କଟକ, (ଉତ୍କଳ ନ୍ୟୁଜ ) ୧୩-୦୩-୨୦୨୬ : ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ନିର୍ବାଚନ ଅଧିକାରୀ ଶ୍ରୀ କମଲଜିତ୍ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟଠାରେ ପ୍ରାଶାସନିକ ପ୍ରସ୍ତୁତି ପୂର୍ବକ ସମଗ୍ର ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର) ନିମନ୍ତେ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ନିର୍ବାଚକ ପଞ୍ଜୀକରଣ ଅଧିକାରମାନଙ୍କ ସହ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର) ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରଯାଇଥିଲା। ଏଥି ସହ ବୁଥସ୍ତରୀୟ ଅଧିକାରୀ ମାନଙ୍କ ସମସ୍ତ ସହଯୋଗ ନିମନ୍ତେ ବୁଥସ୍ତରୀୟ ଏଜେଣ୍ଟ (ବି ଏଲ ଏ) ନିୟୋଜନ ଏବଂ ତତ୍କଳାର୍ଥ ଆଗାମୀ ଅପ୍ରେଲ ମାସରେ ହେବାକୁଥିବା ଏଥି ସମ୍ବନ୍ଧିତ ପ୍ରାରମ୍ଭିକ ପ୍ରସ୍ତୁତି ସମ୍ବନ୍ଧରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାସ ବୈଠକରେ ଆଲୋଚନା କରିଥିଲେ। ବିଶେଷ କରି ବାରବାଟୀ-କଟକ ଏଵଂ ଚୌଦ୍ଵାର-କଟକ ନିର୍ବାଚନମଣ୍ଡଳୀ ମାନଙ୍କରେ ଅନୁପସ୍ଥିତ ଭୋଟର ମାନଙ୍କର ସଠିକ୍ ସର୍ଭେ କରି ଯଥା ସମୟ ମଧ୍ୟରେ ତଥ୍ୟାବଳୀ ପ୍ରସ୍ତୁତ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା। କଟକ ସଦର ନିର୍ବାଚକ ପଂଜିକରଣ ଅଧିକାରୀ ଭାବେ ଅତିରିକ୍ତ ଜିଲ୍ଲାପାଳ କମଲଜିତ୍ ଦାସ ନିୟୋଜିତ ହୋଇଥିବା ବେଳେ,ବୈଠକରେ ସାଲେପୁର ପାଇଁ ନିୟୋଜିତ ହୋଇଥିବା ଅତିରିକ୍ତ ଜିଲ୍ଲାପାଳ ଡ଼ଃ ଦିବ୍ୟାଲୋଚନ ମହାନ୍ତ,ଚୌଦ୍ଵାର କଟକ ପାଇଁ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ, ବାରବାଟୀ-କଟକ ପାଇଁ ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜଦେଓ, ବାଙ୍କୀ ପାଇଁ ପ୍ରଣବ କୁମାର ବେହେରା, ମାହାଙ୍ଗା ପାଇଁ କଟକ ମହାନଗର ନିଗମ ଅତିରିକ୍ତ ଆୟୁକ୍ତ ସୋନା ଟୁଡୁ ଏବଂବଡ଼ମ୍ବା ପାଇଁ ନିୟୋଜିତ ମହାନଗର ନିଗମର ଯୁଗ୍ମ ଆୟୁକ୍ତ, ବି ମହାନ୍ତି ପ୍ରମୁଖ ଉକ୍ତ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଭାରତୀୟ ଜନତା ପାର୍ଟୀ କଟକ ଜିଲ୍ଲା ସଭାପତି ସୁକାନ୍ତ ବିଶ୍ଵାଳ, ବି ଜେଡି କଟକ ଜିଲ୍ଲା ସାଧାରଣ ସଂପାଦକ ପ୍ରଶାନ୍ତ ନାୟକ,ଜାତୀୟ କଂଗ୍ରେସ କଟକ ଜିଲ୍ଲା ସାଧାରଣ ସଂପାଦକ ପ୍ରଶାନ୍ତ ବେହେରାଙ୍କ ସମେତ ବି ଏସ ପି, ସି ପି ଆଇ ତଥା ଅନ୍ୟାନ୍ୟ ଦଳର ଅନ୍ୟ ପ୍ରତିନିଧମାନେ ଆଲୋଚନାରେ ଉପସ୍ଥିତ ରହି ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ନିମନ୍ତେ ପ୍ରସ୍ତୁତି ସଂପର୍କରେ ଅବଗତ ହୋଇଥିଲେ। ସୂଚନଯୋଗ୍ୟ ଆଠଗଡ ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚକ ପଂଜୀକରଣ ଅଧିକାରୀ ଭାବେ ପ୍ରହଲ୍ଲାଦ ନାରାୟଣ ଶର୍ମା ନିୟୋଜିତ ଅଛନ୍ତି।ବୈଠକ ପରିଶେଷରେ ଡେପୁଟୀ କଲେକ୍ଟର,ନିର୍ବାଚନ ଶ୍ରୀମତୀ ଅମ୍ଳାନ ଅପରାଜିତା ଦାସ ସମଗ୍ର ଜିଲ୍ଲାରେ ଆଗମୀ ଏହି ସ୍ୱତନ୍ତ୍ର ସଂଘନ ସଂଶୋଧନ (ଏସ ଆଇ ଆର) କାର୍ଯକ୍ରମରେ ଉପସ୍ଥିତ ସମସ୍ତଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ।