଉଁଣ୍ଟିଙ୍ଗ ଏଜେଣ୍ଟମାନେ ପ୍ରଶାସନ ଉପରୁ ଭରଷା ତୁଟାଇବା ସହ ତାଙ୍କୁ ହରାଇବା ପାଇଁ ଏପରି ଷଢଯନ୍ତ୍ର କରାଯାଇଥିବା ଦର୍ଶାଇଛନ୍ତି । ଏହି ନିର୍ବାଚନରେ ସରପଞ୍ଚ ପଦବୀକୁ ରଦ୍ଦ କରାଯାଇ ପୂନଃ ମତଦାନ କରିବା ପାଇଁ ଶ୍ରୀ ସେଠୀ ଦାବି କରିଛନ୍ତି । ଏନେଇ ସେ ଅଦାଲତର ଆଶ୍ରୟ ନେଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ସମ୍ବାଦଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସମିତି ସଭ୍ୟ ପ୍ରଫୁଲ ଦାସ, ମାନସ ରଞ୍ଜନ ସାହୁ, ଦିଲ୍ଲିପ ବେହେରା, କାଞ୍ଚନ ରାଉଳ, ସମିତି ସଭ୍ୟା ଲକ୍ଷ୍ମୀପ୍ରିୟା ଟୁଡୁ, ଗୋପିନାଥ ବିଶ୍ୱାଳ, ଧନେଶ୍ୱର ବିଶ୍ୱାଳ, ଗଣେଶ ଖାମୁରାଇ, ସନ୍ତୋଷ ପାଣି, ପ୍ରଭାତ ସେଠୀ, ଭବାନୀ ଶଙ୍କର ଜେନା ଓ ନିଶିକାନ୍ତ ଭଟ୍ଟରାୟ ପ୍ରମୁଖ ଉପସ୍ଥିତ ଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |