କଟକ ( ଉତ୍କଳ ନ୍ୟୁଜ ) ୩୧-୦୩-୨୦୨୬ : ଜିଲ୍ଲାରେ ଏଲପିଜି ସିଲିଣ୍ଡର କଳାବଜାରୀକୁ ରୋକିବା ଓ ସାଧାରଣ ଲୋକଙ୍କୁ ରନ୍ଧନ ଗ୍ୟାସ ଉପଲବ୍ଧ କରାଇବା ନିମନ୍ତେ ଜିଲ୍ଲାପାଳ ଓ ଜିଲ୍ଲାମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନସିଂ ଜରିଆରେ ବରିଷ୍ଠ ସଂମ୍ପୃକ୍ତ ଅଧିକାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ, ହସ୍ପିଟାଲ ଓ ଅଙ୍ଗନବାଡି କେନ୍ଦ୍ରରେ ଗ୍ୟାସ ଅଭାବ ଯୋଗୁ କୌଣସି ପ୍ରକାର ଅସୁବିଧା ସୃଷ୍ଟି ହୋଇନାହିଁ ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୂଚନା ପ୍ରଦାନ କରିଥିଲେ । ଘରୋଇ ଉପଭୋକ୍ତାଙ୍କ ସମେତ ବାଣିଜିକ ପ୍ରତିଷ୍ଠାନ, ହୋଟେଲ, ରେଷ୍ଟୁରାଣ୍ଟ ଗୁଡିକୁ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ଯୋଗାଇ ଦେବାକୁ ବୈଠକରେ ଆଲୋଚନା କରାଯାଇଥିଲା । ଏଥିସହ ବାଣିଜିକ ପ୍ରତିଷ୍ଠାନ, ହୋଟେଲ, ରେଷ୍ଟୁରାଣ୍ଟ ଗୁଡିକୁ ବାଧ୍ୟତାମୂଳକ ଭାବେ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ସଂଯୋଗ ନେବାକୁ ଜିଲ୍ଲାପାଳ ମତପ୍ରକାଶ କରିଥିଲେ । ଗ୍ୟାସ ଅଥରିଟି ଅଫ ଇଣ୍ଡିଆ ଲିମିଟେଡକୁ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ସଂଯୋଗୀକରଣ ନେଇ ଉପଭୋକ୍ତା ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଗ୍ୟାସ କଳାବଜାରୀ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଏହିପରି କାର୍ଯ୍ୟକଳାପ ଉପରେ ତୀକ୍ଷଣ ନଜର ରଖିବାକୁ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିୟମିତଭାବେ ବିଭିନ୍ନ ସ୍ଥାନରେ ଚଢାଉ କରି ଆଇନ ଅନୁଯାୟୀ କଠୋର ପଦକ୍ଷେପ ନେବାକୁ ଉପସ୍ଥିତ ପୁଲିସ ଅଧିକାରୀଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ଭାବେ ନଜର ରଖି କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପରିସ୍ଥିତିରେ ଜନ ସାଧାରଣ ଯେପରି ଏଲ ପି ଜି ପାଇବାରୁ ବଞ୍ଚିତ ନ ହୋଇ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ସେ ଦିଗରେ ସତର୍କତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍କ୍ଵାଡ ସିଡିଏ ସମେତ କଟକ ସହରର ବିଭିନ୍ନ ଅଞ୍ଚଳରୁ ସମୁଦାୟ ୧୦୨ ଟି ଏଲପିଜି ସିଲିଣ୍ଡର ଜବତ କରିଛି ।