ସୁନା କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖବର। ନଭେମ୍ବରରେ କଣ ରହିବ ଦାମ ?

36

କଟକ (ଉତ୍କଳ ନ୍ୟୁଜ) ୫/୧୧/୨୦୨୬ : ଆଗାମୀ ଦିନରେ ସୁନା ମୂଲ୍ୟ ଆହୁରି ହ୍ରାସ ପାଇବ ନା ବୃଦ୍ଧି ହେବ, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି | ଗତ କିଛି ମାସ ଧରି ସୁନା ଦରରେ କ୍ରମାଗତ ହ୍ରାସ ଦେଖିବାକୁ ମିଳୁଛି। ଗୋଟିଏ ସମୟରେ ୧୦ ଗ୍ରାମ ସୁନାର ମୂଲ୍ୟ ୧.୭୫ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ବେଳେ ଏବେ ଏହା ପ୍ରାୟ ୧.୪୩ ଲକ୍ଷ ଟଙ୍କାକୁ ଖସିଆସିଛି। ବିବାହ ଋତୁ ଓ ଧନତେରସ ଭଳି ପର୍ବ ସମୟରେ ସୁନା ଦର କମିବା ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇଛି। ତେବେ ସୁନା ଦର ହ୍ରାସ ପଛରେ ଅନେକ ଅର୍ଥନୈତିକ କାରଣ ରହିଛି। ସେଥିମଧ୍ୟରୁ ଆମେରିକାର ସରକାରୀ ବଣ୍ଡ୍‌ରୁ ମିଳୁଥିବା ଅଧିକ ସୁଧ ହାର ଏକ ପ୍ରମୁଖ କାରଣ। ବଣ୍ଡ୍ ୟିଲ୍ଡ୍ ବୃଦ୍ଧି ପାଇଲେ ନିବେଶକମାନେ ସୁନା ବଦଳରେ ବଣ୍ଡ୍‌ରେ ନିବେଶ କରିବାକୁ ଆଗ୍ରହୀ ହୋଇପାରନ୍ତି। ଏହାର ପ୍ରଭାବ ସୁନାର ଚାହିଦା ଓ ମୂଲ୍ୟ ଉପରେ ପଡ଼ିଥାଏ। ସରଳ ଭାଷାରେ କହିଲେ, ବଣ୍ଡ୍ ହେଉଛି ଏକ ପ୍ରକାର ଋଣପତ୍ର।

ଯେତେବେଳେ କୌଣସି ସରକାର ଲୋକଙ୍କଠାରୁ ଟଙ୍କା ଋଣ ନିଏ, ସେତେବେଳେ ଏହା ବଦଳରେ ବଣ୍ଡ୍ ଜାରି କରେ। ଏହା କିଣିବା ଅର୍ଥ ହେଉଛି ସରକାରଙ୍କୁ ଋଣ ଦେବା। ଏହା ବଦଳରେ ନିର୍ଦ୍ଧାରିତ ସର୍ତ୍ତ ଅନୁଯାୟୀ ସୁଧ ମିଳିଥାଏ ଏବଂ ଅବଧି ଶେଷରେ ମୂଳ ଟଙ୍କା ଫେରସ୍ତ ମିଳେ। ବଣ୍ଡ୍‌ରୁ ମିଳୁଥିବା ରିଟର୍ଣ୍ଣ ବା ଲାଭର ହାରକୁ ବଣ୍ଡ୍ ୟିଲ୍ଡ୍ କୁହାଯାଏ |ସୁନା ଦର ଆଗକୁ କେଉଁ ଦିଗକୁ ଯିବ, ତାହା ଆମେରିକାର ସୁଧ ହାର, ଡଲାରର ମୂଲ୍ୟ, ବିଶ୍ୱ ଅର୍ଥନୈତିକ ସ୍ଥିତି ଓ ନିବେଶକଙ୍କ ଚାହିଦା ଉପରେ ନିର୍ଭର କରିବ। ତେଣୁ ସୁନା ଦର ଆହୁରି କମିବ ବୋଲି ନିଶ୍ଚିତ ଭାବେ କହିବା ସମ୍ଭବ ନୁହେଁ। ସୁନା କିଣିବା ପୂର୍ବରୁ ଗ୍ରାହକମାନେ ସ୍ଥାନୀୟ ବଜାର ଦର, ଶୁଦ୍ଧତା, ମେକିଂ ଚାର୍ଜ ଓ GST ବିଷୟରେ ଭଲ ଭାବେ ଜାଣିବା ଆବଶ୍ୟକ। ଉତ୍କଳ ନ୍ୟୁଜ