କଟକ (ଉତ୍କଳ ନ୍ୟୁଜ) ୧୦/୧୧/୨୦୨୬ : ହାମିଲଟନ୍ରେ ପ୍ରକୃତି ସାଜିଲା ଖେଳର ବାଧକ। ପ୍ରବଳ ବର୍ଷା ଯୋଗୁଁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ମ୍ୟାଚ୍କୁ ଶେଷରେ ବାତିଲ କରିବାକୁ ପଡ଼ିଛି। ସେଡନ୍ ପାର୍କରେ ଗୋଟିଏ ବି ବଲ୍ ନପଡ଼ିବାରୁ ଦର୍ଶକଙ୍କୁ ନିରାଶ ହେବାକୁ ପଡ଼ିଛି। ତେବେ ଏହାର ପ୍ରଭାବ ଶୃଙ୍ଖଳାର ସ୍ଥିତି ଉପରେ ପଡ଼ିନାହିଁ। ଭାରତ ୨-୦ରେ ଆଗୁଆ ରହି ନିଜର ସ୍ଥିତି ମଜଭୁତ କରିଛି। ମ୍ୟାଚ୍ ଆରମ୍ଭରୁ ହିଁ ପାଣିପାଗ ଖେଳକୁ ନେଇ ଅନିଶ୍ଚିତତା ସୃଷ୍ଟି କରିଥିଲା। ବର୍ଷା ଏବଂ ଓଦା ପଡ଼ିଆକୁ ଦୃଷ୍ଟିରେ ରଖି ମ୍ୟାଚ୍କୁ ୪୦ ଓଭରକୁ ହ୍ରାସ କରାଯାଇଥିଲା। ଏହାପରେ ଭାରତୀୟ ସମୟ ସକାଳ ୯ଟାରେ ଟସ୍ ହୋଇଥିଲା। ଅଧିନାୟକ ଶୁବମନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିଥିଲେ। ଉଭୟ ଦଳରେ କୌଣସି ପରିବର୍ତ୍ତନ ହୋଇନଥିଲା। ଖେଳ ଆରମ୍ଭ ହେବାର ସବୁ ଆଶା ମଉଳି ଯାଇଥିଲା। ପଡ଼ିଆରୁ କଭର ହଟାଯିବା ବେଳକୁ ପୁଣି ଥରେ ବର୍ଷା ଆରମ୍ଭ ହୋଇଥିଲା। ଦୀର୍ଘ ସମୟ ଧରି ବର୍ଷା ଲାଗି ରହିବାରୁ ଖେଳ ଆରମ୍ଭ କରିବା ସମ୍ଭବ ହୋଇନଥିଲା। ସର୍ବନିମ୍ନ ୨୦ ଓଭରର ମ୍ୟାଚ୍ ଖେଳାଇବା ପାଇଁ ସ୍ଥାନୀୟ ସମୟ ସନ୍ଧ୍ୟା ୭ଟା ୫୦ ପର୍ଯ୍ୟନ୍ତ ସମୟ ରହିଥିଲା। କିନ୍ତୁ ପାଗ ଓ ପଡ଼ିଆର ସ୍ଥିତି ଅନୁକୂଳ ନଥିବାରୁ ନିର୍ଦ୍ଧାରିତ ସମୟର ପ୍ରାୟ ୭୦ ମିନିଟ୍ ପୂର୍ବରୁ ଅମ୍ପାୟାରମାନେ ମ୍ୟାଚ୍ ବାତିଲ ଘୋଷଣା କରିଥିଲେ। ଏହି ମ୍ୟାଚ୍ ବାତିଲ ହେବା ଫଳରେ ଭାରତ ପାଇଁ ଶୃଙ୍ଖଳା ବିଜୟର ରାସ୍ତା ଆହୁରି ସହଜ ହୋଇଛି। ଅବଶିଷ୍ଟ ଦୁଇଟି ମ୍ୟାଚ୍ରେ ଭାରତ ଅତିକମ୍ରେ ଗୋଟିଏ ବିଜୟ ହାସଲ କରି ଶୃଙ୍ଖଳା ନିଜ ନାମରେ କରିପାରିବ। ଆସନ୍ତା ନଭେମ୍ବର ୧୩ ଓ ୧୫ ତାରିଖରେ ମାଉଣ୍ଟ ମୌଙ୍ଗନୁଇରେ ଖେଳାଯିବ ଶେଷ ଦୁଇଟି ମ୍ୟାଚ୍। ଏହି ଦୁଇ ମ୍ୟାଚ୍ରେ ଭାରତୀୟ ଦଳର ଦାୟିତ୍ୱ ସମ୍ଭାଳିବେ ଶ୍ରେୟସ ଆୟର। ଟେଷ୍ଟ୍ ଶୃଙ୍ଖଳା ପାଇଁ ପ୍ରସ୍ତୁତି ଉଦ୍ଦେଶ୍ୟରେ ଶୁବମନ ଗିଲ୍ ଓ କେଏଲ୍ ରାହୁଲଙ୍କ ସମେତ କିଛି ପ୍ରମୁଖ ଖେଳାଳି ଦିନିକିଆ ଦଳରୁ ବାଦ୍ ପଡ଼ିବେ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ପାଇଁ ଆଗାମୀ ଦୁଇଟି ମ୍ୟାଚ୍ କର ବା ମର ସଦୃଶ। ଉଭୟ ମ୍ୟାଚ୍ ଜିତି ଶୃଙ୍ଖଳାକୁ ୨-୨ରେ ବରାବର କରିବା ଘରୋଇ ଦଳର ମୁଖ୍ୟ ଲକ୍ଷ୍ୟ ରହିବ। ଉତ୍କଳ ନ୍ୟୁଜ