କଟକ (ଉତ୍କଳ ନ୍ୟୁଜ) ୧୩/୧୧/୨୦୨୬ :ବିଶ୍ୱର ବିଭିନ୍ନ ଦେଶରେ କୋଭିଡ୍-୧୯ର ନୂଆ ଭାରିଆଣ୍ଟ PJ.2.1 ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଉତ୍ତର ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ସମେତ ଏସିଆର କିଛି ଦେଶରେ ଏହି ଭାରିଆଣ୍ଟର ପ୍ରଭାବ ଦେଖିବାକୁ ମିଳୁଛି। ଗତ ମେ ମାସରେ କାନାଡାର ଓଣ୍ଟାରିଓରେ ପ୍ରଥମେ ଏହା ଚିହ୍ନଟ ହୋଇଥିବା କୁହାଯାଉଛି।ଗବେଷକଙ୍କ ମତରେ, ଏହି ଭାରିଆଣ୍ଟରେ ଜିନୋମିକ୍ ସ୍ତରରେ ପରିବର୍ତ୍ତନ ଘଟିଛି। ଏହାର ସ୍ପାଇକ୍ ପ୍ରୋଟିନ୍ ମାନବ କୋଷର ACE2 ରିସେପ୍ଟର ସହ ଯୋଡ଼ି ହୋଇ ସଂକ୍ରମଣ ସୃଷ୍ଟି କରିପାରେ। ତେବେ ପୂର୍ବ ଭାରିଆଣ୍ଟ ତୁଳନାରେ ଏହା ଅଧିକ ମାରାତ୍ମକ ବୋଲି ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ ମିଳିନାହିଁ। ଏହି ଭାରିଆଣ୍ଟର ସଂକ୍ରମଣ ହେଲେ ଜ୍ୱର, କାଶ, ଗଳା ଯନ୍ତ୍ରଣା, ନାକରୁ ପାଣି ବୋହିବା, ମୁଣ୍ଡବିନ୍ଧା ଓ ଶରୀରରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଦେଇପାରେ। ଏହି ଲକ୍ଷଣଗୁଡ଼ିକ ସାଧାରଣ ଫ୍ଲୁ ସହ ସମାନ ହୋଇଥିବାରୁ କେବଳ ଲକ୍ଷଣ ଆଧାରରେ କରୋନାକୁ ଚିହ୍ନଟ କରିବା କଷ୍ଟକର। ତେବେ ଏହା ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ରହିଛି। ପୂର୍ବରୁ ନିଆଯାଇଥିବା କୋଭିଡ୍ ଟିକା ଏହି ନୂଆ ଭାରିଆଣ୍ଟ ବିରୋଧରେ କିଛି ମାତ୍ରାରେ ପ୍ରତିରୋଧକ କ୍ଷମତା ଯୋଗାଇପାରୁଥିବା ପରୀକ୍ଷାଗାର ଗବେଷଣାରୁ ସୂଚନା ମିଳିଛି। ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ଦୀର୍ଘସ୍ଥାୟୀ ରୋଗରେ ପୀଡ଼ିତ ଲୋକମାନେ ଅଧିକ ସତର୍କ ରହିବା ଆବଶ୍ୟକ। ଆବଶ୍ୟକ ସ୍ଥଳେ ଡାକ୍ତରଙ୍କ ପରାମର୍ଶ ନେଇ ବୁଷ୍ଟର ଡୋଜ୍ ଗ୍ରହଣ କରିବା ସହ ଲକ୍ଷଣ ଦେଖାଦେଲେ କୋଭିଡ୍ ପରୀକ୍ଷା କରାଇବା ଉଚିତ। ସତର୍କତା ହିଁ ସୁରକ୍ଷା। କରୋନାର ନୂଆ ରୂପକୁ ନେଇ ଆତଙ୍କିତ ନହୋଇ ସଚେତନ ରହିବା ଏବେ ସମସ୍ତଙ୍କ ପାଇଁ ଜରୁରୀ। ଉତ୍କଳ ନ୍ୟୁଜ