କଟକ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ |

29

କଟକ ( ଉତ୍କଳ ନ୍ୟୁଜ ) ୦୯-୦୪-୨୦୨୬ : କଟକ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଳଜିତ୍ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗତ ବୈଠକରେ ସଡକ ସୁରକ୍ଷା ନିମନ୍ତେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟାନୁଷ୍ଠାନର ନିଷ୍ପତ୍ତି ଅନୁଯାୟୀ ଅଗ୍ରଗତି ଏବଂ ନୂତନ ଅସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଶ୍ଵଜିତ ଦାଶ କାର୍ଯ୍ୟସୂଚୀ ଅନୁଯାୟୀ ବୈଠକ ପରିଚାଳନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଳଜିତ୍ ଦାସ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଧାର୍ଯ୍ୟ କାର୍ଯ୍ୟାନୁଷ୍ଠାନ ଅନୁପାଳନ ଉପରେ ବିବୃତି ରଖିବାକୁ କହିବା ସହ ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟ ଗୁଡିକ ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଦିଗରେ ନିର୍ଦେଶ ଦେଇଥିଲେ । ଇତି ମଧ୍ୟରେ ମଙ୍ଗୁଳି ଠାରେ ଦୁର୍ଘଟଣା ଏଡାଇବାକୁ କ୍ରାସ୍ ବ୍ୟାରିଅର ପରିବର୍ତ୍ତେ କଣ୍ଟା ଜାତୀୟ ଫୁଲ ଗଛ ଲଗାଇବା କାର୍ଯ୍ୟ ସମ୍ପନ୍ନ ହେବାନେଇ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧିକାରୀ ସୂଚନା ଦେଇଥିଲେ । ବାଲିଘାଟରୁ ବାଲି ପରିବହନ ସମୟରେ ରାସ୍ତାରେ ପଡୁଥିବା ବାଲିକୁ ନିୟମିତ ଭାବେ ସଫା କରିବାକୁ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ଖଣି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ହୋଇଥିବା ଉଚ୍ଛେଦ ସ୍ଥାନରେ ପୁନର୍ବାର ଜବରଦଖଲ ନେଇ ନିୟମିତଭାବେ ସମୀକ୍ଷା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ରାସ୍ତା ଅବରୋଧ କରୁଥିବା ବ୍ୟବସାୟୀଙ୍କୁ ଅପସାରଣ କରି ଦୁର୍ଘଟଣାକୁ ଆହୁରି ହ୍ରାସ କରାଯାଇପାରିବ ବୋଲି ମତପ୍ରକାଶ ପାଇଥିଲା । “ନୋ ପାର୍କିଂ” ଫଳକ ଲାଗିଥିବା ସ୍ଥାନରେ ଅବୈଧ ଭାବେ ପାର୍କିଂ କରୁଥିବା ଯାନବାହାନ ଗୁଡିକୁ ନିୟମିତ ଭାବେ ଚଢାଉ କରିବା ଏବଂ ଅମାନିଆ ଗାଡିଚାଳକ ,ମଦ୍ୟପାନ କରି ଗାଡିଚଳାଉଥିବା ଚାଳକମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରପ୍ରାପ୍ତ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସୂଚନାଥାଉକି ନୂତନଭାବେ ୧୪ଟି “ନୋ ପାର୍କିଂ” ଫଳକ ଜିଲ୍ଲାର ଆବଶ୍ୟକୀୟ ସ୍ଥାନରେ ଲଗାଯାଇଛି । ପୂର୍ବରୁ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ବିଭିନ୍ନ ସମୟରେ ହେଉଥିବା ଚଢାଉକୁ ଆହୁରି କଡାକଡି କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା । ଏଥିସହ ରାସ୍ତା ନିକଟବର୍ତ୍ତୀ ଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକରେ ନିର୍ଦ୍ଦିଷ୍ଟ ଭାବେ ଶିକ୍ଷକ ମାନଙ୍କୁ ବିଦ୍ୟାଳୟ ଖୋଲିବା ଓ ବନ୍ଦ ସମୟରେ ନିଯୁକ୍ତ କରିବାକୁ ଉପସ୍ଥିତ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ସଡକ ଦୁର୍ଘଟଣା ଅପେକ୍ଷାକୃତ ଭାବେ ହ୍ରାସ ପାଇଛି । ସେହିପରି ନିୟମ ଭଙ୍ଗକାରୀ ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ପୂର୍ବବର୍ଷ ଜାନୁୟାରୀ ରୁ ମାର୍ଚ୍ଚ ମଧ୍ୟରେ ୭୩୫ ଥିବାବେଳେ ଚଳିତବର୍ଷ ୮୩୦ କୁ ବୃଦ୍ଧିପାଇଛି । ବୈଠକରେ ଆଞ୍ଚଳିକ ପରିବହନ ବିଭାଗ ତରଫରୁ “ ଗୁଡ ସମରୀଟାନ୍” ଭାବେ ଶ୍ରୀ ସୌମିତ୍ରି ଦାଶଙ୍କୁ ୪୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ବୈଠକରେ କଟକ ଜିଲ୍ଲା ବସ ମାଲିକ ସଂଘ ଏବଂ ଟ୍ରକ ମାଲିକ ସଂଘର କର୍ମକର୍ତ୍ତାମାନେ ଭାଗନେଇ ଆଲୋଚନାରେ ଅଂଶଗ୍ରହଣ ପୂର୍ବକ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ନିଜ ମଧ୍ୟରେ ସମନ୍ଵୟ ରକ୍ଷା ପୂର୍ବକ ବୈଠକରେ ନିଆଯାଉଥିବା ନିଷ୍ପତ୍ତି ଗୁଡିକୁ ତ୍ଵରିତ କାର୍ଯ୍ୟକାରୀ କରିବା ଦିଗରେ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଉପଆୟୁକ୍ତ ପୁଲିସ କମିଶନରେଟ୍ ଶ୍ରୀ ଅମରେନ୍ଦ୍ର ପଣ୍ଡାଙ୍କ ସମେତ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ, ସଂପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।