ଆଜି ୧୧ଟି ବୁଥରେ ସାନି ମତଦାନ, ୩ଜଣ ପ୍ରିଜାଇଡିଂ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି |

407

କଟକ(ଉତ୍କଳ ନିଉଜ)୨୪/୦୨/୨୦୨୨ : ଗତ ୨୦ ତାରିଖରେ ତିହିଡି ବ୍ଲକର ସମସ୍ତ ୩୧ଟି ପଞ୍ଚାୟତର ନିର୍ବାଚନ ହୋଇଥିଲା । ହେଲେ ଏହା ମଧ୍ୟରୁ କୋହ୍ଲ, ଫତେପୁର ଓ ତଳଗୋପବିନ୍ଧା ପଞ୍ଚାୟତର ୧୧ଟି ବୁଥ୍‌ରେ ହିଂସା ଏବଂ ବୁଥ୍ ରିଗିଂକୁ ନେଇ ବ୍ୟାପକ ଅଭିଯୋଗ ଆସିଥିଲା । ଏହି ଅଭିଯୋଗକୁ ଭିତ୍ତିକରି ନିର୍ବାଚନ କମିଶନ ସାନି ମତଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଆଜି ୨୫ ତାରିଖରେ ଉକ୍ତ ବୁଥ୍‌ଗୁଡିକରେ ସକାଳ ୯ରୁ ଦିବା ୩ ଘଟିକା ପର୍ଯର୍୍ୟନ୍ତ ମତଦାନ କରିବା ପାଇଁ ସମୟ ଧାର୍ଯ୍ୟ ହୋଇଛି । କୋହ୍ଲ ପଞ୍ଚାୟତ ଅଧିନ କୋହ୍ଲ ହାଇସ୍କୁଲ ପରିସରରେ ୪ ଓ ୫ ନମ୍ବର ୨ଟି ବୁଥ୍‌, ଫତେପୁର ପଞ୍ଚାୟତ ଅଧିନ ବଡଗାଲୋରେ ଗୋଟିଏ ଓ ବାରିକବିନ୍ଧାରେ ୨ଟି ବୁଥ୍ ସମେତ ତଳଗୋପବିନ୍ଧାରେ ୬ଟି ବୁଥ୍‌ରେ ସାନି ମତଦାନ ହେବ । ତେବେ ଯେଉଁ ଯେଉଁ କାରଣ ପାଇଁ ଏହିସବୁ ବୁଥଗୁଡିକରେ ମତଦାନ ବାଧାପ୍ରାପ୍ତ ହୋଇଥିଲା ଅଥବା ଭୋଟର ପୂନଃମତଦାନ ପାଇଁ ଦାବି କରିଥିଲେ ସେସବୁକୁ ପୋଲିସ ଓ ପ୍ରଶାସନ କେମିତି ନିୟନ୍ତ୍ରଣ କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । କେତେକ ବୁଥ୍‌ରେ ପୋଲିସ ଓ ପ୍ରଶାସନ ଉପସ୍ଥିତିରେ ବଳପୂର୍ବକ ରିଗିଂ କରାଯାଇଥିବା ବେଳେ ଆଉ କେତେକ ବୁଥରେ ବେଲଟ ପେପର ଫୋଲ୍ସିଂକୁ ନେଇ ବିବାଦ ଉପୁଜିଥିଲା । ସେହିପରି କେତେକରେ ଦୁଇଗୋଷ୍ଠି ମଧ୍ୟରେ ବିବାଦ କାରଣରୁ ମଧ୍ୟ ହିଂସା ଦେଖା ଦେବା ସହ ମତଦାନ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ଏହି ସମସ୍ତ ବିବାଦକୁ ନେଇ ବିଡିଓଙ୍କ ଏତଲାକ୍ରମେ ୩ଟି ପଞ୍ଚାୟତରେ ୩ଟି ମାମଲା ରୁଜୁ ହେବା ସହ ପୋଲିସ ୬ ଜଣଙ୍କୁ ଗିରଫ୍ ମଧ୍ୟ କରିଛି । ତେବେ ଏହିସବୁ ଘଟଣାରେ ଶତାଧିକ ଲୋକଙ୍କର ସଂପୃକ୍ତି ଥିବାବେଳେ ସେମାନଙ୍କ ଉପରେ ପୋଲିସ ତୀକ୍ଷ୍ଣ ନଜର ରଖିଛି । ସେହିପରି ବେଲଟ ପେପର ଫୋଲଡିଂରେ ସମସ୍ୟାକୁ ନେଇ ସଂପୃକ୍ତ ୩ ଜଣ ପ୍ରିଜାଇଡିଂ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରା ଯାଇଥିବା ବିଡିଓଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । କୋହ୍ଲ ପଞ୍ଚାୟତର ୪ ଓ ୫ ନମ୍ବର ବୁଥର ପ୍ରିଜାଇଡିଂ ଅଧିକାରୀ ଯଥାକ୍ରମେ ନରେନ୍ଦ୍ର ପ୍ରସାଦ ବେହେରା ଓ ପ୍ରତାପ ପାଢ଼ୀ ଏବଂ ଫତେପୁର ପଞ୍ଚାୟତର ୭ ନମ୍ବର ବୁଥର ପ୍ରିଜାଇଡିଂ ଅଧିକାରୀ କାଳନ୍ଦୀ ଚରଣ ଦାସ ପ୍ରମୁଖ ବୋଲି ଜଣାଯାଇଛି । ଉପଯୁକ୍ତ କାରଣ ଦର୍ଶାଇ ନପାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବେଶ ବାରି ହୋଇଛି । ଆଜିର ସାନି ମତଦାନ ସମୟରେ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ପୋଲିସ ଭିଡିଓ କ୍ଲିପ୍ ଯାଞ୍ଚକରି ଜଗି ରହିବ ବୋଲି ଜଣାଯାଇଛି । ଯଦି ସେମାନଙ୍କ ମଧ୍ୟରୁ କେହି ପୋଲିସ ସ୍କାନରରେ ଆସନ୍ତି ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି । ଏହି ନିର୍ବାଚନ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ୨ ଜଣ ଡିଏସପିଙ୍କ ସମେତ ୩ ଜଣ ଇନସ୍ପେକ୍ଟର, ୧୦ ଜଣ ଏସଆଇ ଓ ଅତିରିକ୍ତ ଏସଆଇ ଏବଂ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |