ତିହିଡି ସଦର ବଜାରରୁ ବିପୁଳ ପରିମାଣରେ ବାଣ ଜବତ, ଅଭିଯୁକ୍ତ ଚମ୍ପଟ୍‌ |

6

କଟକ ( ଉତ୍କଳ ନ୍ୟୁଜ ) ୧୫-୦୪ -୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ସଦର ବଜାର ତଥା ଥାନାଠାରୁ ମାତ୍ର କେଇ ମିଟର ଦୂରରେ ଚାଲିଥିଲା ବେଆଇନ୍ ବାଣ କାରବାର । ପୁଲିସି ଆଖିରେ ଧୂଳି ଦେଇ ତଥା ପୁଟୁଳିବଣିଆ ଦୋକାନକୁ ଢାଲ କରି ଏପରି ବେପାର ଚାଲୁଥିବା ଜଣାଯାଇଛି । ତେବେ ପୁଲିସି ପଞ୍ଝାରେ କଳା କାରନାମା ଆଜି ଧରା ପଡିଛି ହେଲେ ଅଭିଯୁକ୍ତ ଚମ୍ପଟ୍ ମାରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ବର୍ଷେ ତଳେ ତିହିଡି ଥାନାଧିନ କାଁପଡା ପଞ୍ଚାୟତରେ ରାଜନୈତିକ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା ଏବଂ ସେଠାରେ ହାତ ବୋମା ବ୍ୟବହାର କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା । ସେହିପରିଭାବେ ଗତ କିଛିଦିନ ତଳେ ବାଂଶଡା ଥାନାଧିନ ଖଦାଳପୋଖରୀ ଗାଁରେ ହାତ ବୋମା ମାଡ ହୋଇଥିଲା ଏବଂ ଅଫୁଟା ବୋମାକୁ ପୋଲିସ ନିଷ୍କ୍ରିୟ କରିଥିଲା । ତେବେ ଅଭିଯୁକ୍ତ ଗିରଫ୍ ହେବାପରେ ସତ କଣ ଜଣା ପଡିଥିଲା । ବାଣ ବେପାରୀ ତିହିଡି ଥାନାଧିନ ଡାକ୍ତର ମହାନ୍ତିଙ୍କ ଠାରୁ ସେଗୁଡିକ କିଣା ଯାଇଥିବା ପୋଲିସ ଜାଣିବାକୁ ମଧ୍ୟ ପାଇଥିଲା । ଏହି ମର୍ମରେ ତିିହିଡି ପୋଲିସ ଖୋଳତାଡ ଆରମ୍ଭ କରଥିଲା । ତିହିଡି ସଦର ବଜାରସ୍ଥିତ ଏକ ମାର୍କେଟ କମ୍ପେ୍ଲକ୍ସର ଉପରତାଲାରେ ଥିବା ଏକ ପୁଟୁଳି ବଣିଆ ଦୋକାନ ଉପରେ ଆଇଆଇସି ଲୋପାମୁଦ୍ରା ନାୟକ ସଦଳବଳେ ପହଂଚି ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ସଂପୃକ୍ତ ଦୋକାନରୁ ପୋଲିସ ବିପୁଳ ପରିମାଣରେ ବାଣ ଓ ବାଣ ତିଆରି ସରଞ୍ଜାମ ଜବତ କରିଛି । ଦୋକାନୀ ଡାକ୍ତର ମହାନ୍ତିଙ୍କ ନାଁରେ ୧୧୯/୨୬ରେ ଏକ ମକଦ୍ଦମା ରୁଜୁ ହୋଇଛି । ତେବେ ଚଢ଼ାଉ ପୂର୍ବରୁ ଅଭିଯୁକ୍ତ ସେଠାରୁ ଖସି ପଳାଇ ଥିବାବେଳେ ପୋଲିସ ତାଙ୍କ ଗାଁ କାଳୀମେଘା ଗ୍ରାମସ୍ଥିତ ଘରେ ମଧ୍ୟ ଚଢ଼ାଉ କରିଥିଲା । ନୂତନ ଭାବେ ଯୋଗଦାନ କରିଥିବା ଆଇଆଇସି ଲୋପାମୁଦ୍ରା ନାୟକଙ୍କ ଏତାଦୃଶ କାର୍ଯ୍ୟ ବେଶ ଚର୍ଚ୍ଚାର ବିଷୟ ସାଜିଛି । ଦୁଇଦିନ ତଳେ ସରକାରୀ ସୀକୃତିପ୍ରାପ୍ତ ଭାଙ୍ଗ ଦୋକାନରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ୍ କରାଯାଇଥିବା ବେଳେ ପୁଟୁଳିବଣିଆ ଦୋକାନରୁ ବେଆଇନ୍ ବାଣ କାରବାର ଠାବ୍ କରାଯିବା ଆଇଆଇସିଙ୍କ ପରାକାଷ୍ଠାର ପ୍ରମାଣ ମିଳୁଛି । ତିହିଡିରୁ ସଞ୍ଜୟ ଦାସଙ୍କ ରପୋର୍ଟ ଉତ୍କଳ ନ୍ୟୁଜ |