ମହଙ୍ଗା ପଡିଲା ମତଦାନ ବେଳେ ରେଗିଂ, ୩ଟି ମାମଲାରେ ୬ ଗିରଫ୍‌।

481

କଟକ(ଉତ୍କଳ ନିଉଜ) ୨୩/୦୨/୨୦୨୨ :ମହଙ୍ଗା ପଡିଲା ମତଦାନ ବେଳେ ରେଗିଂ, ୩ଟି ମାମଲାରେ ୨ଟି ପଞ୍ଚାୟତରୁ ୬ ଜଣ ଗିରଫ୍ ହୋଇଥିବା ବେଳେ ପୋଲିସ ଅନ୍ୟମାନଙ୍କୁ ଧରପଗଡ କରୁଥିବା ଜଣାଯାଇଛି । ସୂଚନା ମୁତାବକ, ୩ୟ ପର୍ଯ୍ୟାୟ ମତଦାନରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଗତ ୨୦ ତାରିଖରେ ଭୋଟ ଗ୍ରହଣ ହୋଇଥିଲା । ଏହି ସମୟରେ କୋହ୍ଲ, ଫତେପୁର ଓ ତଳଗୋପବିନ୍ଧା ଆଦି ୨ଟି ପଞ୍ଚାୟତରେ ମତଦାନ ସମୟରେ ରେଗିଂ ହୋଇଥିଲା । ଏନେଇ ପ୍ରିଜାଇଡିଂ ଅଧିକାରୀଙ୍କ ସୂଚନା କ୍ରମେ ବିଡିଓ ବସନ୍ତ କୁମାର ସାହାଣିଙ୍କ ଏତଲା କ୍ରମେ ଥାନାରେ ୩ଟି ମାମଲା ରୁଜୁ ହୋଇଛି । ଉକ୍ତ ମାମଲାରେ ଶତାଧିକ ଲୋକେ ସାମିଲ ଥିବାନେଇ ପ୍ରଶାସନ ନିକଟରେ ଖବର ରହିଛି । କୋହ୍ଲ ହାଇସ୍କୁଲ ପରିସରରେ ୪ ଓ ୫ ନମ୍ବର ୨ଟି ବୁଥରେ ଏକାଧିକ ବ୍ୟକ୍ତି ପ୍ରିଜାଇଡିଂ ଅଫସିରଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହିତ ସରଞ୍ଜାମଗୁଡିକୁ ବ୍ୟାପକଭାବେ ଭଙ୍ଗାରୁଜା କରିଥିଲେ ଏବଂ ବୁଥରୁ ଭୋଟ ବାକ୍ସକୁ ଛଡେଇ ନେଇ ପୋଖରୀରେ ପକାଇ ଦେଇଥିଲେ । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିରେ ଭାଇରାଲ ହେବାରେ ଲାଗିଛି । ବେଶ ଜଣାଶୁଣା ବ୍ୟକ୍ତିମାନେ ସେଥିରେ ସାମିଲ ଥିବା ବାରି ହେଉଛି । ଏନେଇ ପୋଲିସ ଏକ ମାମଲା ୭୩/୨୨, ୧୩୫, ୧୩୫(ଏ), ୧୩୬ ସହିତ ଅନ୍ୟାନ୍ୟ ସଂଗୀନ ଦଫା ରୁଜୁ କରିଛି ।

କୋହ୍ଲ ଗାଁର କୈଳାସ ସାହୁ ଓ ଅନିରୁଦ୍ଧ ଯେନା ମୋଟ ୨ ଜଣଙ୍କୁ ଗିରଫ୍ କରିଥିବା ସୂଚନା ମିଳିଛି । ସେହିପରି ଫତେପୁର ପଞ୍ଚାୟତ ଅଧିନ ବାରିକବିନ୍ଧା ବୁଥରେ ରେଗିଂ ଅଭିଯୋଗରେ ଏକ ମାମଲା ୭୪/୨୨ ରୁଜୁ କରା ଯାଇଥିବା ଜଣାଯାଇଛି । ସେହିପରି ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳକୁ କେନ୍ଦ୍ରକରି ତଳଗୋପବିନ୍ଧା ପଞ୍ଚାୟତର ୨, ୩, ୫ ଓ ୮ ନମ୍ବର ମୋଟ୍ ୪ଟି ବୁଥରେ ରେଗିଂ ହୋଇଥିବା ଅଭିଯୋଗ କ୍ରମେ ଅନ୍ୟ ଏକ ମାମଲା ୭୫/୨୨ ରୁଜୁ କରାଯାଇ ସେଥିରେ ସଂପୃକ୍ତ ମାଙ୍କଡକୋଲା ଗ୍ରାମର ଗୋବିନ୍ଦ ମଲ୍ଲିକ, ହଟନଗର ଗାଁର ମହେଶ୍ୱର ମହାଳିକ, ନିଶ୍ଚତା ଗାଁର ଅଲେଖ କୁମାର ଜେନା ଓ ବୈରାଗୀ ରଣ ଜେନାଙ୍କୁ ୪ ଜଣଙ୍କୁ ଗିରଫ୍ କରାଯାଇଛି । ଏବଂ ସମସ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରା ଯାଇଥିବା ଜଣାଯାଇଛି । ତେବେ ପ୍ରଶାସନ ପକ୍ଷରୁ ବ୍ୟାପକ ଧରପଗଡ ଚାଲିଛି । ଆସନ୍ତା ୨୫ ତାରିଖରେ ହେବାକୁ ଥିବା ୧୧ଟି ବୁଥରେ ସାନି ମତଦାନକୁ ଅବାଧ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ବ୍ଲକ ତଥା ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ସମସ୍ତ ଅଭିଯୁକ୍ତକୁ ଗିରଫ୍ କରିବା ଲାଗି ପୋଲିସ ତାର ଫନ୍ଦା ଫିକର ଚଳାଇଛି ।

ତେବେ ଅଭିଯୁକ୍ତମାନଙ୍କୁ ଗିରଫ୍ କରାନଗଲେ ଅଥବା ସାନି ମତଦାନ ସମୟରେ ସେମାନଙ୍କର ସଂପୃକ୍ତି ରହିଲେ ପରିସ୍ଥିତି ଭୟାବହ ହେବାନେଇ ଆଶଙ୍କା କରାଯାଉଛି । ଏନେଇ କେତେକ ପ୍ରାର୍ଥି ମଧ୍ୟ ପୋଲିସକୁ ଭେଟି ତୁରନ୍ତ ସେମାନଙ୍କୁ ଗିରଫ୍ କରିବା ଲାଗି ଦାବି କରିଥିବା ଜଣାଯାଇଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |