କଟକ ( ଉତ୍କଳ ନ୍ୟୁଜ ) ୧୩-୦୭-୨୦୨୬ : ବର୍ତ୍ତମାନର ଦୃତ ପରିବର୍ତ୍ତନଶୀଳ ବିଶ୍ବରେ, ଧାର୍ମିକ ବିବିଧତା ଜୀବନର ଏକ ସ୍ବାଭାବିକ ଅଂଶ । ଆମ ସମାଜରେ ବିଭିନ୍ନ ଧର୍ମବିଶ୍ଵାସ ଯଥା ହିନ୍ଦୁ, ଇସଲାମ, ଖ୍ରୀଷ୍ଟିଆନ, ବୌଦ୍ଧ, ଶିଖ୍, ଇହୁଦୀ ଧର୍ମକୁ ଅନୁସରଣ କରୁଥିବା ବ୍ୟକ୍ତିମାନେ ନିଜ ନିଜ ବିଶ୍ଵାସ, ଅଭ୍ୟାସ ଏବଂ ପରମ୍ପରାକୁ ପାଳନ କରନ୍ତି । ବାହ୍ୟସ୍ତରରେ ଏହି ଧର୍ମ ଗୁଡିକ ଭିନ୍ନ ଲାଗୁଥିଲେ ମଧ୍ୟ ସେମାନେ ଶାନ୍ତି, ପ୍ରେମ, ଏବଂ ଦୟାର ସାଧାରଣ ମୂଲ୍ୟବୋଧକୁ ଗୁରୁତ୍ବ ଦିଅନ୍ତି । କିନ୍ତୁ ବେଳେବେଳେ ଭୁଲ୍ ବୁଝାମଣା, ଜ୍ଞାନର ଅଭାବ ଏବଂ ରାଜନୀତିକରଣ ଯୋଗୁଁ ଧର୍ମ କ୍ଳେଶର କାରଣ ପାଲଟିଥାଏ । ଏହି ମୂହୁର୍ତ୍ତରେ ଅନ୍ତର୍ଧାର୍ମିକ ସଂଳାପ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଥାଏ । ଏହା ଆମକୁ ପରସ୍ପରକୁ ବୁଝି ଶାନ୍ତିରେ ଜୀବନଯାପନ କରିବାକୁ ସାହାଯ୍ୟ କରିଥାଏ । ଗୋଟିଏ ଧର୍ମକୁ ଅନ୍ୟ ଧର୍ମଠାରୁ ଭଲ ବୋଲି କହିବା ଏହାର ଉଦ୍ଦେଶ୍ୟ ନୁହେଁ ବରଂ ପରସ୍ପରକୁ ଶୁଣି ଓ ବୁଝି ପରସ୍ପରଠାରୁ ଶିକ୍ଷା ଲାଭ କରିବା ହେଉଛି ଏହାର ଉଦ୍ଦେଶ୍ୟ । ଧାର୍ମିକ ମତଭେଦ ବେଳେବେଳେ ଅବିଶ୍ଵାସ, ଘୃଣା ଏବଂ ହିଂସାର କାରଣ ହୋଇଯାଏ । ଅନେକ ସମୟରେ ସମାଜରେ ସାମ୍ପ୍ରଦାୟିକ ଦଙ୍ଗା, ସାମାଜିକ ଅସ୍ଥିରତା ଏବଂ ଘୃଣା ଦେଖୁବାକୁ ମିଳେ କାରଣ ଯେତେବେଳେ ଲୋକ ଅନ୍ୟ ଧର୍ମ ବିଷୟରେ ଜାଣି ନଥାନ୍ତି, ସେତେବେଳେ ଭୁଲ ତଥ୍ୟକୁ ବିଶ୍ଵାସ କରିବା କିମ୍ବା ଘୃଣା ଦ୍ବାରା ସହଜରେ ପ୍ରଭାବିତ ହୋଇଥାଆନ୍ତି । ଅନ୍ତର୍ଧାର୍ମିକ ଆଲୋଚନା ଏହି ଭୁଲ୍ ବୁଝାମଣାକୁ ଦୂର କରିବା ସହିତ ସମ୍ପ୍ରଦାୟ ମଧ୍ୟରେ ବନ୍ଧୁତା ଗଠନ କରିବା , ପରସ୍ପରର ବିଶ୍ଵାସ ଏବଂ ମୂଲ୍ୟବୋଧକୁ ବୁଝିବା ଏବଂ ଶିକ୍ଷା, ପରିବେଶ ଏବଂ ସାମାଜିକ ନ୍ୟାୟ ଭଳି ସାଧାରଣ ଲକ୍ଷ୍ୟ ଗୁଡିକୁ ମିଳିମିଶି ହାସଲ କରିବାରେ ସାହାଯ୍ୟ କରିଥାଏ । ଏହିପରି ପ୍ରୟାସ ଶାନ୍ତି ଏବଂ ଏକତାକୁ ପ୍ରୋତ୍ସାହିତ କରେ ଏବଂ ଅଜ୍ଞତା କିମ୍ବା ଭୟ ଦ୍ବାରା ହେଉଥିବା ହିଂସାକୁ ବନ୍ଦ କରାଇଥାଏ । ଅନ୍ତର୍ଧାର୍ମିକ ଆଲୋଚନାର ମୂଖ୍ୟ ଲାଭ ହେଉଛି, ବିଭିନ୍ନ ଧର୍ମ ମଧ୍ଯରେ ସମାନତାକୁ ଖୋଜି ବାହାର କରିବା । ପ୍ରାୟ ସମସ୍ତ ଧର୍ମ ଶାନ୍ତି, ଅହିଂସା, କରୁଣା ଦୟା, ସତ୍ୟ, ବଡମାନଙ୍କୁ ସମ୍ମାନ, ଗରିବଙ୍କ ପ୍ରତି ଯନ୍, କ୍ଷମା ଏବଂ ନମ୍ରତା ବିଷୟରେ ବାର୍ଭା ଦିଅନ୍ତି । ଉଦାହରଣ ସ୍ୱରୂପ, ହିନ୍ଦୁ ଧର୍ମ ବସୁଧୈବ କୁଟୁମ୍ବକମ୍ ଅର୍ଥାତ ସମଗ୍ର ବିଶ୍ବ ହେଉଛି ଏକ ପରିବାର, ଇସଲାମ ଧର୍ମ ରହମା ଅର୍ଥାତ୍ କରୁଣା ଏବଂ ସଲାମ୍ ଅର୍ଥ ଶାନ୍ତି ଉପରେ ଗୁରୁତ୍ବ ଦିଏ । ଖ୍ରୀଷ୍ଟିଆନ ଧର୍ମ ନିଜ ପଡୋଶୀଙ୍କୁ ନିଜପରି ଭଲପାଇବା ଶିଖାଏ, ବୌଦ୍ଧ ଧର୍ମ ଅହିଂସା ସଚେତନତାକୁ ପ୍ରୋତ୍ସାହିତ କରେ । ଶିଖ୍ ଧର୍ମ ସରବତ୍ ଦା ଭାଲା ଅର୍ଥାତ୍ ସମସ୍ତଙ୍କ ମଙ୍ଗଳ ଏବଂ ଜୈନ ଧର୍ମ ଅପରିଗ୍ରହ ଏବଂ ଶାନ୍ତିପୂର୍ଣ ସହାବସ୍ଥାନକୁ ଗୁରୁତ୍ବ ଦିଅନ୍ତି । ଯେତେବେଳେ ଲୋକମାନେ ପରସ୍ପର ସହିତ ଧାର୍ମିକ ଆଲୋଚନା କରନ୍ତି ସେମାନେ ଅନୁଭବ କରନ୍ତି ଯେ ସେମାନେ ଭିନ୍ନ ନୁହନ୍ତି ଯାହାଦ୍ଵାରା ପରସ୍ପର ମଧ୍ୟରେ ମାନବିକତା ବୃଦ୍ଧିପାଇଥାଏ ଓ ତାହା ହେଉଛି ସାମ୍ପ୍ରଦାୟିକ ସୌହାର୍ଘ୍ୟର ଭିଭିଭୂମି । ଅନ୍ତର୍ଧାର୍ମିକ ଆଲୋଚନାର ପରମ୍ପରାକୁ ବିସ୍ତାର କରିବା ସହଜ ନୁହେଁ । ସମାଜରେ ଏବେ ମଧ୍ୟ ଅନେକ ଅଜ୍ଞତା, ପକ୍ଷପାତ ଏବଂ ସନ୍ଦେହ ରହିଛି । କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠି ରାଜନୈତିକ ଲାଭପାଇଁ ଲୋକଙ୍କୁ ବିଭାଜନ କରିବା ପାଇଁ ଧର୍ମର ଅପପ୍ରଚାର କରନ୍ତି । ଅନ୍ୟପକ୍ଷରେ କିଛି ଲୋକ ବିଶ୍ଵାସ କରନ୍ତି ଯେ ଅନ୍ୟଧର୍ମ ବିଷୟରେ ଆଲୋଚନା କରିବା ସେମାନଙ୍କ ନିଜଧର୍ମର ବିଶ୍ବାସକୁ ଦୁର୍ବଳ କରିପାରେ । କିନ୍ତୁ ଆଲୋଚନାର ଅର୍ଥ ସବୁକିଛି ସହ ସହମତ ହେବାନୁହେଁ । ଏହାର ଅର୍ଥ ହେଉଛି ପାର୍ଥକ୍ୟ ରହିଥିଲେ ମଧ୍ୟ ପରସ୍ପରକୁ ସମ୍ମାନ କରିବା । ପ୍ରକୃତରେ ଧର୍ମ ଖୋଲା ଆଲୋଚନା, ନମ୍ରତା ଏବଂ କରୁଣାର ଶିକ୍ଷା ଦେଇଥାଏ । ଅନ୍ତର୍ଧାର୍ମିକ ଆଲୋଚନା କେବଳ ଧର୍ମ ବିଷୟରେ ନୁହେଁ, ଏହାର ଉଦ୍ଦେଶ୍ୟ ହେଉଛି ଏକ ଶାନ୍ତିପୂର୍ଣ ବିଶ୍ଵ ତିଆରି କରିବା ଯେଉଁଠାରେ ସମସ୍ତେ ସମ୍ମାନିତ ଏବଂ ସମାବେଶିତ ଅନୁଭବ କରିବେ । ଭୟ ଏବଂ ଘୃଣାକୁ ଦୂର କରିବା ପାଇଁ ଏହା ହେଉଛି ଏକ ଶକ୍ତିଶାଳୀ ମାର୍ଗ । ଯେତେବେଳେ ବିଭିନ୍ନ ବିଶ୍ଵାସର ଲୋକେ ଆଲୋଚନା କରନ୍ତି, ଶୁଣନ୍ତି ଏବଂ ଶିଖନ୍ତି ସେମାନେ ସମନ୍ବୟର ବୀଜ ବୁଣନ୍ତି ଯାହା ଆଗକୁ ଯାଇ ଶାନ୍ତି ଏବଂ ଏକତାର ଏକ ଶକ୍ତ ବୃକ୍ଷରେ ପରିଣତ ହୋଇଥାଏ । ଭାରତ ଭଳି ଏକ ବିବିଧ ଧର୍ମାବଲମ୍ବୀ ଦେଶ ଏବଂ କ୍ରମଶଃ ଅଧିକ ସଂଯୁକ୍ତ ହେଉଥିବା ବିଶ୍ବରେ ଅନ୍ତର୍ଧାର୍ମିକ ଆଲୋଚନା ଏକ ଚୟନ ନୁହେଁ ବରଂ ଏକ ଆବଶ୍ୟକତା ଅଟେ ।(ବଳ ବା ଶକ୍ତି ପ୍ରୟୋଗ କରି ଶାନ୍ତି ରକ୍ଷା କରାଯାଇପାରିବ ନାହିଁ, ଏହାକୁ କେବଳ ବୁଝାମଣା ଦ୍ବାରା ହାସଲ କରାଯାଇପାରିବ : ଆଲବର୍ଟ ଆଇନଷ୍ଟାଇନ୍) ଅଲତାଫ୍ ମିର୍, (ପିଏଚ୍ ଡି ଜାମିଆ ମିଲିଆ ଇସଲାମିଆ)