କଟକ,( ଉତ୍କଳ ନ୍ୟୁଜ ) ୧୬-୦୪-୨୦୨୬ : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ,ଓରମାସ (ORMAS),କଟକ ଦ୍ଵାରା ନେତାଜୀ ବସ ଟର୍ମିନାଲ (CNBT), ଠାରେ ପ୍ରଥମ ମହଲାରେ ଅବସ୍ଥିତ “ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର – ଦ ଭିଲେଜ ଷ୍ଟୋର” ରେ ପେପର ଏମ୍ବ୍ରୋଡାରୀ ବିଷୟରେ ଦୁଇଦିନିଆ ପ୍ରାୟୋଗିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପେପର ଏମ୍ବ୍ରୋଡାରୀ ଏକ ସୂକ୍ଷ୍ମ ଓ ସୃଜନଶୀଳ ହସ୍ତଶିଳ୍ପ , ଯେଉଁଥିରେ କାଗଜ ଉପରେ ଛୁଞ୍ଚି ଓ ସୁତା ଦ୍ୱାରା ନାନାପ୍ରକାର ଆକର୍ଷଣୀୟ ଡିଜାଇନ ସିଲାଇ କରାଯାଏ । ଏହି କଳାରେ ଫୁଲ, ପତ୍ର, ପାରମ୍ପରିକ ଅଳଙ୍କାର, ଜ୍ୟାମିତିକ ଆକୃତି ଓ ଆଧୁନିକ ଡିଜାଇନ ଆଦି ସୁନ୍ଦର ଭାବେ ପ୍ରକାଶ ପାଏ । ଏହା ମାଧ୍ୟମରେ ୱାଲ ହ୍ୟାଙ୍ଗିଂ, ଉପହାର ସାମଗ୍ରୀ, ଫାଇଲ୍ କଭର ଭଳି ଅନ୍ୟାନ୍ୟ ଘର ସଜେଇବା ସାମଗ୍ରୀ ମଧ୍ୟ ତିଆରି କରାଯାଇପାରେ ଯାହା ବର୍ତ୍ତମାନ ସମୟରେ ବହୁଳ ଭାବେ ବ୍ୟବହାର କରାଯାଉଛି । ଏହି ୨ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପେପର ଏମ୍ବ୍ରୋଡାରୀର ବିଭିନ୍ନ ପ୍ରକାର କାମ ମଧ୍ୟରେ ସ୍ଟ୍ରେଟ୍ ସ୍ଟିଚ୍, କ୍ରସ୍ ସ୍ଟିଚ୍, ଚେନ୍ ସ୍ଟିଚ୍, ଫିଲିଂ ସ୍ଟିଚ୍ ଓ ବିଭିନ୍ନ ଡେକୋରେଟିଭ୍ ପ୍ୟାଟର୍ନ ସହିତ ବଜାର ଉପଯୋଗୀ ଉତ୍ପାଦ ତିଆରି କରିବା ବିଷୟରେ ପ୍ରାୟୋଗିକ ଶିକ୍ଷା ପ୍ରଦାନ କରାଯାଇଥିଲା । ଏହି କଳାରେ ରଙ୍ଗ ଓ ଡିଜାଇନର ସମନ୍ୱୟ ଦ୍ୱାରା ଅତ୍ୟନ୍ତ ଆକର୍ଷଣୀୟ ଏବଂ ବଜାର ଉପଯୋଗୀ ପଣ୍ୟ ତିଆରି କରାଯାଇପାରେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରେଭେନସା ବିଶ୍ଵବିଦ୍ୟାଳୟର ବିବିଏ ବିଭାଗର ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।

ଦକ୍ଷ ପ୍ରଶିକ୍ଷକମାନେ ଉପସ୍ଥିତ ରହି ଏହି କୌଶଳର ଗୁରୁତ୍ଵ ଓ ଏହା ମାଧ୍ୟମରେ ସ୍ଵୟଂରୋଜଗାର ସୃଷ୍ଟି କରିବାର ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ । ପେପର ଏମ୍ବ୍ରୋଡାରୀ ଭଳି ପାରମ୍ପରିକ ହସ୍ତଶିଳ୍ପକୁ ପ୍ରୋତ୍ସାହନ ଦେଇ ଯୁବକ ଯୁବତୀମାନଙ୍କ ମଧ୍ୟରେ ସ୍ୱାବଲମ୍ବନର ମନୋଭାବ ଜଗାଇବା ଏବଂ ହସ୍ତନିର୍ମିତ ପଣ୍ୟର ପ୍ରଚାର କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଓରମାସ ଯୁଗ୍ମ କାର୍ଯ୍ୟ ନିର୍ବାହୀ, ଶ୍ରୀ ବିପିନ ରାଉତ କହିଛନ୍ତି । ଏପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗ୍ରାମୀଣ ମହିଳା ଓ ଯୁବପିଢିଙ୍କୁ ଆତ୍ମନିର୍ଭରତା ଓ ଆର୍ଥିକ ସଶକ୍ତିକରଣର ନୂତନ ସୁଯୋଗ ପ୍ରଦାନ କରିବା ବୋଲି ଶ୍ରୀ ରାଉତ ମତ ପ୍ରକାଶ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଆଗାମୀ ଦିନରେ ପଟ୍ଟଚିତ୍ର ଓ ବାଲୁକା କଳା ଉପରେ ପ୍ରଶିକ୍ଷଣ ଦିଆଯିବ ।