ହଜରତ୍ ପୀର ମିସକିନ୍‌ସାହା ବାବାଙ୍କ ୫୯ତମ ବାର୍ଷିକ ଉତ୍ସବ |

232

କଟକ (ଉତ୍କଳ ନ୍ୟୁଜ ) ୧୮-୦୨-୨୦୨୫ : ଭଦ୍ରକ ଜିଲ୍ଲା ତିହିଡି ସିନ୍ଦୋଳ ଓ ମଙ୍ଗଳପୁର ପଞ୍ଚାୟତର ମଧ୍ୟମ ସ୍ଥଳ ଇନ୍ଦିରିଆ-ସନ୍ଥପୁରାରେ ହଜରତ୍ ପୀର ମିସକିନ୍‌ସାହା ବାବାଙ୍କ ୫୯ତମ ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଦୁଇଦିନ ବ୍ୟାପୀ ଉକ୍ତ ଉତ୍ସବରେ ତକରିଲ୍ ଓ କୱାଲୀ କାର୍ଯ୍ୟକ୍ରମରେ ଶହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ରବିବାର ପୂର୍ବାହ୍ନରେ ମୌଲାନା ପୂଜାର୍ଚ୍ଚନା କରିବା ପରେ ବାବାଙ୍କ ଉତ୍ସବ ଆରମ୍ଭ ହୋଇଥିଲା । ଚାଦର ଚଢା ସହିତ ସଂଧ୍ୟାରେ ଭୁବନେଶ୍ୱର, ବାଲେଶ୍ୱର, ଜଳେଶ୍ୱର, ଭଦ୍ରକ ଓ ଧାମନଗରରୁ ମୌଲାନାମାନଙ୍କ ଦ୍ୱାରା ତକରିଲ କାର୍ଯ୍ୟକ୍ରମ ହୋଇଥିଲା । ସେହିପରି ସୋମବାର ସଂଧ୍ୟାରେ ଉତ୍ତର ପ୍ରଦେଶରୁ ଆସିଫ୍ ସାବ୍ରି ଓ ଦିଲ୍ଲୀରୁ ସୁଲତାନ୍ ସାବ୍ରିଙ୍କ କୱାଲୀ କାର୍ଯ୍ୟକ୍ରମରେ ଶହସ୍ରାଧିକ ସ୍ଥାନୀୟ ବାସିନ୍ଦା ଭରପୁର ମଜା ଉଠାଇଥିଲେ ।

ହଜରତ୍ ପୀର ମିସକିନ୍‌ସାହା ବାବାଙ୍କ ମହିମା ଅପାର । ଯିଏ ଯାହା ମାଗିଥାଏ ତାହା ମିଳିଥାଏ ବୋଲି ଏବେବି ବିଶ୍ୱାସ ରହିଛି ଏବଂ ଏହି ବିଶ୍ୱାସକୁ ଆଧାର କରି ବାର୍ଷିକ ଉତ୍ସବରେ ବିଭିନ୍ନ ଅଞ୍ଚଳରୁ ଭକ୍ତଙ୍କ ସୁଅ ଛୁଟିଥାଏ । ମୁସଲମାନ ଭାଇଭଉଣୀଙ୍କ ସମେତ ହିନ୍ଦୁ ସଂପ୍ରଦାୟର ଲୋକମାନେ ମଧ୍ୟ ଯୋଗ ଦେଇଥାନ୍ତି । ସିନ୍ଦୋଳ ଓ ମଙ୍ଗଳପୁର ପଞ୍ଚାୟତର ଜନପ୍ରତିନିଧିଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗଦେଇ ବାବାଙ୍କ ଅର୍ଶିବାଦ ନେଇଥିଲେ । ଆଜାଦ୍ ହିନ୍ଦ କ୍ଲବର ସଭାପତି ଅଇମଦ୍ ଖାଁ, ସମ୍ପାଦକ ସେକ ମହମ୍ମଦ ତାଜୁଦ୍ଦିନ, ନସିମ ଖାଁ, ସମୃଲ ହୋଦା, କାଙ୍ଗାଳି ସାହା, ସୟଦ୍ ଏଲାଉଦ୍ଦିନ, ଗୋରାବାବୁ ସାହା, ସୟଦ୍ କାଦର, ସୟଦ୍ ମୁସ୍ତାକ, ତମଜୁଲ ସାହା, ଅମରୁଲ୍ଲୀ ଖାଁ, ଅନିଲ ଖାଁ, ସୟଦ୍ କଲନ୍ଦର ପ୍ରମୁଖ ପରିଚାଳନା କରିଥିଲେ । ଏଠାରେ ସୂଚନା ଥାଉକି, ଏହି ପୀଠର ଉନ୍ନତିକରଣ ଲାଗି ବିଭିନ୍ନ ସମୟରେ ସରକାରୀ ସ୍ତରରେ ଅନୁଦାନ ପ୍ରଦାନ କରାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |