ଭୟାବହ ଅଗ୍ନିକାଣ୍ଡରେ ୪ ପରିବାରର ୬ବଖରା ଭଷ୍ମିଭୂତ ।

103

କଟକ (ଉତ୍କଳ ନ୍ୟୁଜ ) ୨୪-୦୪-୨୦୨୪ : ଭୟାବହ ଅଗ୍ନିକାଣ୍ଡରେ ୪ ପରିବାରର ୬ବଖରା ଭଷ୍ମିଭୂତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତୋଟାପଡା ପଞ୍ଚାୟତ କୋଳିଆଡିଆ ଗାଁରେ । ଗତକାଲି ବିଳମ୍ବିତ ରାତିରେ କୌଣସି କାରଣୁ ଲାଗିଥିଲା ନିଆଁ । ନିଆଁର ପ୍ରକୋପ ଏତେ ଥିଲା ଯେ ଜୀବନ ବିକଳରେ ଘରୁ ବାହାରି ପାରିନଥିଲେ ପରିବାର ଲୋକେ । କାନ୍ଦବୋବାଳୀରେ ଫାଡି ପଡୁଥିଲା ଗାଁ ଦାଣ୍ଡ । ଭଗବାନଙ୍କ ଦୟାରୁ ପୀଡିତମାନେ ଜୀବନରୁ ରକ୍ଷା ପାଇଛନ୍ତି ସତ ହେଲେ ୪ ପରିବାରର ୬ ବଖରା ବାସଗୃହ ଭଷ୍ମିଭୂତ ହୋଇଯାଇଛି । ଦୈନିକ ମୂଲଲାଗି ପେଟ ପୋଷୁଥିବା ବିପନ୍ନମାନେ ସଂପ୍ରତି ବଡ ସମସ୍ୟାରେ ପଡିଯାଇଛନ୍ତି । ଘରର ସମସ୍ତ ଆସବାବପତ୍ର ସମେତ ପିଲାଙ୍କ ପାଠପଢା ବହି, ସାର୍ଟିଫିକେଟ୍‌, ଜମିବାଡି କାଗଜପତ୍ର ଆସି ସମସ୍ତ ନିଆଁରେ ଆଁରେ ଜଳି ଯାଇଛି । ଏଥିସହ ୪ଟି ସାଇକେଲ ସମେତ ଗୋଟିଏ ବାଇକ୍ ମଧ୍ୟ ଜଳି ଯାଇଛି । ବାବୁ ସାହୁ, ରାଜେନ୍ଦ୍ର ସାହୁ, ରମେଶ ସାହୁ ଓ ଉମାକାନ୍ତ ସାହୁଙ୍କ ୬ ବଖରା ଗୃହ ଭଷ୍ମିଭୁତ ହୋଇଥିବା ଜଣାଯାଇଛି । ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ସବୁକିଛି ଜଳି ଯାଇଥିଲା । ବିପନ୍ନମାନଙ୍କୁ ମୁଣ୍ଡଗୁଞ୍ଜିବା ସହିତ ଦୁଇଓଳିକୁ ଦୁଇମୁଠା ଖାଇବାର ସୁଯୋଗ ଦେବା ଲାଗି ପ୍ରଶାସନ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |