କଟକ ( ଉତ୍କଳ ନ୍ୟୁଜ ) ୯-୦୪-୨୦୨୬: ଗ୍ରାମୀଣ ହସ୍ତଶିଳ୍ପ ଓ ପାରମ୍ପରିକ କୌଶଳ ପ୍ରତି ଯୁବପିଢିଙ୍କ ଆଗ୍ରହ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଅଧୀନସ୍ଥ ORMAS, କଟକ ଦ୍ୱାରା ଦୁଇଦିନିଆ ମାକ୍ରାମେ (Macrame) ହସ୍ତଶିଳ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମାକ୍ରମେ ହେଉଛି ଏକ ପାରମ୍ପରିକ ହସ୍ତଶିଳ୍ପ , ଏଥିରେ ସୂତା କିମ୍ବା ରସିକୁ ବିଭିନ୍ନ ପ୍ରକାରର ଗାଠି ପକାଇ ସୁନ୍ଦର ଆଳଙ୍କାରିକ ବସ୍ତୁ ପ୍ରସ୍ତୁତ କରାଯାଏ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ୱବିଦ୍ୟାଳୟର MBA ବିଭାଗର ୩୦ ଜଣ ଛାତ୍ରଛାତ୍ରୀ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ପ୍ରଶିକ୍ଷଣ ସମୟରେ ଅଂଶଗ୍ରହଣକାରୀମାନେ ମାକ୍ରାମେ ହସ୍ତଶିଳ୍ପର ମୌଳିକ ଗାଠି ପ୍ରଣାଳୀ, ଡିଜାଇନ୍ ପ୍ରସ୍ତୁତି, ଉତ୍ପାଦ ବିକାଶ ଓ ବଜାର ସମ୍ଭାବନା ସମ୍ପର୍କରେ ପ୍ରାୟୋଗିକ ଜ୍ଞାନ ଆହରଣ କରିଥିଲେ । ଏହା ସହିତ ହସ୍ତଶିଳ୍ପ ଉତ୍ପାଦର ମୂଲ୍ୟ ବୃଦ୍ଧି, ବ୍ରାଣ୍ଡିଂ ଓ ବଜାରୀକରଣ ବିଷୟରେ ମଧ୍ୟ ତାଙ୍କୁ ଅବଗତ କରାଯାଇଥିଲା । ଏହି ପ୍ରଶିକ୍ଷଣ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଗ୍ରାମୀଣ ଶିଳ୍ପୀମାନଙ୍କ କୌଶଳ ଓ ହସ୍ତଶିଳ୍ପ ଉତ୍ପାଦର ବ୍ୟବସାୟିକ ସମ୍ଭାବନା ସମ୍ପର୍କରେ ନିକଟରୁ ଅନୁଭବ ଅର୍ଜନ କରିଥିଲେ । ଏହା ତାଙ୍କର ପାରମ୍ପରିକ ଶିଳ୍ପ ପ୍ରତି ଆଗ୍ରହ ବୃଦ୍ଧି ସହିତ ଗ୍ରାମୀଣ ଉଦ୍ୟମିତା ବିକାଶ ପ୍ରତି ସଚେତନତା ସୃଷ୍ଟି କରିଛି ବୋଲି ବିପିନ ରାଉତ, ଯୁଗ୍ମ କାର୍ଯ୍ୟ ନିର୍ବାହୀ, ଓରମାସ କହିଛନ୍ତି ।

ଶେଷରେ ସୂଚନା ଓ ଲୋକସମ୍ପର୍କ କେନ୍ଦ୍ରାଞ୍ଚଳ ଉପନିର୍ଦେଶକ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ, କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଙ୍କ ସମେତ ଓ ଚିତ୍ତରଞ୍ଜନ ପଟ୍ଟନାୟକ, ଉପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଓରମାସ, ଶିକ୍ଷାର୍ଥୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ପ୍ରଶିକ୍ଷଣ ଶେଷରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଓରମାସ (ORMAS) ପକ୍ଷରୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢିଙ୍କୁ ଗ୍ରାମୀଣ ହସ୍ତଶିଳ୍ପ ଓ ଉଦ୍ୟମିତା ସହ ଯୋଡିବାରେ ORMAS ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛି ।