ମତଦାନରେ କଳଙ୍କ ରଚିଲା ତିହିଡି, କୋହ୍ଲରେ ଭୋଟର ଓ ପୋଲିସ ମୁହାଁମୁହିଁ, ବଡଗାଲୋରେ ରିଗିଂକୁ ନେଇ ବିଜେପି ପକ୍ଷରୁ ରାସ୍ତାରୋକ ।

510

କଟକ(ଉତ୍କଳ ନିଉଜ)୨୦/୦୨/୨୦୨୨ : ରବିବାର ତିିହିଡି ବ୍ଲକର ସମସ୍ତ ୩୧ ୍‌ଯାକ ପଞ୍ଚାୟତରେ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି । ପ୍ରଶାସନ ପକ୍ଷରୁ ସ୍ୱଚ୍ଛ ଓ ଅବାଧ ନିର୍ବାଚନ କରିବା ଲାଗି ବ୍ୟାପକ ବ୍ୟବସ୍ଥା କରା ଯାଇଥିଲେ ମଧ୍ୟ ଏହା ଫଳପ୍ରଦ ହୋଇନଥିବା ଦେଖା ଦେଇଛି । ମତଦାନ ସମୟରେ ଅନେକ ସ୍ଥାନରେ ଗଣ୍ଡଗୋଳ ସହ ବୁଥରେ ରିଗିଂ, ବେଲଟ ପେପର ଫୋଲଡିଂକୁ ନେଇ ବିବାଦ, ପୋଲିଂ ପାଟି ଗାଡିକୁ ଭୋଟର ଅଟକ ରଖିବା ଏବଂ ରାଜ୍ୟ ରାଜପଥକୁ ଘଣ୍ଟା ଘଣ୍ଟା ଧରି ଅବରୋଧ କରିବା ଭଳି ଘଟଣା ଦେଖିବାକୁ ମିଳିଛି । ପ୍ରଶାସନ ବିରୋଧରେ ନାରାବାଜି କରିବା ସହିତ ନିଦ୍ଦିଷ୍ଟ ଦଳୀୟ ସମର୍ଥିତ ପ୍ରାର୍ଥିଙ୍କ ଗୁଣ୍ଡାରାଜକୁ କ୍ଷମା ଦିଅଯିବ ନାହିଁ ବୋଲି ଚେତାବନି ଦିଆଯାଇଛି । ବିଭିନ୍ନ ସ୍ଥାନରେ ଛୋଟମୋଟ ହିଂସାକାଣ୍ଡ ଘଟିଥିବା ବେଳେ କେତେକ ବୁଥରେ ସାନି ନିର୍ବାଚନ କରିବାକୁ ଭୋଟର ଓ ରାଜନୈତିକ ଦଳମାନେ ଦାବି କରିଛନ୍ତି । ତିହିଡି ବ୍ଳକ ଇତିହାସରେ ଏପରି ନିର୍ବାଚନୀ ହିଂସା ଓ ରିଗିଂ ପୂର୍ବରୁ କେବେ ଦେଖାଯାଇନଥିବା ବେଳେ ଚଳିତ ନିର୍ବାଚନ ସେସବୁ ରେକର୍ଡ ଭଙ୍ଗ କରିଥିବା ଆଲୋଚନା ହେଉଛି ।

ବ୍ଲକର ମୋଟ ୫୩୬ ବୁଥରେ ମତଦାନ ହୋଇଥିବା ବେଳେ ପ୍ରାୟ ୭୨ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛୀ । କୋହ୍ଲ ପଞ୍ଚାୟତରେ ୨ଟି, ଫତେପୁର ପଞ୍ଚାୟତରେ ୩ଟି ଓ ତଳଗୋପବିନ୍ଧା ପଞ୍ଚାୟତରେ ୬ଟି ମୋଟ୍ ୧୧ ଟି ବୁଥରେ ବେଲଟ ପେପର ଫୋଲ୍ଡିଂରେ ବିବାଦ ଓ ରିଗିଂ ହୋଇଥିôବା ଅଭିଯୋଗ ଆସିବା ସହିତ ସେଗୁଡିକରେ ସାନି ମତଦାନ ପାଇଁ ଦାବି କରାଯାଇଛି । ତେବେ ଏହି ନିର୍ବାଚନକୁ ଶାନ୍ତି ଶୃଂଖଳାରେ ପରିଚାଳନା କରିବା ପାଇଁ ପ୍ରଶାସନ ସତଚେଷ୍ଟା କରିଥିଲେ ମଧ୍ୟ କେଉଁଠି ନା କେଉଁଠି ଚାପର ବଶବର୍ତ୍ତୀ ହୋଇଥିବା ପ୍ରମାଣିତ କରିଛି । ଫତେପୁର ପଞ୍ଚାୟତର ବଡଗାଲୋ ବୁଥରେ ଜଣେ ନିର୍ଦ୍ଦିଷ୍ଟ ଦଳର ନେତ୍ରୀ ରିଗିଂ କରୁଥିବାର ଦୃଶ୍ୟ ବେଶ ଚର୍ଚ୍ଚାକୁ ଆସିଥିଲା । ନିଜର ସ୍ଥିତି ଜାହିର କରିବା ତଥା ଦଳୀୟ ପ୍ରାର୍ଥିଙ୍କୁ ବିଜୟର ମୁକୁଟ ପିନ୍ଧାଇବା ଲାଗି ଏପରି କରୁଥିବା ମଧ୍ୟ ଚର୍ଚ୍ଚାକୁ ଆସିଥିଲା । ସେହି ମହିଳା ଅନ୍ୟମାନଙ୍କ ଭୋଟକୁ ଦେଉଥିବା ଦେଖିବା ପରେ ଅପରପକ୍ଷର ପୋଲିଂ ଏଜେଣ୍ଟ ଏହାକୁ ବିରୋଧ କରିବା ସହ ପ୍ରିଜାଇଡିଂ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।ଏହି ସମୟରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ମଧ୍ୟ ଅସମ୍ମାନ କରିଥିବା ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ଉପସ୍ଥିତିରେ ଏପରି ହେଉଥିବା ବେଳେ ସବୁ ଠିକ୍ ଠାକ୍ ଚାଲୁଥିବା ଉତ୍ତର ରଖିଛି ପୋଲିସ । ଦୁଇ ଦଳର ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ପରିସ୍ଥିତି ଅଣାୟତ ହୋଇଥିଲା । ମତଦାନକୁ ବାତିଲ କରି ପୁନଃ ମତଦାନ କରିବା ଦାବିରେ ବିଜେପି ପକ୍ଷରୁ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ଗୋଳାପୋଖରୀ ଛକଠାରେ ଅବରୋଧ କରାଯାଇଥିଲା ।

