ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ |

31

କଟକ ( ଉତ୍କଳ ନ୍ୟୁଜ ) ୪-୦୪-୨୦୨୬ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସାରା ଓଡ଼ିଶାରେ ପାଳିତ ହେଉଥିବା ‘ଓଡ଼ିଆ ପକ୍ଷ-୨୦୨୬’ ଅବସରରେ ଆଜି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ “ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ” ସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳେ ଏହି ପଦଯାତ୍ରା ପ୍ରଭାଗୀୟ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ରୁ ଆରମ୍ଭ ହୋଇ ପଞ୍ଚମୁଖୀ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । କଟକ ସଦର ମାନ୍ୟବର ବିଧାୟକ ଇଞ୍ଜିନିୟର ପ୍ରକାଶ ସେଠୀ ପତାକା ଦେଖାଇ ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ତଥା ଓଡ଼ିଶା ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ (ସଂଶୋଧନ) ଅଧିନିୟମ ଅନୁଯାୟୀ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମ ଫଳକ ଲଗାଇବା ପାଇଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ହରପ୍ରିୟା ନାୟକ, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ପ୍ରୀତିବନ୍ଧନ ଘଡେଇ, ସମସ୍ତ ସହକାରୀ ଶ୍ରମ ଅଧିକାରୀ, କାର୍ଯ୍ୟାଳୟ ର କର୍ମଚାରୀବୃନ୍ଦ, ଟ୍ରେଡ୍ ୟୁନିଅନ୍ ନେତାମାନେ, ବ୍ୟବସାୟୀ ସଂଘର ସଦସ୍ୟମାନେ ଏବଂ ଶ୍ରମିକମାନେ ଉପସ୍ଥିତ ଥିଲେ। ଏହି ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରେରଣ କରିଥିଲା। ଓଡ଼ିଆ ଭାଷା ଏକ ପ୍ରାଚୀନ ଓ ସମୃଦ୍ଧ ଭାଷା । ଆମ ଓଡ଼ିଆ ଭାଷାର ଆହୁରି ଅଧିକ ପ୍ରଚାର ପ୍ରସାର ପାଇଁ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ନିଜ ନିଜର ଦୋକାନର ନାମଫଳକ ଓଡିଆରେ ଲେଖିବା ପାଇଁ ଅନୁରୋଧ କରାଯାଇଥଲା।