ଧାନ ଅମଳ ସମୟରେ ହାତୀପଲଙ୍କ ଆତଙ୍କ, ଉଜାଡ଼ୁଛନ୍ତି ଏକର ଏକର ଫସଲ

20

କଟକ (ଉତ୍କଳ ନ୍ୟୁଜ)୧୩/୧୧/୨୦୨୬ : ଧାନ ଅମଳ ସମୟରେ ଚାଷୀଙ୍କ ପାଇଁ କାଳ ସାଜିଛନ୍ତି ହାତୀପଲ । ରାତି ହେଲେ ଜଙ୍ଗଲରୁ ବାହାରି ଧାନ ବିଲରେ ପଶୁଛନ୍ତି, ଖାଇବା ସହ ଦଳିଚକଟି ନଷ୍ଟ କରୁଛନ୍ତି ପାଚିଲା ଧାନ । ଗୋଟିଏ କି ଦୁଇଟି ନୁହେଁ, ୨୦ରୁ ଅଧିକ ହାତୀଙ୍କ ଉପଦ୍ରବରେ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଆଖି ଆଗରେ ବର୍ଷକର ପରିଶ୍ରମ ନଷ୍ଟ ହେଉଥିବାରୁ ଚିନ୍ତାରେ ଚାଷୀକୁଳ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ହାତୀଙ୍କ ଏଭଳି ଉତ୍ପାତ ଦେଖିବାକୁ ମିଳିଛି । କାଦୁଆ, ବାଙ୍ଗୁରା, ମହୁଲପାଳ ଓ ବୀଜାଡିହ ଗାଁରେ ଗତ ଦୁଇଦିନ ଧରି ୨୦ରୁ ଅଧିକ ହାତୀ ଧାନ ଫସଲ ନଷ୍ଟ କରୁଛନ୍ତି । ଦିନରେ ଜଙ୍ଗଲରେ ଲୁଚି ରହୁଥିବା ହାତୀପଲ ସନ୍ଧ୍ୟା ହେଲେ ଗାଁମୁହାଁ ହେଉଛନ୍ତି । ସିଧା ଧାନ ବିଲରେ ପଶି ପାଚିଲା ଧାନ ଖାଇବା ସହ ଫସଲକୁ ପାଦରେ ଦଳିଚକଟି ନଷ୍ଟ କରିଦେଉଛନ୍ତି । ଅନ୍ୟପଟେ ହାତୀଙ୍କୁ ଘଉଡ଼ାଇବା ପାଇଁ ରାତିସାରା ନାକେଦମ୍ ହେଉଛି ବନ ବିଭାଗ । ହାତୀଙ୍କ ଗତିବିଧି ଉପରେ କର୍ମଚାରୀମାନେ ନଜର ରଖିବା ସହ ସେମାନଙ୍କୁ ଜଙ୍ଗଲ ଭିତରକୁ ଫେରାଇବାକୁ ଉଦ୍ୟମ କରୁଛନ୍ତି । ହେଲେ ହାତୀଙ୍କ ଲଗାତାର ଉପଦ୍ରବ ଯୋଗୁଁ ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଅମଳ ମୁହଁରେ ଫସଲ ହରାଇ ଏବେ କ୍ଷତିପୂରଣ ଓ ସୁରକ୍ଷା ଆଶାରେ ଚାହିଁ ରହିଛନ୍ତି ଚାଷୀ । ଉତ୍କଳ ନ୍ୟୁଜ