ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ, ନୃତ୍ୟ ସଂଗୀତରେ ରାମମୟ ହେଲା ତିହିଡି |

43

କଟକ ( ଉତ୍କଳ ନ୍ୟୁଜ ) ୩୦-୦୩-୨୦୨୬: ଶ୍ରୀରାମ ନବମୀର ପରଦିନ ଭଦ୍ରକ ଜିଲ୍ଲା ତିହିଡିରେ ପାଳିତ ହୋଇଛି ବିଜୟା ଦଶମୀ ମହୋତ୍ସବ । ସଂଧ୍ୟାର ପ୍ରଜ୍ଞାପନ ମେଢଗୁଡିକର ବର୍ଣ୍ଣାଢ୍ୟ ଶୋଭାଯାତ୍ରା ବାହାରିଥିଲା । ଯାହା ଶନିବାର ରାତିସାରା ଚାଲି ରବିବାର ସକାଳେ ହିଁ ଶେଷ ହୋଇଥିଲା । ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରଭୁ ଶ୍ରୀରାମ ଓ ପ୍ରଭୁ ହନୁମାନଙ୍କ ବିମାନ ଗୁଡ଼ିକ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଏହାକୁ ଦେଖିବା ପାଇଁ ତିହିଡ଼ି ବଜାରରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଡିଜେ, ଘୋଡ଼ା ନାଚ ଓ ପାରମ୍ପରିକ ବାଦ୍ୟର ତାଳେ ତାଳେ ଶୋଭାଯାତ୍ରା ତିହିଡ଼ି ଗ୍ରାମରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିକଟରେ ପହଁଞ୍ôଚଥିଲା । ତିହିଡ଼ି ବଜାର ଗେରୁଆମୟ ହୋଇଉଠିଥିବା ବେଳେ ‘ଜୟ ଶ୍ରୀରାମ’ ଧ୍ୱନୀରେ ସଦର ବଜାର ପ୍ରକମ୍ପିତ ହୋଇ ଉଠିଥିଲା । ଆବାଳ-ବୃଦ୍ଧ-ବନିତା ଶୋଭାଯାତ୍ରାରେ ସାମିଲ ହୋଇ ଉତ୍ସବର ଗାରିମା ବୃଦ୍ଧି କରିଥିଲେ । ତିହିଡ଼ି ଶ୍ରୀରାମ ନବମୀ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ବହୁ ରାଜନେତା ଓ ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଳୁମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଶ୍ରଦ୍ଧାଳୁମାନଙ୍କୁ ରନ୍ଧାଖାଦ୍ୟ ଓ ପାନୀୟ ଜଳ ଆଦି ଦେବା ପାଇଁ ବହୁ ସଂଗଠନ ବିଭିନ୍ନ ସ୍ଥାନରେ କାଉଣ୍ଟର ପ୍ରତିଷ୍ଠା କରିଥିଲେ । ପ୍ରଦେଶ ସେବା ସଂଗଠନ ପକ୍ଷରୁ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା । ଆର୍ତ୍ତବହ୍ଲବ ବାରିକ, ଧୃବଚରଣ ପାଣିଗ୍ରାହୀ, ରଞ୍ଜୁଲତା ଗାହାଣ ଓ ଆଲୋକ ବିକାଶ ପ୍ରମୁଖ ସଂଗଠନର ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ । ଅଗ୍ରଣୀ ସଂଗଠନ ତିହିଡ଼ି ଯୁବମଞ୍ଚତରଫରୁ ପ୍ରସାଦ ବଣ୍ଟନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଭଦ୍ରକ ତ୍ୟାଗଭୂମି ମହୋତ୍ସବର ସଭାପତି ଅଜୟ ନାୟକ, ଗାଳ୍ପିକ ପବିତ୍ର ପାଣିଗ୍ରାହୀ, ଅଧ୍ୟାପକ ବିଶ୍ୱଜରଂଜନ ଦାସ, ଅବସରପ୍ରାପ୍ତ ଅଧ୍ୟାପକ ଡ. ଲକ୍ଷ୍ମୀଧର ତ୍ରିପାଠୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୋମନାଥ ପାଢ଼ୀ, ସ୍ତମ୍ଭକାର ବିଭୂତି ଭୂଷଣ ସେନାପତି, ସଭାପତି କୈଳାଶ ବେହେରା, ଉପସଭାପତି ପ୍ରିୟବ୍ରତ ପାଢ଼ୀ, ସମ୍ପାଦକ ନିରଂଜନ ବାରିକଙ୍କ ସମେତ ସଂଗଠନର ସମସ୍ତ କର୍ମକର୍ତ୍ତା ରାତିସାରା ପ୍ରସାଦ ବଣ୍ଟନ କରିଥିଲେ ।

ଦୋଳସାହି ଗୋପବନ୍ଧୁ ସେବା ସଂଗଠନ ତରଫରୁ ପାନୀୟ ଜଳ ଓ ତରଭୁଜ ଭକ୍ତମାନଙ୍କୁ ବଣ୍ଟନ କରାଯାଇଥିଲା । ସଭାପତି ସୋମନାଥ ମହାପାତ୍ର, ଦୀପକ କୁମାର ପରିଡ଼ା, ରବୀନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ପବିତ୍ର ଶ୍ରୀରାମ ବିଜୟା ଦଶମୀ ଅବସରରେ ଉତ୍କଳମଣି ସେବା ସଂଘ ପକ୍ଷରୁ ଦୁଇଟି ସେବା କାଉଣ୍ଟର ମାଧ୍ୟମରେ ଭକ୍ତମାନଙ୍କୁ ଦହି ପଣା, ଶୀତଳ ଜଳ, ଚା, ବିସ୍କୁଟ୍ ଓ ରସ୍କିଟ୍ ପ୍ରଦାନ କରାଯାଇଥିଲା । ସକାଳରୁ ମେଢ ସମାପ୍ତି ପର୍ଯ୍ୟନ୍ତ ସେବା ଅବିରତ ଚାଲିଥିଲା । ଏହି ସେବା କାର୍ଯ୍ୟରେ ସଂଘ ତରଫରୁ ସଭାପତି ଖଗେଶ୍ୱର ତ୍ରିପାଠୀ, କୋଷାଧ୍ୟକ୍ଷ ରବୁ ସଲିମ୍‌, ହରିହର କର, ତପନ ସାହୁ, ବିପ୍ଳବ ସାହୁ, ଆଦିତ୍ୟ ନାୟକ, ସୁଧାଂଶୁ ନାୟକ ଓ ବିସ୍ମୟ ସାହୁ ଉପସ୍ଥିତ ରହି ଶ୍ରଦ୍ଧାଳୁ ମାନଙ୍କର ସେବା କରିଥିଲେ । ସେହିପର ଅନ୍ୟ ବହୁ ସଂଗଠନ ମଧ୍ୟ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁଙ୍କୁ ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରିଥିଲେ । ତିହିଡିରୁ ସଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |