ରେଳ ଫାଟକରେ ଗେଟ୍ ପଡ଼ି ନଥିବାରୁ ଟ୍ରେନ ଧକ୍କାରେ ଯୁବକ ମୃତ, ଫାଟକ ଘର ପୋଡ଼ିବା ସହ ଭଦ୍ରକ-ଚାନ୍ଦବାଲି ରାଜପଥ ଅବରୋଧ କଲେ ଉତ୍ୟକ୍ତ ଲୋକେ ।
କଟକ ( ଉତ୍କଳ ନ୍ୟୁଜ ) ୮-୦୬-୨୦୨୬ : ରେଳ ଫାଟକରେ ଗେଟ୍ ପଡ଼ି ନଥିବାରୁ ଟ୍ରେନ ଧକ୍କାରେ ଯୁବକ ମୃତ, ଫାଟକ ଘର ପୋଡ଼ିବା ସହ ଭଦ୍ରକ-ଚାନ୍ଦବାଲି ରାଜପଥ ଅବରୋଧ କଲେ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଥାନା ଅଧୀନ ପୀରହାଟ-ସାହାପୁର ରାସ୍ତାରେ ଥିବା ଧାମରା ରେଳ ଫାଟକରେ ଗେଟ ପଡ଼ିନଥିବା କାରଣରୁ ଜଣେ ବାଇକ ଆରୋହୀଙ୍କୁ ଟ୍ରେନ ଧକ୍କା ଦେବା ଫଳରେ ଘଟଣାରେ ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହି ଘଟଣାକୁ ନେଇ ସେଠାରେ ଲୋକେ ଉତ୍ୟକ୍ତ ହୋଇ ଫାଟକ ଗୃହକୁ ପୋଡି ହିଂସାକାଣ୍ଡ ଘଟାଇବା ସହ ଭଦ୍ରକ-ଚାନ୍ଦବାଲି ରାଜପଥକୁ ଅବରୋଧ କରିଛନ୍ତି । ସୂଚନା ଅନୁଯାୟୀ, ସାହାପୁର ପଞ୍ଚାୟତ କଣ୍ଡରାଗଡ଼ିଆ ବେହେରାସାହିର ଅଭିମନ୍ୟୁ ପରିଡ଼ା (୪୩) ରବିବାର ପୂର୍ବାହ୍ନ ଦେଢ଼ଟା ସମୟରେ ବାଇକରେ ପୀରହାଟରୁ ଘରକୁ ଫେରୁଥିବା ବେଳେ ଫାଟକ ପଡ଼ିନଥିବା ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ଟ୍ରେନ ଧକ୍କା ଦେଇଥିଲା । ଜଗୁଆଳି ଥିଲେ ବି ଫାଟକ ପକାଇନଥିଲା ବୋଲି ଅଭିଯୋଗ କରି ଉତ୍ୟକ୍ତ ଲୋକେ ରେଳ ଫାଟକ ଗୃହରେ ନିଆଁ ଲଗାଇ ଦେଇଥିଲେ ।

ଘରଟି ଜଳିଯିବା ସହ ସେଠାରେ ଥିବା କେତେକ ବାଇକ ମଧ୍ୟ ପୋଡ଼ି ଯାଇଛି । ତେବେ ପୀରହାଟ ପୁଲିସ ଘଟଣାସ୍ଥଳରେ ପହଂଚି ଅଭିମନ୍ୟୁ ପରଡ଼ାଙ୍କୁ ଚିକିତ୍ସା କରିବା ଆଳରେ ନେଇଯିବା ଫଳରେ ଲୋକେ ଅଧିକ ଉତ୍ୟକ୍ତ ହୋଇ ପଡ଼ିଥିଲେ । ସେହିପରି ସଂପୃକ୍ତ ଫାଟକ ଜଗୁଆଳିକୁ ଲୋକେ ଧରି ପୁଲିସର ଜିମା ଦେଇଥିଲେ । ରେଳଲାଇନରେ ଇଟାପଥର ଜମା କରି ଅବରୋଧ କରିବା ପରେ ପୀରହାଟ ମଝି ବଜାରରେ ପହଂଚି ଟାୟାର ଜାଳି ଭଦ୍ରକ-ଚାନ୍ଦବାଲି ରାଜପଥ ଅବରୋଧ କରିଛନ୍ତି । ଦିନ ୨ଟାରୁ ଅବରୋଧ ହେବା ଫଳରେ ରାସ୍ତାରେ ଯାତାୟତ କରୁଥିବା ଶହଶହ ଯାନବାହନ ଉଭୟ ପାଶ୍ୱର୍ରେ ଛିଡ଼ା ହୋଇ ରହିଛି । ରାତି ପ୍ରାୟ ୯ ଘଟିକା ପର୍ଯ୍ୟନ୍ତ ରାସ୍ତାରୋକ ଚାଲିଥିଲା। ଘଡଘଡି ସହ ବର୍ଷାକୁ ଖାତିର ନକରି ମୃତକ ପରିବାର କୁଉପଯୁକ୍ତ କ୍ଷତିପୂରଣ ଦାବୀ କରିଥିଲେ। ଚାନ୍ଦବାଲି ଏସଡିପିଓ ପ୍ରଭାସ ଚନ୍ଦ୍ର ସାହୁ, ପୀରହାଟ ଥାନା ଅଧିକାରୀ ରୋଜାଲିନି ବେହେରା ଓ ତିହିଡ଼ି ଥାନା ଅଧିକାରୀ ଲୋପାମୁଦ୍ର ନାୟକ ପ୍ରମୁଖ ସଦଳବଳେ ପହଂଚି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |