କଟକ ( ଉତ୍କଳ ନ୍ୟୁଜ ) ୨୭-୦୨-୨୦୨୬ : ୨୦୨୭ ମସିହାରେ ଆୟୋଜିତ ହେବାକୁ ଥିବା ଜନଗଣନାକୁ ସଠିକ୍ ଓ ସ୍ଵଚ୍ଛ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହେଉଥିବା ତାଲିମ ଶିବିରର ଦ୍ଵିତୀୟ ଦିବସରେ ପ୍ରାୟୋଗିକ ପ୍ରଶିକ୍ଷଣ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି । ଆଜିର ତାଲିମ ଶିବିରରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପ୍ରଥମ ଦିନ ପ୍ରସ୍ତୁତି ପୂର୍ବକ ଆଲୋଚ୍ୟ ବିଷୟବସ୍ତୁ ଉପରେ ସଂକ୍ଷିପ୍ତ ବିବରଣୀ ସହ ଚାର୍ଜ ଅଫିସର ଓ ଅତିରିକ୍ତ ଚାର୍ଜ ଅଫିସର ଭାବେ ନିୟୋଜିତ ଅଧିକାରୀମାନେ କିଭଳି ଭାବେ କ୍ଷେତ୍ରସ୍ତରରେ ତଥ୍ୟ ସଂଗ୍ରହ କରିବାବେଳେ ପ୍ରାୟୋଗିକ ଜ୍ଞାନର ପ୍ରୟୋଗ କରିବେ ସେ ନେଇ ଆଲୋଚନା କରାଯାଇଥିଲା । ଏହି ଶିବିରରେ ଜନଗଣନାରେ ନିଯୁକ୍ତ ଇନ୍ୟୁମେରେଟେର ମାନଙ୍କ ଭୂମିକା ଓ ଦାୟିତ୍ଵ , ତଥ୍ୟ ସଂଗ୍ରହ ପ୍ରକ୍ରିୟା, ଏବଂ କାର୍ଯ୍ୟ ସମୟରେ ଅନୁସରଣୀୟ ନିୟମ ବିଷୟରେ ସବିଶେଷ ଭାବେ ଅବଗତ କରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଲଜିତ୍ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ, ଜନଗଣନା ପ୍ରକ୍ରିୟାର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ଓ ତଦାରଖ କରାଯିବ। ଏହି ପରିପ୍ରେକ୍ଷୀରେ ଆୟୋଜିତ ଶିବିରରେ ଶ୍ରୀ ଦାସ ଉପସ୍ଥିତ ରହି ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସତର୍କତା, ଦାୟିତ୍ଵବୋଧ ଓ ସମୟନିଷ୍ଠତା ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମଥର ପାଇଁ ଏହି ଜନଗଣନା ସଂପୂର୍ଣ୍ଣଭାବେ ଡିଜିଟିକରଣ ମାଧ୍ୟମରେ କରାଯିବ ଏହାକୁ ତ୍ରୁଟିହୀନ କରିବା ନିମନ୍ତେ ଆଜି ଦ୍ଵିତୀୟ ଦିନରେ ସହକାରୀ ନିର୍ଦ୍ଦେଶକ ( ରାଜ୍ୟ ଜନଗଣନା ପରିଚାଳନା କେନ୍ଦ୍ର) ଶ୍ରୀମତୀ ମିଲିତା ଦତ୍ତ ଓ ଜିଲ୍ଲା ଜନଗଣନା ନୋଡାଲ ଅଫିସର ଶ୍ରୀ ଦେବେନ୍ଦ୍ର କୁମାର ମହାପାତ୍ର ଡିଜିଟାଲ ପ୍ରକ୍ରିୟାରେ ତଥ୍ୟ ସଂଗ୍ରହର ପ୍ରାୟୋଗିକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

ପ୍ରତ୍ୟେକ ନାଗରିକ ନିଜ ପରିବାର ସମ୍ବନ୍ଧରେ ଉଚିତ୍ ଓ ସଠିକ୍ ତଥ୍ୟ ପ୍ରଦାନକରି ୨୦୨୭ ଜନଗଣନା କାର୍ଯ୍ୟକୁ ସ୍ଵଚ୍ଛତାର ସହ ସମ୍ପାଦନ ଦିଗରେ ସହଯୋଗ କରି ରାଷ୍ଟ୍ର ନିର୍ମାଣରେ ସହଭାଗୀ ହେବାକୁ ଅନୁରୋଧ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଦେଶରେ ସର୍ବଶେଷ ଜନଗଣନା ୨୦୧୧ ମସିହାରେ ସମ୍ପାଦିତ ହୋଇଥିଲା । ୧୮୭୨ ମସିହାରେ ପ୍ରଥମ ଜନଗଣନା ହୋଇଥିବା ବେଳେ ୨୦୨୭ ଜନଗଣନା ହେବ ଷୋଡଶ ଜନଗଣନା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ପ୍ରଶାନ୍ତ କୁମାର ନାୟକ , ଉପଜିଲ୍ଲାପାଳ କଟକସଦର ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ଉପଜିଲ୍ଲାପାଳ ବାଙ୍କୀ ପ୍ରଣବ କୁମାର ବେହେରାଙ୍କ ସମେତ ତହସିଲଦାର , ନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।