ଆୟୁଷ୍ମାନ ଭାରତ ଯୋଜନାରେ ବଡ଼ ପରିବର୍ତ୍ତନ ! ୧୧୨ ରୋଗର ଚିକିତ୍ସା ଆଉ ଘରୋଇ ହସ୍ପିଟାଲରେ ମିଳିବନି ମାଗଣା ସୁବିଧା |

24

କଟକ (ଉତ୍କଳ ନ୍ୟୁଜ) ୧୩/୧୧/୨୦୨୬ : କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PMJAY)କୁ ନେଇ ଆସିଛି ଏକ ବଡ଼ ଖବର। ଏହି ଯୋଜନାର ଚିକିତ୍ସା ପ୍ୟାକେଜରେ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛି ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (NHA)। ନୂଆ ପ୍ରସ୍ତାବ ଅନୁସାରେ, ୧୧୨ଟି ଚିକିତ୍ସା ପ୍ୟାକେଜକୁ କେବଳ ସରକାରୀ ଡାକ୍ତରଖାନା ପାଇଁ ସୀମିତ ରଖାଯିବ। ଅର୍ଥାତ୍ ଏହି ରୋଗଗୁଡ଼ିକର ଚିକିତ୍ସା ପାଇଁ ଆଉ ଘରୋଇ ହସ୍ପିଟାଲରେ ଯୋଜନାର ସୁବିଧା ମିଳିବ ନାହିଁ। କେବେଠାରୁ ଲାଗୁ ହେବ ନୂଆ ନିୟମ? ଏହି ପରିବର୍ତ୍ତନକୁ ଆସନ୍ତା ୧ ଡିସେମ୍ବର ୨୦୨୬ରୁ ସାରା ଦେଶରେ ଲାଗୁ କରିବାକୁ NHA ପକ୍ଷରୁ ରାଜ୍ୟଗୁଡ଼ିକୁ ପ୍ରସ୍ତାବ ଦିଆଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପ୍ରାଧିକରଣଗୁଡ଼ିକ ସରକାରୀ ହସ୍ପିଟାଲରେ ଆବଶ୍ୟକ ଡାକ୍ତର, ଚିକିତ୍ସା ଉପକରଣ ଓ ଅନ୍ୟାନ୍ୟ ସୁବିଧାର ସ୍ଥିତି ଯାଞ୍ଚ କରୁଛନ୍ତି। ପୂର୍ବରୁ ଆୟୁଷ୍ମାନ ଭାରତ ଯୋଜନାରେ ୨୩ଟି ଚିକିତ୍ସା ପ୍ୟାକେଜ କେବଳ ସରକାରୀ ହସ୍ପିଟାଲ ପାଇଁ ଉଦ୍ଦିଷ୍ଟ ଥିଲା। ଏବେ ଏହି ତାଲିକାରେ ଆଉ ୮୯ଟି ପ୍ୟାକେଜ ଯୋଡ଼ିବାକୁ ପ୍ରସ୍ତାବ ରହିଛି। ଫଳରେ ମୋଟ ୧୧୨ଟି ପ୍ୟାକେଜ ସରକାରୀ ହସ୍ପିଟାଲରେ ଉପଲବ୍ଧ ହେବା ନେଇ ଯୋଜନା ରହିଛି।ଘରୋଇ ହସ୍ପିଟାଲଗୁଡ଼ିକରେ ଚିକିତ୍ସା ବାବଦରେ ସରକାରଙ୍କ ଖର୍ଚ୍ଚ କମାଇବା ସହ ସରକାରୀ ଡାକ୍ତରଖାନାର ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ଏହି ପ୍ରସ୍ତାବର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଉଛି। ଏହାଦ୍ୱାରା ସରକାରୀ ହସ୍ପିଟାଲଗୁଡ଼ିକରେ ଚିକିତ୍ସା ସୁବିଧା ଓ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ତେବେ ଏହି ପରିବର୍ତ୍ତନ ଲାଗୁ ହେଲେ ଆୟୁଷ୍ମାନ କାର୍ଡଧାରୀଙ୍କୁ ସମ୍ପୃକ୍ତ ୧୧୨ଟି ପ୍ୟାକେଜର ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ିପାରେ। ନୂଆ ନିୟମ ଲାଗୁ ହେବା ପୂର୍ବରୁ ରାଜ୍ୟଗୁଡ଼ିକର ହସ୍ପିଟାଲ ପ୍ରସ୍ତୁତି ଓ ଚିକିତ୍ସା ସୁବିଧା କେତେଦୂର ସୁନିଶ୍ଚିତ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିବ। ଉତ୍କଳ ନ୍ୟୁଜ