ସକାଳେ କୋହ୍ଲ ହାଇସ୍କୁଲ ପରିସରରେ ଚାଲୁଥିବା ୪ ଓ ୫ ନମ୍ବର ବୁଥ୍‌ରେ ବେଲଟ ପେପର ଫୋଲଡିଂକୁ ନେଇ ଉତ୍ତେଜନା ହେବା ସହ ଭୋଟ ବାକ୍ସକୁ ପାଣିରେ ଫୋପାଡି ଦିଆ ଯାଇଥିଲା । ବେଲଟ ପେପରରେ ଫୋଲଡିଂ ଭିତରେ ୨ ଜଣ ପ୍ରାର୍ଥୀଙ୍କ ଚିହ୍ନ ଲୁଚିରହି ଯାଇଥିବାରୁ ଏପରି ବିବାଦମାନ ପରିସ୍ଥିତି ଉପୁଜିଥିଲା । ଏହି ବୁଥରେ ସାନି ମତଦାନ କରିବା ପାଇଁ ଦାବି କରି ମତଦାନ ବନ୍ଦ ରଖା ଯାଇଥିଲା । ଏବଂ ପୁଲିଂ ପାର୍ଟ ଓ ପୋଲିସ ଫେରିବା ବାଟରେ ମହିଳା ଭୋଟରମାନେ ସେମାନଙ୍କ ବାଟ ଓଗାଳିବା ସହି ରାସ୍ତା ଅବରୋଧ କରିଥିଲେ । ତେବେ ଉପଜିଲ୍ଲାପାଳ ସେମାନଙ୍କୁ ଭେଟି ଲିଖିତ ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସମାନ ଅଭିଯୋଗ ଆସିଛି ଫତେପୁର ପଞ୍ଚାୟତ ଅଧିନ ବାରିକବିନ୍ଧା ବୁଥ୍‌ରୁ । ସେଠାରେ ବେଲଟ ପେପରରେ ଫୋଲ୍ଡିଂ ବିବାଦ ସହ ରିଗିଂ ହୋଇଥିବା ଅଭିଯୋଗରେ ପୂନଶ୍ଚ ମତଦାନ କରିବା ଦାବି ଜୋର ଧରିଛି । ସେହିପରି ତଳଗୋପବିନ୍ଧା ପଞ୍ଚାୟତରେ ୬ ଟି ବୁଥ୍‌ରେ ରିଗିଂ ହୋଇଥିବା ଅଭିଯୋଗ ଆସିଥିବା ଆସିଛି । ମୈଦାନରେ ଟକ୍କର ହେଉଥିବା ଦୁଇ ଦଳ ମଧ୍ୟରେ ଏପି କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି । ସେହିପରି ସୟା, ଅଚକ, ଭାଟପଡା, ମୁକୁନ୍ଦପୁର ଦୋଳସାହି, ଗୁଆମାଳ ଓ ଭାଟପଡ଼ା ପଞ୍ଚାୟତ ମିର୍ଜାପୁର ଗ୍ରାମରେ ବୁଥ୍‌ରେ ଗଣ୍ଡଗୋଳ ଓ ଚାପା ଉତ୍ତେଜନା ଦେଖା ଦେଇଥିଲା । ଏଠାରେ ସୂଚନା ଥାଉକି, ୪ଟି ଜିଲ୍ଲା ପରିଷଦ ଜୋନ ତଥା ୩ଟି ନିର୍ବାଚନ ମଣ୍ଡଳୀର ଅଂଶ ବିଶେଷ ମୋଟ ୩୧ଟି ପଞ୍ଚାୟତର ଚଳିତ ନିର୍ବାଚନରେ ୧ ଲକ୍ଷ ୬୩ ହଜାର ୯୦୩ ଜଣ ଭୋଟର ଅଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |