ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ଗସ୍ତକୁ ନେଇ ଜିଲ୍ଳାପାଳଙ୍କ ସମୀକ୍ଷା |

34

କଟକ ( ଉତ୍କଳ ନ୍ୟୁଜ ) ୨୭-୦୨-୨୦୨୬ : ଆସନ୍ତା ୫ଓ ୬ ତାରିଖରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଓଡିଶା ଗସ୍ତରେ ଆସୁଥିବାବେଳେ ୬ ତାରିଖରେ କଟକ ଜିଲ୍ଳାର ମୁଣ୍ଡଳିସ୍ଥିତ Central Industrial Security Force (ସିଆଇଏସଏଫ) କେଆରଟିସି ପରିସରରେ ଆୟୋଜିତ ୫୭ତମ ରାଇଜିଂ ଡେ ପରେଡରେ ମୁଖ୍ୟଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଣ୍ଡଳିସ୍ଥିତ ସିଆଇଏସଏଫ ହେଡକ୍ୱାର୍ଟରଠାରେ ବ୍ୟାପକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳାପାଳ ଶ୍ରୀ ଦତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବେଠକରେ କଟକ ମହାନଗର ନିଗମ, ପୁଲିସ୍‌, ସିଆଇଏସଏଫ କର୍ତୃପକ୍ଷ, ପୂର୍ତ ବିଭାଗ, ଟିପିସିଓଡିଏଲ୍‌, ୱାଟକୋ, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ ସହ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ରହି ଗସ୍ତ ସମୟରେ ସମସ୍ତ ବ୍ୟବସ୍ଥା ସୁଚାରୂ ରୂପେ ସମ୍ପାଦନ ନିମନ୍ତେ ଆଲୋଚନା କରାଯାଇଥିଲା । ମୁଣ୍ଡଳିସ୍ଥିତ ସିଆଇଏସଏଫ କ୍ୟାମ୍ପସକୁ ସଂଯୋଗ କରୁଥିବା ସମସ୍ତ ସଡକର ମରାମତି, ଖାଲଖମା ପୂରଣ, ଟ୍ରାଫିକ୍ ନିୟନ୍ତ୍ରଣ, ଆବଶ୍ୟକତା ଅନୁସାରେ ରୁଟ୍ ଡାଇଭର୍ସନ, ଅଳିଆ ଆବର୍ଜନା ସଫେଇ, ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ଆଦି ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ରାଇଜିଂ ଡେ ପରେଡ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା, ବ୍ୟାକଅପ୍ ଜେନେରେଟର୍ ବ୍ୟବସ୍ଥା, ପାନୀୟ ଜଳ, ଅସ୍ଥାୟୀ ଚିକିତ୍ସା ସେବା, ଆମ୍ବୁଲାନ୍ସ ଆଦି ପ୍ରସ୍ତୁତ ରଖିବାକୁ ସମ୍ବନ୍ଧିତ ବିଭାଗଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ ଓ ଜାତୀୟ ମହତ୍ୱ ରଖୁଥିବା କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗ ସମନ୍ୱୟପୂର୍ବକ କାର୍ଯ୍ୟ କରିବାକୁ କୁହାଯାଇଛି । ଅତିରିକ୍ତ ଜିଲ୍ଳାପାଳ ଶ୍ରୀ କମଲଜିତ୍ ଦାସ ଏହି ଗସ୍ତ କାର୍ଯ୍ୟକ୍ରମର ନୋଡାଲ ଅଫିସର ଭାବେ କାର୍ଯ୍ୟଭାର ସମ୍ଭାଳିବେ ।