ପ୍ରଶାସନିକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ଶୀର୍ଷକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ |

25

କଟକ, (ଉତ୍କଳ ନ୍ୟୁଜ ) ୨୦-୦୩-୨୦୨୬ : ପ୍ରଶାସନିକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ସରଳ ବ୍ୟବହାର କରି ଜିଲ୍ଲାର ଜନସାଧାରଣଙ୍କୁ କିପରି ଉନ୍ନତମାନର ସେବା ଯୋଗାଇ ଦିଆଯିବ ସେ ନେଇ ଏକ ଦିନିକିଆ ଦକ୍ଷତା ବିକାଶ କର୍ମଶାଳା ଜିଲ୍ଲାପାଳଙ୍କ କାର୍ଯ୍ୟଳୟସ୍ଥିତ ସଭାଗୃହ ପରିସରରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଶିନ୍ଦେ କହିଥିଲେ ଯେ “ ଆଜିର ଆଧୁନିକ ଯୁଗରେ କୁତ୍ରିମ ବୁଦ୍ଧିମତାର ପ୍ରୟୋଗ ବଢି ବଢି ଚାଲିଛି । ପ୍ରଶାସନିକ କ୍ଷେତ୍ରରେ କୁତ୍ରିମ ବୁଦ୍ଧିମତାର ବହୁ ଆବଶ୍ୟକତା ରହିଛି । ପ୍ରତ୍ୟେକ ବିଭାଗ ଏହି ଏଆଇ କୁ ନିଜ କାର୍ଯ୍ୟଧାରାରେ ପ୍ରୟୋଗ କରି କାର୍ଯ୍ୟ ସମ୍ପାଦନ କରିବା ସହ କାର୍ଯ୍ୟକ୍ଷମତା ମଧ୍ୟ ବୃଦ୍ଧି କରିପାରିବେ ମାତ୍ର ଏହାକୁ ପ୍ରୟୋଗ କରିବା ବେଳେ ସତର୍କତା ଅବଲମ୍ବନ କରିବା ଜରୁରୀ । ଓକାକ୍ ସୌଜନ୍ୟରୁ ଓକେସିଏଲ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଆକାଶ ବେହେରା ଓ ଦେବାଶିଷ ରେଡ୍ଡୀ ତାଲିମ ଦାତା ଭାବେ ଯୋଗଦେଇ ପ୍ରଶାସନିକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ସରଳ ବ୍ୟବହାର ପାଇଁ ବିଭିନ୍ନ ଉପକରଣ (ଟୁଲ୍) ଗୁଡିକ ସମ୍ପର୍କରେ ବିଶଦ ଭାବରେ ଉପସ୍ଥାପନ କରିଥିଲେ । ପ୍ରଶାସନକୁ ଅଧିକ କାର୍ଯ୍ୟକ୍ଷମ ,ପାରଦର୍ଶୀ ଓ ଲୋକାଭିମୁଖୀ କରିବାରେ ଏଆଇ ଏକ ମୁଖ୍ୟ ମାଧ୍ୟମ ହୋଇପାରିବ ,ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ପ୍ରଶାସନିକ କ୍ଷେତ୍ରରେ ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତାର କିପରି ବିଭିନ୍ନ ଭୂମିକାରେ ବ୍ୟବହାର କରିବାକୁ ଉଦ୍ୟମୀ ହେବେ ସେଥିପାଇଁ ଏହି କର୍ମଶାଳାର ଆୟୋଜନ ହୋଇଥିଲା । ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ) ଡ. ଦିବ୍ୟଲୋଚନ ମହାନ୍ତ, ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ଶ୍ରୀ କମଳଜିତ୍ ଦାସ , ଅତିରିକ୍ତ ଜିଲ୍ଲାପାଳ ( ଉନ୍ନୟନ) ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନାୟକ, କଟକସଦର ଉପଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ , ବାଙ୍କୀ ଉପଜିଲ୍ଲାପାଳ ପ୍ରଣବ କୁମାର ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲା ଇ - ଗଭରର୍ନାନ୍ସ ମ୍ୟାନେଜର ଶ୍ରୀ କିଶୋର କୁମାର ଆଚାରୀ ଜିଲ୍ଲା କାର୍ଯ୍ୟଳୟ ତରଫରୁ ଏହି କର୍ମଶାଳାରେ ବୈଷୟିକ ସହାୟତା କରିଥିଲେ ।