ଉପରାଷ୍ଟ୍ରପତିଙ୍କ ଗସ୍ତରେ ବିଧାୟକଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ ,ବୟକଟ୍ ଘୋଷଣା କଲା କଂଗ୍ରେସ

25

କଟକ (ଉତ୍କଳ ନ୍ୟୁଜ) ୧୪/୧୧/୨୦୨୬ : ନଭେମ୍ବର ୧୬ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦେଶର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍। ତାଙ୍କ ଗସ୍ତ ଅବସରରେ ରାଜ୍ୟର ବିଧାୟକମାନଙ୍କୁ ନେଇ ଏକ ଅଭିମୁଖୀକରଣ ବା ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଆୟୋଜନ ହେବ। ହେଲେ ଏହି କାର୍ଯ୍ୟକ୍ରମକୁ ନେଇ ଏବେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା। କାର୍ଯ୍ୟକ୍ରମକୁ ବୟକଟ୍ କରିବାକୁ ଘୋଷଣା କରିଛି କଂଗ୍ରେସ। ପିସିସି ସଭାପତି ଭକ୍ତଚରଣ ଦାସ ଏନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। କେବଳ କଂଗ୍ରେସ ବିଧାୟକ ନୁହନ୍ତି, ବିଜେଡି ବିଧାୟକମାନେ ମଧ୍ୟ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିବା ଉଚିତ ବୋଲି ସେ ଆହ୍ୱାନ ଦେଇଛନ୍ତି। ଭକ୍ତଚରଣ ଦାସଙ୍କ କହିବା ଅନୁଯାୟୀ, ବିରୋଧୀ ଦଳର ବିଧାୟକମାନେ ଆବଶ୍ୟକ ତାଲିମ ଓ ଅଭିଜ୍ଞତା ହାସଲ କରିସାରିଛନ୍ତି। ଅପରପକ୍ଷରେ ବିଜେପି ବିଧାୟକମାନଙ୍କୁ ଏଭଳି ପ୍ରଶିକ୍ଷଣର ଅଧିକ ଆବଶ୍ୟକତା ରହିଛି ବୋଲି ସେ କଟାକ୍ଷ କରିଛନ୍ତି। ଏହାସହ ସମ୍ବିଧାନର ସୁରକ୍ଷା ପ୍ରସଙ୍ଗ ଉଠାଇ ଭାଜପାକୁ ଟାର୍ଗେଟ୍ କରିଛନ୍ତି ପିସିସି ସଭାପତି। ତାଙ୍କ ଅଭିଯୋଗ ଅନୁସାରେ, ସମ୍ବିଧାନର ମର୍ଯ୍ୟାଦା ଓ ସୁରକ୍ଷା ରକ୍ଷା କରିବାରେ ବିଜେପି ଦୁର୍ବଳ ସାବ୍ୟସ୍ତ ହୋଇଛି।ଉପରାଷ୍ଟ୍ରପତିଙ୍କ ଗସ୍ତକୁ କେନ୍ଦ୍ର କରି ଆୟୋଜିତ ହେବାକୁ ଥିବା ଏହି ଅଭିମୁଖୀକରଣ କାର୍ଯ୍ୟକ୍ରମକୁ ନେଇ କଂଗ୍ରେସର ବୟକଟ୍ ଘୋଷଣା ରାଜ୍ୟ ରାଜନୀତିକୁ ସରଗରମ କରିଛି। ଏବେ ବିଜେଡିର ଆଭିମୁଖ୍ୟ କଣ ରହିବ, ତାହା ଉପରେ ରାଜନୈତିକ ମହଲର ନଜର ରହିଛି। ଉତ୍କଳ ନ୍ୟୁଜ