କଟକ ( ଉତ୍କଳ ନ୍ୟୁଜ ) ୧୪-୧୧-୨୬ : ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧୀନ ତିହିଡ଼ି କାଳୀ ପଡ଼ିଆରେ ବାଇକ୍ ରଖିବାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ତିନିଜଣ ଯୁବକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ସଂକଟାପନ୍ନ ହୋଇଛି ଏବଂ ସେ ସଂପ୍ରତି କଟକ ବଡ ମେଡିକାଲରେ ଚିକିତ୍ସା ହେଉଛନ୍ତି । ସୂଚନା ଅନୁଯାୟୀ ଗୁଡ଼ୁପାଳ ଗ୍ରାମର ସର୍ବେଶ୍ୱର ସ୍ୱାଇଁ ଓରଫ ଶୁକୁଟା, ଶିବସୁନ୍ଦର ନାୟକ ଓ ଚନ୍ଦନ ମହାଳିକ ୩ଜଣ ଗୁରୁବାର ରାତି ପ୍ରାୟ ୧୦ଟାରେ କାଳୀପୂଜା ଦେଖିସାରି ସେମାନେ ବାଇକ୍ ରଖିଥିବା ସ୍ଥାନକୁ ଯାଇଥିଲେ । ତେବେ ବାଇକ୍ ସେଠାରେ ନଥିବାରୁ ଖୋଜାଖୋଜି କରିଥିଲେ । ଏହି ସମୟରେ ସ୍ଥାନୀୟ ଅଞ୍ଚଳର କେତେକ ଯୁବକ ତାଙ୍କୁ ଏନେଇ ପଚରା ଉଚୁରା କରିବା ପରେ କୌଣସି କାରଣରୁ ଆକ୍ରମଣ କରିଥିଲେ । ସର୍ବେଶ୍ୱର ଗୁରୁତର ଅହତ ହେଇଥିଲେ । ଏନେଇ ଚନ୍ଦନ ମହାଳିକ ଥାନାରେ ସଂପୃକ୍ତ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ ହୋଇଛି । ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ଆହତଙ୍କ ପରିବାର ପକ୍ଷରୁ ଦାବି ହୋଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।