ଏକାଧିକ ଆଶାୟୀଙ୍କ ପାଇଁ ଅଡୁଆରେ ତୁଙ୍ଗ ନେତା, ବିଜେଡି ଓ ବିଜେପିର ଦଳୀୟ କନ୍ଦଳରୁ ଫାଇଦା ନେଇପାରେ ତୃତୀୟ ପକ୍ଷ।

440

କଟକ(ଉତ୍କଳ ନିଉଜ)୧୬/୦୧/୨୦୨୨ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାର ଠାରୁ ନାମାଙ୍କନ ପତ୍ର ଦାଖଲ କରାଯିବ । ହେଲେ ବିଭିନ୍ନ ପଞ୍ଚାୟତରେ ଦଳୀୟ ସମର୍ଥିତ ପ୍ରାର୍ଥି ଚୟନ କରିବାରେ ଉଭୟ ବିଜେଡି ଓ ବିଜେପି ବହୁ ପଛରେ ପଡି ଯାଇଛନ୍ତି । ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ କେତେକ ପଞ୍ଚାୟତରେ ଏକାଧିକ ପ୍ରାର୍ଥି ଦଳୀୟ ସମର୍ଥନ ପାଇଁ ଲବି ପରେ ଲବି କରି ଚାଲୁଛନ୍ତି । ଯାହାକି ଦଳୀୟ ତଥା ତୁଙ୍ଗ ନେତାଙ୍କ କର୍ତ୍ତୃତ୍ବ ବାହାରକୁ ଚାଲିଗଲାଣି । ଦଳୀୟ ସ୍ତରରେ ସେମାନଙ୍କୁ ନେଇ ଅନେକ ଥର କବାଟକିଳା ବୈଠକ କରା ଯାଉଥିଲେ ମଧ୍ୟ ତା ର କିଛି ସୁଫଳ ମିଳୁନାହିଁ । ବରଂ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଆଶାୟୀଙ୍କ ମଧ୍ୟରୁ ଯାହାକୁ ବି ଦଳୀୟ ସମର୍ଥନ ନମିଳେ ସେମାନେ ନିଜର ସମର୍ଥକମାନଙ୍କୁ ନେଇ ସ୍ୱାଧିନ ଭାବେ ନିର୍ବାଚନ ଲଢିବାକୁ ଅଣ୍ଟା ଭିଡିଲେଣି । ଏହି ଆଶାୟୀଙ୍କୁ ଦଳୀୟ ନେତାମାନେ ଯେମିତି ବି ହେଉ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାହା କାମ କରୁନାହିଁ । ବିଶେଷ କରି ପ୍ରଥମେ ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକାର ପରିବର୍ତ୍ତନ ହେବାପରେ ଏହି ଆଶାୟୀଙ୍କ ସଂଖ୍ୟା ବହୁଗୁଣିତ ହୋଇଛି ।

ଯେଉଁ ପଞ୍ଚାୟତରେ ପୂର୍ବରୁ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷଣ ଥିଲା ଏବଂ ପରେ ତାହା ଅସଂରକ୍ଷିତ ହୋଇଯିବାରୁ ମୈଦାନରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢି ଯାଇଛି । ଯେଉଁମାନେ ପୂର୍ବରୁ ପ୍ରାର୍ଥି ହେବା ଆଶାରେ ଦଳୀୟ ସାଂଗଠନିକ କାର୍ଯ୍ୟକ୍ରମମାନ ଚାଲୁ ରଖିଥିଲେ ସେମାନଙ୍କୁ ଏବେ ବାଦ୍ ଦିଆଯାଇ ନୂଆ ପ୍ରାର୍ଥିୀଙ୍କୁ ମନୋନୀତ କରାଯାଉଛି । କେତେକ ସ୍ଥଳରେ ଦଳୀୟ ସମର୍ଥନ ନେବାପାଇଁ ବ୍ଲକ ସ୍ତରୀୟ ନେତାଙ୍କୁ ଆଶାୟୀମାନେ ପକେଟ୍ ଗରମ କରୁଛନ୍ତି।ଏହି ନେତାମାନେ ଏକାଧିକ ଆଶାୟୀଙ୍କ ଠାରୁ ଟଙ୍କା ନେଇ ଏବେ ହାତ ଟେକି ଦେଉଛନ୍ତି ଯାହାକୁ ନେଇ ଉକ୍ତ ଆଶାୟୀ ବିଧାୟକ ଅଥବା ଜିଲ୍ଲା ସ୍ତରୀୟ ମୁଣ୍ଡି ନେତାଙ୍କ ପର୍ଯ୍ୟନ୍ତ ଫେରାଦ ହେଲେଣି । ଏପରିସ୍ଥଳେ ପ୍ରାର୍ଥି ଚୟନ କରିବାରେ ଦଳୀୟ ନେତା ବଡ ବିବାଦମାନ ପରିସ୍ଥିତିରେ ପଡି ଯାଇଥିବା ବେଶ ଅନୁମେୟ । ତେବେ ଏହି ବିବାଦ ମଧ୍ୟରେ ତିହିଡି ବ୍ଲକର ପ୍ରାୟ ସବୁ ପଞ୍ଚାୟତର ତୃତୀୟ ପକ୍ଷ ନିଜର ଦବଦବା ଜାହିର କରିଲେଣି । ଭୋଟର ମଧ୍ୟ ଦଳୀୟ ଦ୍ୱନ୍ଦ ମଧ୍ୟରେ ନରହି ଏପରି ନିର୍ଦ୍ଦଳୀୟ ପ୍ରାର୍ଥିଙ୍କ ଉପରେ ଆସ୍ଥା ପ୍ରକଟ କଲେଣି । ଯଦି ଏପରି ଦଳୀୟ ବିବାଦ ଲାଗିରହେ ତାହାହେଲେ ତୃତୀୟ ପକ୍ଷ ଫାଇଦା ନେବା ଜଳଜଳ କରି ଦେଖା ଦେଉଛି । ଏପରି ଦଳୀୟ ବିଶୃଙ୍ଖଳା ଦେଖା ଦେଇଛି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଦୌଲତପୁର ପଞ୍ଚାୟତରେ । ଏଠାରେ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ଏକାଧିକ ଆଶାୟୀ ବିଗତ କିଛିଦିନ ହେଲା ମୈଦାନରେ ଉଭା ହେଉଥିବାର ନଜିରକୁ ଆସୁଛି । ଦଳ ଡିଆଁ ରୋଗ ଭାଇରସ ପରି ସଂକ୍ରମଣ ହେବା କିଛି ନୂଆ ଘଟଣା ନୁହେଁ। ଦଳୀୟ ସମର୍ଥନ ମିଳିବାର ଆଶା ମଉଳିଯିବା ପରେ ଜଣେ ଛାମୁଆ ନେତା କିଛିଦିନ ତଳେ ବିରୋଧିଙ୍କ ଶିବିରରେ ଶରଣାପନ୍ନ ହୋଇଥିବା ଏବଂ ତାଙ୍କୁ ସରପଞ୍ଚ ପ୍ରାର୍ଥୀଭାବେ ଛିଡା କରିବାର ସାମ୍ଭାବ୍ଯ ଥିବା ଶୁଣିବାକୁ ମିଳୁଛି। ଏନେଇ ତାଙ୍କୁ ଦଳର କେତେକ ଛାମୁଆ ନେତାଙ୍କ ଶଢୁଆଶୀ ଆକ୍ରମଣର ଶିକାର ହେବାକୁ ପଡିଲାଣି ଏବଂ ସେହି ବ୍ୟକ୍ତିଙ୍କୁ ବିରୋଧ କରି ସେହି ଦଲର ଜଣେ ଟାଣୁଆ ଛାମୁଆ ନେତା ମଧ୍ଯ ଶାସକ ଦଳରେ ସାମିଲ ହେବାର ସମ୍ଭାବନା ଦେଖା ଦେଇଛି।

ଅନ୍ୟପଟେ ଦୁର୍ଗାପୂଜା ଠାରୁ ଜିଲ୍ଲା ବାହାରେ ରହୁଥିବା ଜଣେ ନେତା ଶାସକ ଦଳର ସମର୍ଥନ ପାଇବା ଆଶାରେ ନିଜସ୍ବ ଢାଞ୍ଚାରେ ଭୋଟ ବ୍ୟାଙ୍କ ତିଆରି କରୁଥିବା ମଧ୍ଯ ଚର୍ଚ୍ଚାକୁ ଆସୁଛି। ସେହିିପରି ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ବାରୋ ପଞ୍ଚାୟତର ବିଜେଡିର ୨ ଜଣ ଆଶାୟୀଙ୍କ ଦଳୀୟ ସମାନ୍ତରାଳ କାର୍ଯ୍ୟକ୍ରମ ଚର୍ଚ୍ଚାକୁ ଆସୁଛି । ଉଭୟ ପ୍ରାର୍ଥି ଦଳୀୟ ସମର୍ଥନ ପାଇବା ଜିଦରେ ଅଟଳ ଥିବା ଜଣାଯାଇଛି । ଉଭୟ ପଞ୍ଚାୟତ ବିଜେଡି ପକ୍ଷରୁ ଏଯାଏଁ କୌଣସି ଆଶାୟୀଙ୍କୁ ଦଳୀୟ ସମର୍ଥନ ମିଳିନଥିବା ବେଳେ ଯେଉଁ ପ୍ରାର୍ଥି ବିଜୟୀ ହେବ ତାଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଦଳୀୟ ସମର୍ଥନ ମିଳିବ ବୋଲି ଏକ ବିଶ୍ୱସ୍ଥ ସୂତ୍ରରୁ ସୂଚନା ମିଳିଛି । ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନିଉଜ |