ପୀରହାଟ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୨୨ତମ ବାର୍ଷିକ ଉତ୍ସବ |

72

କଟକ ( ଉତ୍କଳ ନ୍ୟୁଜ ) ୨୩-୦୩-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ପୁରୁଣାବଜାରସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୨୨ତମ ବାର୍ଷିକ ଉତ୍ସବ “ନବରାଗ ୨୬” ମହାଆଡମ୍ବରରେ ତଥା ଉତ୍ସାହପୂର୍ଣ୍ଣ ପରିବେଶରେ ଶୁକ୍ରବାର ସଂଧ୍ୟାରେ ପାଳିତ ହୋଇ ଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା ଲକ୍ଷ୍ମୀପ୍ରିୟା ଯତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଡେପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳ ଯୋଗଦେଇ କହିଥିଲେ; ଛାତ୍ରଜୀବନ ହେଉଛି ଭବିଷ୍ୟତ ଗଢ଼ିବାର ସର୍ବୋତ୍ତମ ସମୟ । ଏହି ସମୟରେ ଶିକ୍ଷା ସହ ଶୃଙ୍ଖଳା ଓ ସମୟନିଷ୍ଠାକୁ ଅନୁସରଣ କରିଲେ ସଫଳତା ନିଶ୍ଚିତ । ଏପରି ଉତ୍ସବ ଛାତ୍ରଛାତ୍ରୀଙ୍କ ସମଗ୍ର ବିକାଶରେ ସହାୟକ ବୋଲି ମତ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର ଓ ପାଳିଆବିନ୍ଧା ବିଏନଏମଏ କଲେଜର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର ବିଶ୍ୱରଂଜନ ଦାସ ଯୋଗଦେଇ କହିଥିଲେ “ଶିକ୍ଷା କେବଳ ପାଠ୍ୟପୁସ୍ତକରେ ସୀମିତ ନୁହେଁ; ଏହା ମନୁଷ୍ୟର ଚରିତ୍ର ଗଠନର ମୂଳାଧାର । ଛାତ୍ରଛାତ୍ରୀମାନେ ନିଜ ମନରେ ସୃଜନଶୀଳତା, ଶିଷ୍ଟାଚାର ଓ ନୈତିକ ମୂଲ୍ୟବୋଧକୁ ଉନ୍ନତ କରିବା ଦ୍ୱାରା ଜୀବନରେ ସଫଳତା ଅର୍ଜନ କରିପାରିବେ । ଆଜିର ଛାତ୍ର ସମାଜ ଜ୍ଞାନ ଓ ସଂସ୍କୃତିର ସମନ୍ୱୟ କରି ନୂତନ ସମାଜ ଗଢ଼ିବାକୁ ସେ ଆହ୍ୱାନ କରିଥିଲେ । ସମ୍ମାନୀତ ଅତିଥିଭାବେ ବିଦ୍ୟାଳୟର ପ୍ରାଣପ୍ରତିଷ୍ଠାତା ବିଜୟ କୁମାର ପଣ୍ଡା, ବିଜୟ କୁମାର ରାଉତ, ନରେନ୍ଦ୍ର ମିଶ୍ର, ସଞ୍ଜୟ କୁମାର ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ କବି ପ୍ରଦିପ୍ତ କୁମାର ଦାସମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ ।

ପରିଚାଳନା କମିଟିର ସଦସ୍ୟମାନେ ନିମନ୍ତ୍ରିତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବିଗତ ଶିକ୍ଷାବର୍ଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ସଫଳତା, ବିଶେଷ ପ୍ରତିଭା ପ୍ରଦର୍ଶନ ପାଇଁ ପୁରଷ୍କୃତ କରା ଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା ଯାହା ସମସ୍ତଙ୍କ ମନ ମୋହିଥିଲା । ପ୍ରଦୀପ ମହାନ୍ତି, ନକୁଳ ମହାଳିକ, ଗୟାଧର ନାୟକ, ଦେବବ୍ରତ ନାୟକ, ଶରତ ଦାସ, ସୁକାନ୍ତ ନାୟକ, ବିକାଶ ଚନ୍ଦ୍ର ବେହେରା, ରଘୁନାଥ ଦାଶ, ଅମର ରାଉତ, ସ୍ୱରୂପାରାଣୀ ବାରିକ, ରୋଜାଲିନ୍ ସାହୁ, ଝରଣା ଦାସ, ରଶ୍ମିରେଖା ନାୟକ ଓ ବିଭୁତି ରଞ୍ଜନ ଯତି ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |