ମା ଖରାଖାଇଙ୍କ ବାର୍ଷିକ ଉତ୍ସବ, ୫୦ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ |

7

କଟକ (ଉତ୍କଳ ନ୍ୟୁଜ ) ୧୪-୦୪-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମଙ୍ଗଳପୁର, ସିନ୍ଦୋଳ, ଦୌଲତପୁର ଓ ସାହାପୁର ଗ୍ରାମ ପଞ୍ଚାୟତର ମଧ୍ୟମ ସ୍ଥଳରେ ଖୋଲାମେଲାରେ ପୂଜା ପାଉଥିବା ମା ଖରାଖାଇଙ୍କ ବାର୍ଷିକ ଉତ୍ସବ ପଣା ସଂକ୍ରାନ୍ତୀ ଦିନ ଠାରୁ ଆରମ୍ଭ ହୋଇଛି । ଏହା ତିନିଦିନ ଧରି ଚାଲିବ । ପଣା ସଂକ୍ରାନ୍ତୀରେ ଦିନତମାମ ୫୦ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ପରିସରକୁ ଅଧିକ ଆକର୍ଷିତ କରିଥିଲା । ବରଷକ ଥରେ ପଣା ସଂକ୍ରାନ୍ତୀରେ ଏହି ପୂଜା ଉତ୍ସବକୁ ଅଂଚଳବାସୀ ବେଶ ଧୂମଧାମରେ ପାଳନ କରିଥା’ନ୍ତି । ମା ଙ୍କ ମହିମା ଅପାର, ଯିଏ ଯାହା ମାନସିକ କରିଛି ତାହା ପୂରଣ ହେଉଥିବାର ବହୁ ଉଦାହରଣ ରହିଛି । ଲୋକକଥା ଅନୁଯାଇ, କେଉଁ ଆବାହମାନ କାଳରୁ ବିନ୍ଧା ବଜାର-ସାନଲହୁଣୀପାଳ ରାସ୍ତା ବାମ ପାଶ୍ୱର୍ରେ ମା ପ୍ରତ୍ୟକ୍ଷଭାବେ ବିରାଜମାନ ହୋଇଛନ୍ତି । ଆନୁଷ୍ଠାନିକ ଦେବୀଙ୍କୁ ଗତ ୨୦୦୪ ମସିହାରେ ଏକ ଗଛ ମୂଳେ ଅବସ୍ଥାପିତ କରା ଯାଇଛି । ମା ଙ୍କ ଉପରେ ଛାତ ପଡିନଥିଲେ ମଧ୍ୟ ପାଚେରୀ ନିର୍ମାଣ କରାଯାଇ ଦୈନିକ ପୂଜାର୍ଚ୍ଚନା କରା ଯାଉଛି । କୁହାଯାଏ, ସପ୍ତସତୀ ଚଣ୍ଡିଙ୍କ ମଧ୍ୟରୁ ମା ଖରାଖାଇ ଏକ ସ୍ୱତନ୍ତ୍ର ଶକ୍ତି । ଅପୂର୍ବ ଶକ୍ତିମୟୀ ମା ସର୍ବଦା ଭକ୍ତଙ୍କ ମନବାଞ୍ଝା ପୂରଣ କରିଥାନ୍ତି । ଏହି ଅଂଚଳର ସାକ୍ଷାତ ଦେବୀଭାବେ ଶାନ୍ତି ଶୃଙ୍ଖଳା ବଜାୟ ରହିବା ଏହି ମା’ଙ୍କ ଉପରେ ନିର୍ଭର କରିଥାଏ । ସପ୍ତସତୀ ମହାଚଣ୍ଡିର ପ୍ରମାଣ ଅନୁସାରେ ଏହି ମା’ହେଉଛନ୍ତି କୃଷ୍ଣ ବିଧବା ଜଣେ ନାରୀ । ଏହି ମା ସର୍ବଦା ଖରାରେ ରହୁଥିବାରୁ ତାଙ୍କର ନାମ ଏପରି ମା ଖରାଖାଇ ହୋଇଥିବା ମଧ୍ୟ କୁହା ଯାଉଛି । ଲୋକଙ୍କ ଅଗାଧ ବିଶ୍ୱାସ ରହିଛି ଏହି ମା ଙ୍କ ଉପରେ ଯେଉଁଥିପାଇଁ ପଣା ସଂକ୍ରାନ୍ତୀରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥାଏ । ଶାନ୍ତି ଶୃଙ୍ଖଳା ସହ ମା ଙ୍କ ଦର୍ଶନ ନିମନ୍ତେ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସମସ୍ତ ଖର୍ଚ୍ଚ ମାଗଣ କରାଯାଇ କରାଯାଇଥାଏ, କେଉଁଠୁ ଏତେ ଅର୍ଥ ଆସେ ଆଉ ହଜାର ହଜାର ଶ୍ରଦ୍ଧାଳୁ କେମିତି ପ୍ରସାଦ ସେବନ କରନ୍ତି ତାହା କହିବା ବାହୁଲ୍ୟ ବୋଲି କମିଟି ପକ୍ଷରୁ ଶୁଣିବାକୁ ମିଳେ । ଋତିନୀତି ଅନୁଯାଇ ପୂଜାର୍ଚ୍ଚନା ସହିତ ଚଣ୍ଡିପାଠ ଓ ପ୍ରସାଦ ସେବନ କରା ଯାଇଥାଏ । ଏଥିସହ ଭକ୍ତଙ୍କ ମନୋରଞ୍ଜନ ଲାଗି ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ମା ଙ୍କ ସେବକ ୠଗନ ବାରିକ ଓ ଚଣ୍ଡିର କର୍ତ୍ତାଭାବେ ମଧୁସୂଦନ ଦାସ ଓ ବେଦପଣ୍ଡିତ ପୂଜାକାର୍ଯ୍ୟ ତୁଲାଉ ଥିବାବେଳେ କମିଟିର ସନାତନ ସାହୁ, ମୁରଲୀ ସାହୁ, ଚକ୍ରଧର ଦାସ, ଖଗେଶ୍ୱର ସେଠୀ, ମୋହିନୀ ମୋହନ ବେହେରା, ବୁଦ୍ଧିରାମ ସେଠୀ, ପଞ୍ଚାନନ ଦାସ, ଅଜୟ ବେହେରା, ଶ୍ରୀଧର ସାହୁ, ଶୁସାନ୍ତ ବଳ, ଶରତ ଦାସ, ଯଶୋବନ୍ତ ବଳ, ବଟକୃଷ୍ଣ ବେହେରା, ବାବୁଲୀ ଜେନା, ଅମର ବେହେରା, ଶିବପ୍ରସାଦ ବଳ, ବିଜୟ ମହାଳିକ, ବାଦଲ ବେହେରା, ଭାନୁ ମହାଳିକ, ଶିବପ୍ରସାଦ ଦାସ, ବାବାଜୀ ଜେନା, ଗୟାଧର ବେହେରା, ଶ୍ରୀକାନ୍ତ ପରିଡା ଓ ରଘୁନାଥ ଦାସ ପ୍ରମୁଖ ପରିଚାଳନା କରୁଛନ୍ତି । ମା’ଙ୍କ ଉତ୍ସବ ଅବସରରେ ଏକ ବିଶାଳ ମେଳା ଅନୁଷ୍ଠିତ ହୋଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |