ଭଦ୍ରକରେ ଶ୍ରୀରାମ ନବମୀ ମହୋତ୍ସବ ମହାସମାରୋହରେ ପାଳିତ |

26

କଟକ ( ଉତ୍କଳ ନ୍ୟୁଜ ) ୨୭-୦୩-୨୦୨୬ : ହିନ୍ଦୁ ଧର୍ମର ପୂଜା ପର୍ବାଣୀ ମଧ୍ୟରୁ ଏକ ମହାନ ପର୍ବ ଶ୍ରୀରାମ ନବମୀ। ଏହି ପବିତ୍ର ପର୍ବ ପାଳନ କ୍ଷେତ୍ରରେ ଭାଇଚାରାର ସହର ଭଦ୍ରକ ଠାରେ ଏକ ବିଶେଷତା ରହିଛି। ଭଦ୍ରକ ସହରରେ ଆରମ୍ଭ ହୋଇଥିବା ଏହି ପର୍ବ ଆଜି ଗଣପର୍ବରେ ପରିଣତ ହୋଇଛି। ଯାହାକି ଏହି ପଵିତ୍ର ଶ୍ରୀରାମ ନବମୀ ପାଇଁ ଉତ୍ସବମୁଖର ହୋଇ ଉଠିଛି ସମଗ୍ର ଭଦ୍ରକ ସହର। ଜୟ ଶ୍ରୀରାମ ଧ୍ଵନି ସହ ଗେରୁଆ ରଙ୍ଗରେ ରଙ୍ଗୀନ ହୋଇଛି ଭଦ୍ରକ ସହରର ପରିବେଶ। ଐତିହାସିକ ଗାନ୍ଧୀ ପଡ଼ିଆରେ ଶ୍ରୀରାମ ନବମୀ ଗଣ ମହୋତ୍ସବ ୭ ଦିନ ବ୍ୟାପି ଅତ୍ୟନ୍ତ ଭବ୍ୟ ଏବଂ ସୁଦୃଶ୍ୟ ଶୈଳୀରେ ପାଳନ କରା ଯାଉଛି। ୧୯୯୨ ମସିହାରୁ ଆରମ୍ଭ ହୋଇ ୩୬ ବର୍ଷ ଧରି ଏହି ପବିତ୍ର ଭୂମିରେ ଭଦ୍ରକ ବାସୀ ପାଳନ କରି ଆସୁଛନ୍ତି ଶ୍ରୀରାମ ନବମୀ ମହାଯଜ୍ଞର ମହାନ ପରମ୍ପରା । ଯାହା କ୍ରମଶଃ ମହୋତ୍ସବରେ ପରିଣତ ହୋଇଛି ପବିତ୍ର ଶ୍ରୀରାମ ନବମୀ । ଚଳିତ ବର୍ଷ ମାର୍ଚ୍ଚ ୧୯ ତାରିଖରୁ ଗୋ-ପୂଜନ ଏବଂ ସାଧୁସନ୍ଥ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ତେବେ ଆନୁଷ୍ଠାନିକ ଭାବେ ମାର୍ଚ ୨୧ ତାରିଖ ଠାରୁ ଗାନ୍ଧି ପଡିଆରେ ବିଶ୍ବଶାନ୍ତି ମହାଯଜ୍ଞ ଆରମ୍ଭ ହୋଇ ଆଜି ରାମ ନବମୀରେ ପୂର୍ଣ୍ଣାହୂତି ହେବ। ଏହି ପୂଜା ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ପ୍ରଥମେ ଗୋଟିଏ ଦିନ ପାଳନ କରା ଯାଉଥିଲା ବେଳେ ଏବେ ୭ ଦିନ ବ୍ୟାପି ଗଣପର୍ବରେ ପରିଣତ ହୋଇଛି। ଏହି ପର୍ବର ବିଶେଷ ଆକର୍ଷଣ କଳସ ଶୋଭାଯାତ୍ରା ଏବଂ ନଗର ସଂକିର୍ତ୍ତନ ଯାତ୍ରା। ହଜାର ହଜାର ମହିଳା ଶ୍ରଦ୍ଧାଳୁ ମାନେ କଳସ ଧରି ଗାନ୍ଧି ପଡିଆରୁ ଶୋଭାଯାତ୍ରାରେ ବାହରି ସହର ପରିକ୍ରମା କରି ସାଳନ୍ଦୀ ଘାଟରୁ ଜଳ ଆଣି ଯଜ୍ଞ ମଣ୍ଡପରେ ପହଞ୍ଚିଥାନ୍ତି। ସେହିପରି ରାମ ନବମୀ ଦିନ ନଗର ସଂକିର୍ତ୍ତନ ଯାତ୍ରା ଅନୁଷ୍ଠିତ ହୋଇଥାଏ।

ରାମ ନବମୀ ସମିତି ପକ୍ଷରୁ ଏହି କାର୍ଯ୍ୟର ସୁପରିଚାଳନା କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରା ଯାଇଥିବା ବେଳେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୧୫୦ ରୁ ଅଧିକ ସୁସଜ୍ଜିତ ପ୍ରଜ୍ଞାପନ ମେଢ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ଶାନ୍ତି ଶୃଖଂଳାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଯାହାକି ୪୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରା ଯାଇଛି। ତେଣୁ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଭବ୍ୟ ତଥା ଆକର୍ଷଣୀୟ କରିବାକୁ ସବୁ ବର୍ଗର ଲୋକ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ତେବେ ନଗର ସଂକିର୍ତ୍ତନ ଯାତ୍ରା ଶାନ୍ତି ଶୃଖଂଳା ସହ ସମାପନ ହେବ ବୋଲି ବିଭିନ୍ନ ସ୍ତରରେ ଆଶାବ୍ୟକ୍ତ କରା ଯାଇଛି। ଯାହାକି ରାମ ନବମୀର ଏହି ମୁଖ୍ୟ ଆକର୍ଷଣ ଭାବେ ସୁପରିଚିତ ଭବ୍ୟ ନଗର ସଂକିର୍ତ୍ତନ ଯାତ୍ରା ଅପରାହ୍ଣ ରେ ନେହେରୁ ଷ୍ଟାଡିୟମରୁ ବାହାରି ୧୨ କିଲୋ ମିଟରରୁ ଊର୍ଦ୍ଧ୍ୱ ରାସ୍ତା ଅତିକ୍ରମ କରିବା ପରେ ଶେଷରେ ଗାନ୍ଧୀ ପଡିଆ ଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହି ନଗର ସଂକିର୍ତ୍ତନ ଯାତ୍ରା ସମାପ୍ତ ହେବା ପାଇଁ ବିଳମ୍ବିତ ରାତି ହୋଇଯିବ। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।