ସାନ୍ତରାପୁର(ଉତ୍ତରବା)ରେ ଗଣ୍ଡଗୋଳ, ୨ ଗୁରୁତର, ୧୦ ଜଣଙ୍କ ବିରୋଧରେ ୨ଟି ମାମଲା ରୁଜୁ ।

393

କଟକ (ଉତ୍କଳ ନିଉଜ) ୩୧/୧୦/୨୦୨୧ : ଭଦ୍ରକ ଜିଲ୍ଲା ତିହିଡି ଥାନା ଅଚକ ପଞ୍ଚାୟତ ଅଧିନ ସାନ୍ତରାପୁର(ଉତ୍ତରବା)ରେ ଏକ ନଳକୂପରେ ବାସନ ମାଜିବା ତଥା ଜମିବାଡି ଭାଗବଣ୍ଟାକୁୁ କେନ୍ଦ୍ରକରି ଗଣ୍ଡଗୋଳ ଘଟିଛି । ଏଥିରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମହିଳା ମଧ୍ୟ ଆହତ ହୋଇଥିବା ସୂଚନା ମିିଳିଛି । ତେବେ ଉଭୟ ପକ୍ଷଙ୍କ ଏତଲାକ୍ରମେ ଥାନାରେ ୧୦ଜଣଙ୍କ ବିରୋଧରେ ୨ଟି ମାମଲା ରୁଜୁ ହୋଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି । ପରମେଶ୍ୱର ନାୟକଙ୍କ ଏତଲାକ୍ରମେ ଥାନାରେ ଏକ ମାମଲା ୩୯୩/୨୧, ଦଫା ୩୪୧, ୨୯୪, ୩୨୩, ୩୨୫, ୩୦୭ ଓ ୩୭୯ ରୁଜୁ କରାଯାଇଛି । ଗତ ତା ୩୦.୧୦.୨୧ରିଖ ଦିବା ପ୍ରାୟ ୧୨.୩୦ ଘଟିକାରେ ପରମେଶ୍ୱରଙ୍କ ବଡଭାଇ ନାରାୟଣ କୁମାର ନାୟକଙ୍କୁ ମାନସ କୁମାର ନାୟକ ଜମିବାଡି ଭାଗବଣ୍ଟା ଦେଉନଥିବା କହି ଗାଳି ଗୁଲଜ କରିଥିଲା । ନାରାୟଣ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଶାବଳରେ ପିଟିବା ସହିତ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲା । ନାରାୟଣଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ମଧ୍ୟ ଆକ୍ରମଣର ଶିକାର ହୋଇଥିଲା । ଏଥିସହ ଲକ୍ଷ୍ମୀପ୍ରିୟା ପିନ୍ଧିଥିବା ସୁନା ଚେନକୁ ବଳପୂର୍ବକ ଛଡେଇ ନେଇଥିଲା ।

ପରେ ଏକ ଭୁଜାଲୀରେ ଆକ୍ରମଣ କରୁଥିବା ସମୟରେ ଗ୍ରାମବାସୀ ଆସି ଅଟକାଇଥିଲେ । ନାରାୟଣଙ୍କ ମୁଣ୍ଡ ଓ କାନରେ ରକ୍ତାଶ୍ରାବ ହେବା ସହିତ ଲକ୍ଷ୍ମୀପ୍ରିୟାଙ୍କର କ୍ଷତବିକ୍ଷତ ହୋଇଛି । ଏଥିସହ ଅଭିଯୁକ୍ତ ଜଣକ ଗ୍ରାମକମିଟିକୁ ଗାଳି ଗୁଲଜ କରିଥିବା ଏତଲାରେ ଦର୍ଶାଯାଇଛି । ଗ୍ରାମବାସୀଙ୍କ ସହଯୋଗରେ ଏକ ଅଟୋ ଯୋଗେ ସେମାନେ ତିହିଡି ମେଡିକାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ବଳରାମ ନାୟକଙ୍କ ଏତଲାକ୍ରମେ ଥାନାରେ ପରମେଶ୍ୱର ନାୟକ, ନାରାୟଣ ନାୟକ, ଟିକିନା ରାଉତ, ଶାନ୍ତିଲତା ନାୟକ, ଜୁନ ନାୟକ, କୈଳାସ ମଲ୍ଲିକ, ଅମର ମଲ୍ଲିକ, ବିଜୟ ମଲ୍ଲିକ ଓ ବିରଭଦ୍ର ମଲ୍ଲିକଙ୍କ ବିରୋଧରେ ଅନ୍ୟ ଏକ ମାମଲା ୩୯୪/୨୧, ଦଫା ୪୫୨, ୨୯୪, ୩୨୩, ୩୨୫, ୩୦୭, ୫୦୬ ଓ ୩୪ ଆଇପିସି ରୁଜୁ ହୋଇଛି । ବଳରାମ ନାୟକଙ୍କ ଭାଣିଜିିକୁ ବାସନ ମାଜିବାକୁ ନଳକୂପକୁ ପଠେଇଥିବାକୁ କେନ୍ଦ୍ରକରି ଅପରପକ୍ଷ ଘର ଭିତରେ ପଶି ହାତରେ ଖଣ୍ଡା, ଭୁଜାଲୀ ଓ ଶାବୁଳରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବଳରାମକୁ ଘରୁ ଘୋଷାରି ଆଣି ମରଣାନ୍ତକ ଆକ୍ରମଣ କରିଥିଲେ ।

ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଛି । ମୂମୁର୍ଷ ଅବସ୍ତାରେ ତାଙ୍କୁ ଗ୍ରାମବାସୀ ଉଦ୍ଧାର କରି ମେଡିକାଲ ପଠେଇଥିବା ଏତଲାରେ ଦର୍ଶଯାଇଛି । ଏହି ୨ଟି ମାମଲାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ତଦନ୍ତ ପରେ ବିହିତ ପଦକ୍ଷେପ ନିଆଯିବ ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |