ବୁଲୁ ପଟ୍ଟନାୟକଙ୍କ ବାଇକ୍ ଶୋଭାଯାତ୍ରାରେ ଦୁଲୁକିଲା ଭଦ୍ରକ ସହର |

305

କଟକ (ଉତ୍କଳ ନ୍ୟୁଜ ) ୨୨-୦୪-୨୦୨୪ : ବୁଲୁ ଓରଫ୍ ଅସିତ ପଟ୍ଟନାୟକଙ୍କୁ ସ୍ୱାଗତ କରିବା ଲାଗି ଆୟୋଜିତ ବାଇକ୍ ଶୋଭାଯାତ୍ରାରେ ଦୁଲୁକିଲା ଭଦ୍ରକ ସହର । ହଜାର ହଜାର ସମର୍ଥକଙ୍କ ସୁଅ ଛୁଟିଥିଲା । ମାତ୍ର କେଇ ମିନିଟ୍‌ରେ କିଏ କେଉଁଠୁ ଏତେମାତ୍ରାରେ ଆସିଲେ ତାହାର ହିସାବ କାହାରି ପାଖରେ ନଥିଲା । ଜନସମର୍ଥନରେ ଜନସମୂଦ୍ର ପାଲଟିଥିଲା ପୁରା ଭଦ୍ରକ ସହର ଆଉ ଟ୍ରାଫିକ୍ ଜାମ ମଧ୍ୟ ହୋଇଯାଇଥିଲା । କଂଗ୍ରେସ ଦଳର କର୍ମୀଙ୍କ ବ୍ୟତିତ ଶହଶହ ସମର୍ଥକ ନିଜକୁ ଯୁଗଳ ପଟ୍ଟନାୟକଙ୍କ ଲିଗାସି ବୋଲି ନାରା ଦେଉଥିଲେ । ଏହି ସମୟରେ ଏକାଧିକ ଆମ୍ବୁଲାନ୍ସ ମଧ୍ୟ ଅଟକି ରହିଥିଲା । ଯାହାକୁ ନେଇ ସାଧାରଣ ଲୋକେ ପ୍ରଶାସନ ବିରୋଧରେ ଅସନ୍ତୋଷ ବକ୍ତ କରିଥିଲେ । ପୋଲିସ ବି ବାଟ ପାଇଲେନି ନିୟନ୍ତ୍ରଣ କରିବାକୁ । କିଛି ଘଣ୍ଟା ପାଇଁ ପଥିକ ଠାରୁ ଆରମ୍ଭ କରି ସାଧାରଣ ଲୋକେ ଯାତାୟତ କରିବା କଷ୍ଟକର ହୋଇଯାଇଥିଲା । ପୁରୁଣା ବଜାର, କଚେରୀ ବଜାର ଓ ଚରମ୍ପା ଆଡୁ ଅସଂଖ୍ୟ ସମର୍ଥକ ବାଇକ୍ ଯୋଗେ ଆସି ଗୋଶାଳା ନିକଟରେ ଏକତ୍ରିତ ହୋଇଥିଲେ । ବୁଲୁ ପଟ୍ଟନାୟକଙ୍କ ବାସଭବନ ନିକଟରୁ ବାହାରିଥିବା ବାଇକ୍ ଶୋଭାଯାତ୍ରା ନୂଆ ବସଷ୍ଟାଣ୍ଡରେ ଅଟକିଥିଲା । ଚାରିଆଡୁ ସମର୍ଥକମାନେ ଆସିବା ପରେ ତାରିଣୀ ଛକରୁ ମିଳିତଭାବେ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଏକ ଖୋଲା ଗାଡିରେ ବୁଲୁଙ୍କ ସମେତ ଭଦ୍ରକ ସାଂସଦ ପ୍ରାର୍ଥ ଅନନ୍ତ ସେଠୀ, ଭଣ୍ଡାରିପୋଖରୀ ପ୍ରାର୍ôଥ ନିରଞ୍ଜନ ପଟ୍ଟନାୟକ, ଜିଲ୍ଲା ସଭାପତି ଅଶୋକ ଦାସ, ଯୁବ ନେତା ନଲିନୀକାନ୍ତ ମହାନ୍ତି, ପ୍ରକାଶଜ୍ୟୋତି ମହାକୁଡ, ସୁବ୍ରତ ଦାସ ଓ ଦଳିତ ନେତା ରାଜେନ୍ଦ୍ର ଜେନା ପ୍ରମୁଖ ସାମିଲ ହୋଇଥିଲେ । ଆଗ ପଛରେ ଶହସ୍ରାଧିକ ସମର୍ଥକ ସେମାନଙ୍କୁ ପାଛୋଟି ନେଇଥିଲେ ପୁରୁଣା ବଜାର ଆଡକୁ । ବଜାର ପରିକ୍ରମା କରିବା ସମୟରେ କଗ୍ରେସ ତାର ନିର୍ବାଚନୀ ଇସ୍ତାହାର ସମ୍ପର୍କିତ ନାରା ଦେଇଥିଲା । ଫେରିବା ପରେ କଂଗ୍ରେସ କାର୍ଯ୍ୟାଳୟରେ ବୁଲୁଙ୍କ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିବା ସହିତ ବିଜୟୀ କରିବାକୁ କାର୍ଯ୍ୟକର୍ତ୍ତାମାନେ ସଂକଳ୍ପ ନେଇଥିଲେ । ତେବେ ଭଦ୍ରକରେ ମେଡିକାଲ କଲେଜ ଓ ବିଶ୍ୱ ବିଦ୍ୟାଳୟ ଖୋଲିବା ସହିତ ସାଳନ୍ଦି ସଂସ୍କାର ଉପରେ ପ୍ରାଧ୍ୟାନ୍ୟ ଦେବେ ବୋଲି ବୁଲୁ ପଟ୍ଟନାୟକ ପ୍ରତିଶୃତି ଦେଇଥିଲେ । ଅନ୍ୟପଟେ ବିଜେଡି ପ୍ରାର୍ôଥ ପ୍ରଫୁଲ ସାମଲ ବରପଦା ଇଞ୍ଜିନିୟରିଂ କଲେଜ ବିବାଦରେ ଛନ୍ଦି ହୋଇଥିବା ଏବଂ ବ୍ୟାପକ ଦୂର୍ନୀତି ନେଇ ଅର୍ଥନୈତିକ ଅପରାଧ ଶାଖା ଦ୍ୱାର ବାରମ୍ବାର ତଦନ୍ତର ସାମନା କରୁଥିବା ଏବଂ ବିଜେପି ପ୍ରାର୍ଥି ଜଣେ ମଦ ମାଫିଆ ଏବଂ ଘରେ ଘରେ ମଦୁଆ ତିଆରୀ କରିବା ତାଙ୍କର ମୂଳ ମନ୍ତ୍ର ଯାହାକୁ ଭୋଟରମାନେ ଉଚିତ୍ ଦେବେ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ଉକ୍ତ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କ ସମାଗମ ରାଜ୍ୟ ରାଜନୀତି ପାଇଁ ଏକ ବିଶାଳ ଝଲକ ବୋଲି କୁହାଯାଉଛି । ଏଠାରେ ସୂଚନା ଥାଉକି, ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ହେଉଛନ୍ତି ବୁଲୁ ଓରଫ୍ ଅସିତ ପଟ୍ଟନାୟକ । ବିଗତ କିଛି ବର୍ଷ ହେବ ଏହି ପରିବାର ବିଜେଡିର ସକ୍ରିୟ ସଂଗଠକଭାବେ କାର୍ଯ୍ୟ କରିଆସୁଛନ୍ତି । ୨୦୧୯ରେ ଦଳୀୟ ଟିକେଟ୍ ପାଇଁ ଆଶାୟୀ ଥିଲେ ବୁଲୁ । ଟିକେଟ୍ ମିଳିନଥିଲେ ମଧ୍ୟ ବିଜେଡି ପ୍ରାଥିଙ୍କୁ ଜିତାଇବାରେ ସହଯୋଗ କରିଥିଲେ । ପୂନଶ୍ଚ ଚଳିତ ବର୍ଷ ପାଇଁ ଆଶାୟୀ ଥିଲେ ମାତ୍ର ଦଳ ପକ୍ଷରୁ ପ୍ରତ୍ୟାଖାନ କରାଯିବାରୁ ସେ କିଛି ଦିନ ପୂର୍ବରୁ ନିଜର ଶହଶହ ସମର୍ଥକମାନଙ୍କ ଗହଣରେ କଂଗ୍ରେସରେ ଯୋଗଦେଇଥିଲେ ଏବଂ କଂଗ୍ରେସ ତାଙ୍କ ଉପରେ ବିଶ୍ୱାସ କରି ଟିକେଟ୍ ଦେଇଛି । ଉଭୟ ଅସିତ ଓ ଯୁଗଳଙ୍କ ପକେଟ୍ ଭୋଟ ରହିଛି ସେମାନେ ଯଦି ସମର୍ଥନ କରନ୍ତି ତେବେ ତାଙ୍କ ବିଜୟ ସହଜସାଧ୍ୟ ବୋଲି ଚର୍ଚ୍ଚା ହେଉଛି । ତେବେ ଆଗକୁ ଭୋଟର କାହା ମୁଣ୍ଡରେ ସୁନ କଳସ ଢାଳିବେ ତାହା ଏବେ ଠାରୁ କହିବା ବାହୁଲ୍ୟ । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |