ଘରଗଳାକୁ ହଣା ଘଟଣାରେ ତଣ୍ଡ ଗଣିଲେ ମହିଳା |

312

କଟକ (ଉତ୍କଳ ନ୍ୟୁଜ ) ୨୨-୦୪-୨୦୨୪ : ଘରଗଳାକୁ ହଣା ଘଟଣାରେ ତଣ୍ଡ ଗଣିଲେ ମହିଳା । କଥାଟା ବିଶ୍ୱାସ ନହେଲେ ବି ସତ୍ୟ । ସ୍ୱାମୀଙ୍କ ଅନୁପସ୍ଥିତିରେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ସ୍ଥାପନ କରିବାକୁ ଯାଇଥିବା ଜଣେ ପୁରୁଷ ମହିଳା ସମେତ ତାଙ୍କ ପରିବାର ଲୋକଙ୍କ ଦ୍ୱାରା ହଣା ଖାଇଥିଲା । ମୁଣ୍ଡରେ କଟୁରୀ ଚୋଟରେ ଗୁରୁତର ଆହତ ହୋଇ ପ୍ରଥମେ ତିହିଡି ପରେ ଭଦ୍ରକ ଏବଂ ଶେଷରେ କଟକ ସ୍ଥାନାନ୍ତର ହୋଇଥିଲା । କୌତୁହଳର କଥା ଏହିଯେ ମହିଳା ଜଣଙ୍କ ନିଜକୁ ସୁରକ୍ଷିତ ହେବା ପାଇଁ ଥାନାରେ ପ୍ରଥମେ ଦ୍ୱାରସ୍ଥ ହୋଇଥିଲା । ଘଟଣାଟି ଭିନ୍ନ ମୋଟ ନେବା ପୂର୍ବରୟ ହଣା ଖାଇ ଅସୁସ୍ଥ ଥିବା ପୁରୁଷ ବି ଅଭିଯୋଗ କଲା । ଉଭୟ ପକ୍ଷରୁ ଥାନାରେ ଏତଲା ହେବାପରେ ଗତକାଲି କୌଣସି ପରିସ୍ଥିତିରେ ଏହାର ଆପୋଷ ବୁଝାବଣା ହୋଇଛି ଏବଂ ସଂପୃକ୍ତା ମହିଳା ଜଣକ ପୁରୁଷଙ୍କ ପରିବାର ଲୋକଙ୍କୁ ୩୦ ହଜାର ଟଙ୍କା ତଣ୍ଡ ଦେଇଥିବା ଶୁଣିବାକୁ ମିଳୁଛି । ତେବେ ଘଟଣାର ଖୋଳତାଡ କରିବା ପରେ ବହୁ ଗୁମର କଥା ପଦାକୁ ଆସିିଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଏକ ତଳିଆ ଗାଁରୁ ଏପରି ଖବର ଆସିଛି । ସେହି ଗାଁର ଜନୈକା ବିବାହିତ ମହିଳା ସହିତ ଜଣେ ପୁରୁଷଙ୍କ ମଧ୍ୟରେ ସହମତିରେ ସୁସମ୍ପର୍କ ସ୍ଥାପିତ ହୋଇଥିଲା । ମନ ଦିଆନିଆ ପରେ ଦୈହିକ ସମ୍ପର୍କ ସ୍ଥାପନ ହୋଇଥିଲା । ଏହାରିି ମଧ୍ୟରେ ମହିଳା ଜଣଙ୍କ ବିଭିନ୍ନ ଆଳ ଦେଖାଇ ସେହି ପୁରୁଷ ଠାରୁ କେଇବାର କରଜ ଆକାରରେ ଟଙ୍କା ନେଇଥିଲେ । ଯାହାକୁ ଫେରସ୍ଥ ପାଇଁ ପୁରୁଷ ଜଣଙ୍କ କିଛିଦିନ ହେଲା ସଂପୃକ୍ତ ମହିଳାଙ୍କୁ ତାଗିଦ୍ କରିଆସୁଥିଲେ । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ଏପରିକି ପାଟିତୁଣ୍ଡ ମଧ୍ୟ ହୋଇଥିଲା । କିଛିଦିନ ତଳେ ପୂର୍ବ ପ୍ରସ୍ତୁତିକ୍ରମେ ମହିଳା ଜଣକ ସେହି ପୁରୁଷଙ୍କୁ ନିଜ ଘରକୁ ଡାକିଥିଲା ଏବଂ ନିଜ ଯାଆ, ଦେଢଶୂର ଓ ଶ୍ୱଶୁରଙ୍କ ସହଯୋଗରେ କଟୁରୀରେ ହାଣିଥିଲା । ହେଲେ ନିଜକୁ ସତୀ ତୁଳସୀର ପ୍ରମାଣ ଦେବାକୁ ଯାଇ ଥାନାରେ ପୁରୁଷଙ୍କ ବିରୋଧରେ ଘରଗଳା ଅଭିଯୋଗ ଦର୍ଶାଇବା ସହିତ ନିଜର ଆତ୍ମରକ୍ଷା ଲାଗି ହାଣିଥିବା ଏତଲା ଦେଇଥିଲା । ସେପଟରେ ଆଇସିୟୁରେ ଚିକିତ୍ସାଧିନ ପୁରୁଷ ଜନୈକ ସାମାଜିକ କର୍ମୀଙ୍କ ଦ୍ୱାରା ମହିଳାଙ୍କ ତାଙ୍କର ଭିଡିଓ ପ୍ରସ୍ତୁତ କରି ଅଭିଯୋଗକୁ ଖଣ୍ଡନ କରିଥିବା ଏବଂ ଉଚିତ୍ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଥିଲା । ଉଭୟ ଏତଲା ପୋଲିସ ହାତରେ ପଡିବା ପରେ ସ୍ଥାନୀୟ ନେତାଙ୍କ ଭାଳେଣି ପଡିଥିଲା । ଅପକର୍ମ ପାଇଁ ପୁରୁଷ ଯଦି ଗିରଫ୍ ହୁଏ ତେବେ କଲାକର୍ମ ପାଇଁ ମହିଳାଙ୍କ ସମେତ ତାଙ୍କ ପରିବାରର ଆହୁରି ୩ ଜଣ ଗିରଫ୍ ହେବାର ଭୟ ସୃଷ୍ଟି ହୋଇଥିବା ନେଇ ଆପୋଷ ବୁଝାବଣାକୁ ଆପଣେଇ ନେଇଥିଲେ । ଯାହାକୁ ନେଇ ପୋଲିସ ଉପରେ ଚାପ ସୃଷ୍ଟି କରାଯାଇଥିଲା । ପୋଲିସ ମଧ୍ୟ ଏହାକୁ ପରୋକ୍ଷରେ ଗ୍ରହଣ କରିଥିଲା । ସଂଧ୍ୟାରେ ଉଭୟ ପକ୍ଷରୁ ଛାମୁଆ ନେତାଙ୍କ ସମେତ ଦେଶୀବିଦେଶୀ ବୁଧିଆମାନଙ୍କୁ ନେଇ ଥାନା ପରିସରରେ ହୋଇଥିଲା ବିଚାର ବିମର୍ଷ । ଶେଷରେ କଲାକର୍ମ ପାଇଁ ମହିଳା ଜଣକ ୩୦ ହଜାର ଟଙ୍କା ତଣ୍ଡ ଦେଇଥିବା ଜଣାଯାଇଛି । କେବଳ ସେତିକି ନୁହେଁ ବରଂ ଉଭୟଙ୍କ ମଧ୍ୟରେ ଲାଗି ରହିଥିବା ବାଦାନୁବାଦ୍‌ର ପରିସମାପ୍ତି ଘଟିଛି ଆଉ କେହି କାହାରି ବିରୋଧରେ ଛିଡା ହେବେନି ବୋଲି ହାତକାଟି ଲେଖି ଦେଇଥିବା ମଧ୍ୟ ଚର୍ଚ୍ଚାକୁ ଆସୁଛି । ସେପଟେ ଘରଗଳା ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ସଂପୃକ୍ତା ମହିଳାଙ୍କ ସହିତ ପୂର୍ବପରି ସମ୍ପର୍କ ରଖୁଛନ୍ତି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |