ତିହିଡି ମଦ ଦୋକାନରୁ ଚୋରୀ ଘଟଣା, ନଗଦ୍ ୬.୫ ଲକ୍ଷ ଟଙ୍କା, ବାଇକ୍ ଓ ମୋବାଇଲ୍ ଜବତ୍‌ |

193

କଟକ ( ଉତ୍କଳ ନ୍ୟୁଜ ) ୧୭.୦୭ . ୨୬ : ଭଦ୍ରକ ଜିଲ୍ଲା ତିହିଡି ସଦର ବଜାରରେ ଅବସ୍ଥାପିତ ମଦ ଦୋକନାରୁ ଗତ ୫ ଦିନ ତଳେ ହୋଇଥିବା ଚୋରୀ ଘଟଣାର ପର୍ଦ୍ଦଫାସ କରିଛି ପୋଲିସ । ଅଭିଯୁକ୍ତର ମୋବାଇଲ୍ ଟ୍ରାକିଂ କରିବା ସହିତ ବିଭିନ୍ ସ୍ଥାନରେ ଖାନତଲାସ କରି ଶୁକ୍ରବାର ସକାଳେ ଚୋରକୁ ଧରିବାରେ ସଫଳ ହୋଇଛି ।ଏତତ୍‌ବ୍ୟତିତ ଚୋରୀ ହୋଇଥିବା ଟଙ୍କା ମଧ୍ୟରୁ ୬.୫ ଲକ୍ଷ ଟଙ୍କା ଜବତ୍ କରିବା ସହିତ ଚୋରୀ ଟଙ୍କା କିଣା ଯାଇଥିବା ଏକ ନୂଆ ବାଇକ୍‌(ହୋଣ୍ଡା ୟୁନିକର୍ଣ୍ଣ), ଏକ କିପ୍ୟାଡ୍ ମୋବାଇଲ୍ ଏବଂ ବିଭିନ୍ନ ପ୍ରକାରର ଆଧାର କାର୍ଡ ଜବତ୍ କରିଛି । ପଚରା ଉଚୁରା କରାଯିବା ସହ ସତ୍ୟାସତ୍ୟ ଜଣା ପଡିବା ପରେ ଅଭିଯୁକ୍ତକୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଲୋପାମୁଦ୍ର ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗିରଫ୍ ଅଭିଯୁକ୍ତ ବାସୁଦେବପୁର ଏନଏସି ଅଧିନ ୧୧ ନମ୍ବର ୱାର୍ଡର ସୁଦର୍ଶନ ସାହୁଙ୍କ ପୁଅ ରାଜକିଶୋର ସାହୁ(୩୮) ବୋଲି ଜଣାଯାଇଛି । ତିହିଡି ବଜାରରେ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ ରାଜକୁମାର ସାହୁଙ୍କ ଅଭିଯୋଗ ମୁତାବକ, ଗତ କିଛି ଦିନ ହେବ ସେ ତିହିଡିରେ ନୂଆକରି ମଦ ଦୋକାନ କରିଛନ୍ତି । ଗତ ୧୦ ତାରିଖରେ କର୍ମଚାରୀଭାବେ ରାଜକିଶୋର ସାହୁଙ୍କ ନିୟୋଜିତ କରିଥିଲେ । ଦୈନିକ ମଦ ବିକ୍ରି ଟଙ୍କା ବ୍ୟାଙ୍କରେ ଡିପୋଜିଟ୍ କରାଯାଏ ହେଲେ ଛୁଟି ଥିବା କାରଣରୁ ଦୋକାନରେ ନଗଦ୍ ୯.୮୦ ଲକ୍ଷ ଟଙ୍କା ଥିଲା ।

ଗତ ୧୨ ତାରିଖରେ ସଂପୃକ୍ତ କର୍ମଚାରୀ ରାଜକିଶୋର ସାହୁ ଉକ୍ତ ଟଙ୍କା ନେଇ କୁଆଡେ ପଳେଇ ଯାଇଥିଲା । ଏନେଇ ସେ ତିହିଡି ଥାନାରେ ଏତଲା ଦେଇଥିଲେ ଏବଂ ଏତଲାକୁ ଭିତ୍ତିକରି ପୋଲିସ ଏକ ମାମଲା ୨୮୫/୨୬ରୁଜୁ କରି ତଦନ୍ତ ଚଳାଇ ଆସୁଥିଲା । ଏସପିଙ୍କ ନିର୍ଦ୍ଦେଶ ଓ ଆଇଆଇସିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଇଓ ଦାମୋଦର ଟୁଡୁ ଓ ଅନ୍ୟମାନେ ଅଭିଯୁକ୍ତକୁ ଧରିବାରେ ଲାଗି ପଡିଥିଲେ । ମଦ ଦୋକାନ ନିକଟରେ ଥିବା ଅଭିଯୁକ୍ତର ଆଧାରକାର୍ଡ ମୂଳେ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା ମାତ୍ର ସେ ବିଭିନ୍ନ ଠିକଣାରେ ଆଧାର କରିଥିବା ନେଇ ପୋଲିସକୁ ଅଧିକ ଖୋଳତାଡ କରିବାକୁ ପଡିଥିଲା । ଶେଷରେ ୧୭ ତାରିଖ ସକାଳେ ବାଲେଶ୍ୱର ବସ ଷ୍ଟାଣ୍ଡରେ ଅଭିଯୁକ୍ତ ରାଜକିଶୋର ସାହୁଙ୍କୁ ଠାବ୍ କରିଥିଲା ପୋଲିସ । ଥାନାକୁ ଆଣି ସବିଶେଷ ଯାଂଚ କରିବା ପରେ ନଗଦ୍ ୬.୫ ଲକ୍ଷ ଟଙ୍କା, ଚୋରୀ ଟଙ୍କା କିଣା ଯାଇଥିବା ବାଇକ୍‌, ଏକ କିପ୍ୟାଡ୍ ମୋବାଇଲ୍ ଓ ବିଭିନ୍ନ ପ୍ରକାରର ଆଧାର କାର୍ଡ ଜବତ୍ କରିଛି ପୋଲିସ । ଶେଷରେ ଅଭିଯୁକ୍ତଙ୍କ ବିରୋଧରେ ସଂଗୀନ ଦଫା ୩୧୬(୨), ୩୧୮(୪), ୩୧୯(୨) ଓ ୩୩୬(୨) ମୂଳେ କୋର୍ଟ ଚାଲାଣ କରା ଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |