କଟକ ( ଉତ୍କଳ ନ୍ୟୁଜ ) ୨୦-୦୩-୨୦୨୬ : କମିଶନରେଟ୍ ପୋଲିସ ଏବଂ ଏକାମ୍ର ଆର୍ମି ସ୍ୱେଚ୍ଛାସେବୀ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଆଜି ତା ୨୦/୦୩/୨୦୨୬ ରିଖରେ ସାମନ୍ତରାପୁର ସ୍ଥିତ ରୟାଲ୍ ରିସର୍ଟ ଠାରେ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ୧୮୩ ୟୁନିଟ୍ ମୂଲ୍ୟବାନ ରକ୍ତ ସଂଗୃହୀତ ହୋଇଛି। ଇଣ୍ଡିଆନ୍ ରେଡ୍କ୍ରସ୍ ସୋସାଇଟି ଆଞ୍ଚଳିକ ଶାଖା, କମିଶନରେଟ୍ ପୋଲିସ ଏବଂ ଏକାମ୍ର ଆର୍ମି ସହଭାଗିତାରେ ଆୟୋଜିତ ଏହି ଶିବିରରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ପୋଲିସ୍ କମିଶନର ଡଃ ସୁରେଶ ଦେବଦତ୍ତ ସିଂହ, ଭା.ପୁ.ସେ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର ପ୍ରମୁଖ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ଏକାମ୍ର ଆର୍ମି ଅଧ୍ୟକ୍ଷ ତଥା କର୍ପୋରେଟର୍ ବିରଞ୍ଚି ନାରାୟଣ ମହାସୁପକାର (ଲିଟୁ)ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବିଶାଳ ରକ୍ତଦାନ ଶିବିରର ଆୟୋଜନ ହୋଇଥିବା ବେଳେ ଏହି ଅବସରରେ ଶତାଧିକ ସ୍ଥାନୀୟ ସ୍ୱେଚ୍ଛାସେବୀ ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇ ବହୁସଂଖ୍ୟାରେ ରକ୍ତଦାନ କରିଥିଲେ। ବିଏମ୍ସି ହସ୍ପିଟାଲ୍, କ୍ୟାପିଟାଲ୍ ହସ୍ପିଟାଲ୍ ଏବଂ ଭୁବନେଶ୍ୱର କେନ୍ଦ୍ରୀୟ ରେଡ୍କ୍ରସ୍ ରକ୍ତଭଣ୍ଡାର ଶାଖାର କର୍ମକର୍ତ୍ତାଗଣ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ।

କମିଶନରେଟ୍ ପୋଲିସ ପକ୍ଷରୁ ଅତିରିକ୍ତ ଡିସିପି ଶ୍ରୀ ମାନସ ରଞ୍ଜନ ଗଡ଼ନାୟକ, ଅତିରିକ୍ତ ଡିସିପି ଶ୍ରୀ ବିଦୁଭୂଷଣ ଉଦ୍ଗାତା, ଓଏସ୍ଏପି ସପ୍ତମ ବାଟାଲିୟନ୍ ଡେପୁଟି କମାଣ୍ଡାଣ୍ଟ୍ ଶ୍ରୀ ଅଦ୍ୱୈତ ପ୍ରଧାନ, ରେଡ୍କ୍ରସ୍ ଆଞ୍ଚଳିକ ଶାଖାର ସଂସ୍ଥାପକ ସଦସ୍ୟ ଡ. ଦିଲ୍ଲୀପ ଦାସଶର୍ମା ଏବଂ ସବ୍-ଇନ୍ସପେକ୍ଟର ଶିବାନୀ ନନ୍ଦ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ଶିବିର ଶେଷରେ ସମସ୍ତ ରକ୍ତଦାତାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଆଜି ଏହି ରୟାଲ ରିସର୍ଟ ଠାରେ ରକ୍ତଦାନ ଶିବିର ସାଙ୍ଗକୁ ବିଶ୍ୱ ପଖାଳ ଦିବସର ମଧ୍ୟ ଆୟୋଜନ କରାଯାଇଥିଲା। ଏହି ଅବସରରେ ଅତିଥିମାନଙ୍କ ସହିତ ୧୫୦୦ରୁ ଉର୍ଦ୍ଧ୍ୱ ଜନସାଧାରଣ ପଖାଳର ସ୍ୱାଦ ନେଇଛନ୍ତି।