କଟକ ( ଉତ୍କଳ ନ୍ୟୁଜ ). ୧୦-୦୭-୨୦୨୬ : ନୟାଗଡ଼ ମ୍ୟୁନିସିପାଲିଟିର ନଗରପାଳ ନିରୂପମା ଖଟେଇ ନିଜ ପଦବୀର ଅପବ୍ୟବହାର କରି ନିଜ ଘର ପାଖରେ ଥିବା ସରକାରୀ ଜମିରେ ୩ ମହଲା କୋଠା ନିର୍ମାଣ କରିବା ଘଟଣା ଏବେ ନୟାଗଡ଼ ସହରରେ ଆଲୋଚନାର ବିଷୟ ହୋଇଛି । ରକ୍ଷକ ଯଦି ଭକ୍ଷକ ହୁଏ ଏବଂ ବାଡ଼ ଯଦି ଫସଲ ଖାଏ ତାହାହେଲେ ସାଧାରଣ ଲୋକ କିଭଳି ନ୍ୟାୟ ପାଇବେ ତାହା ସାଧାରଣରେ ପ୍ରଶ୍ନ ଉଠିଛି । ନୟାଗଡ ମୁନିସିପାଲିଟି ବୁଲା ବିକାଳି, ସାଧାରଣ ଲୋକ କିମ୍ବା ଗରିବ ଲୋକ ସରକାରୀ ଜାଗା ଜବରଦଖଲ କଲେ ତାଙ୍କୁ ସଙ୍ଗେ ସଙ୍ଗେ ମୁନିସିପାଲିଟି ଡ୍ରୋଜର ଲଗାଇ ଘର ଭାଙ୍ଗି ଦେଉଛି । କିନ୍ତୁ ଏଠି ଖୋଦ ନଗରପାଳ ନିଜ କ୍ଷମତାର ଅପବ୍ୟବହାର କରି ସରକାରୀ ଜାଗାରେ ବିଶାଳ କୋଠା କରିଛନ୍ତି । ଅଥଚ ମୁନିସିପାଲିଟି କିମ୍ବା ତହସିଲଦାର ଏ ପର୍ଯ୍ୟନ୍ତ ତାଙ୍କୁ ନୋଟିସ ଦେଇନାହାନ୍ତି । ମ୍ୟୁନିସିପାଲିଟି ଗରିବ ଲୋକଙ୍କର ଘର ଭାଙ୍ଗୁଥିବାବେଳେ ଖୋଦ ନଗରପାଳଙ୍କ ଘରକୁ କାହିଁକି ନଭଙ୍ଗାଯିବ ଏବେ ମୁନିସିପାଲିଟି ଉପରେ ସମସ୍ତେ ପ୍ରଶ୍ନ ଉଠାଇଛନ୍ତି ।ଏସମ୍ପର୍କରେ ଅନୁରୂପ ଭାବେ ରାଜସ୍ୱ ମନ୍ତ୍ରୀ, ନୟାଗଡ଼ ଜିଲ୍ଲାପାଳ, ନୟାଗଡ଼ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଓ ନୟାଗଡ଼ ତହସିଲଦାରଙ୍କୁ ମଧ୍ୟ ଅବଗତ କରାଯାଇଛି। ଗତ ପ୍ରାୟ ୮ମାସ ତଳେ ସରକାରୀ ଜମିରେ ୩ ମହଲା କୋଠା କରାଯାଇଥିଲେ ମଧ୍ୟ ନା ମୁନିସିପାଲିଟି ନା ତହସିଲଦାର ନା ଜିଲ୍ଲା ପ୍ରଶାସନ କେହି ହେଲେ ପ୍ରଶ୍ନ ଉଠାଇ ନଥିଲେ ।ଏ ସମ୍ପର୍କରେ ନୟାଗଡ଼ ପୁରୁଣା ସହରର ବରିଷ୍ଠ ନାଗରିକ ପ୍ରମୋଦ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ ।ଅଭିଯୋଗରେ ନୟାଗଡ ତହସିଲ, ମୌଜା ଜାମୁସାହି, କିସମ ପତିତ, ଖାତା ନଂ. ୬୬୨, ପ୍ଲଟ ନଂ. ୧୨୧/୨୯୧୪ରେ ୬୩ ଡେସିମିଲି ଜାଗା ନବୀନ କଲ୍ୟାଣ ମଣ୍ଡପ ପାଇଁ ଉଦ୍ଦିଷ୍ଟ ଥିଲା । ଏହି ୬୩ ଡେସିମିଲିରୁ ୬୦ ଡେସିମିଲି ନବୀନ କଲ୍ୟାଣ ମଣ୍ଡପ ୱାର୍ଡ ନଂ. ୧୨ରେ ନିର୍ମାଣ କରାଯାଇଥିଳା ବେଳେ କଲ୍ୟାଣ ମଣ୍ଡପ ପାଚେରୀ ନିର୍ମାଣ ସମୟରେ ସିଧାସଳଖ ପାଚେରୀ କରାନଯାଇ ପୌରପାଳଙ୍କ ନିଜସ୍ୱ କୋଠା ଥିବାରୁ ସେହିଠାରେ ୩ ଡେସିମିଲି ଜାଗା ଜାଣିଶୁଣି ପୌର ପରିଷଦ ଛାଡ଼ି ଦେଇଥିଲେ। ଉକ୍ତ ୩ ଡେସିମିଲି ଜାଗାରେ ଗତ ୮ ମାସ ତଳେ ୩ ମହଲା ବିଶିଷ୍ଟ କୋଠା ସରକାରୀ ଜାଗାରେ ନିର୍ମାଣ କରାଯାଇଛି । ତେବେ ସମ୍ପୃକ୍ତ ଜମିରୁ ପୌର ପାଳ ଓ ତାଙ୍କ ସ୍ୱାମୀଙ୍କୁ ଡରି ପ୍ରଶାସନିକ ସ୍ତରରେ ନିରବଦ୍ରଷ୍ଟା ସାଜିଥିଲେ। ଉକ୍ତ ଜବରଦଖଲ ୩ ଡେସିମିଲି ଜାଗାର ମୂଲ୍ୟ ୪୦ଲକ୍ଷ ହୋଇଥିଲେ ବି ଦେବୋତ୍ତର କଲୋନୀସ୍ଥିତ ଏହି ମୂଲ୍ୟବାନ ଜମିକୁ କାହିଁକି ବେଦଖଲ କରାଯାଉନାହିଁ ତାହା ସାଧାରଣରେ ପ୍ରଶ୍ନ ଉଠିଛି । ରାଜ୍ୟ ସରକାର ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ଗୁରୁତ୍ୱ ଦେଉଥିବାବେଳେ ନୟାଗଡ ପୌରପାଳ ନିରୂପମା ଖଟେଇ, ସ୍ୱାମୀ ଶ୍ରୀକାନ୍ତ ଖଟେଇ ୪୦ ଲକ୍ଷରୁ ଅଧିକ ଟଙ୍କାର ଜାଗା ଦେବୋତ୍ତର କଲୋନୀରେ ମାଡି ବସିଥିଲେ ହେଁ ଉଚ୍ଛେଦ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଦେବା ପରେ ଏବେ ପ୍ରଶାସନ ତତ୍ପର ହୋଇ ସରକାରୀ ଜାଗାକୁ ମାପୁଥିବାର ଜଣାପଡିଛି । ସୂଚନା ଅନୁସାରେ ସରକାରୀ ଜାଗାରେ ୩ ମହଲା କୋଠା କରିଥିବାର ପ୍ରମାଣ ମଧ୍ୟ ମିଳିଥିବାର ଜଣାପଡିଛି । ତେଣୁ ଏହି ଜାଗାରୁ ଯଥାଶୀଘ୍ର ଉଚ୍ଛେଦ କରିବା ପାଇଁ ଦାବି ହେଉଛି । ଏହା ସହିତ ମୁନିସିପାଲିଟିରେ ଅନେକ କେଳେଙ୍କାରୀ ଓ ଆର୍ଥିକ ଅନିୟମିତତା କରିଥିବାର ଜଣାପଡିଛି । ନୟାଗଡ଼ ରୁ ପ୍ରକାଶ କୁମାର ନାୟକ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ. |