ଧାମନଗରରେ ନିର୍ବାଚନୀ ବାତାବରଣ ସରଗରମ |

74

କଟକ (ଉତ୍କଳ ନ୍ୟୁଜ ) ୨୦-୦୪-୨୦୨୪ : ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଧାମନଗର(ସଂରକ୍ଷିତ) ଆସନ ଲାଗି ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଘୋଷିତ ହେବା ପରେ ଏଠାକାର ରାଜନୀତି ବେଶ ସରଗରମ ହୋଇଉଠିଛି । ଏଥର ନିର୍ବାଚନରେ ଏଠାରେ ତିନି ଯୁବ ଚେହେରାଙ୍କ ମଧ୍ୟରେ ଲଢେଇ ହେବ । ଏଥିଲାଗି ୩ ପ୍ରମୁଖ ଦଳର ନେତା ଓ କର୍ମୀମାନେ ବେଶ ଉତ୍ସାହର ସହିତ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଏହି ଆସନ ଲାଗି ବିଜେପି ପକ୍ଷରୁ ବର୍ତ୍ତମାନର ବିଧାୟକ ତଥା ଯୁବ ମାନସର ପ୍ରତୀକ ଇଂ.ସୂର୍ଯ୍ୟବଂଶୀ ସୂରଜଙ୍କୁ ଦଳ ପୁଣି ଥରେ ଟିକେଟ ଦେଇଥିବା ବେଳେ ବିଜେଡି ଡା.ସଞ୍ଜୟ ଦାସଙ୍କୁ ଓ କଂଗ୍ରେସ ରଞ୍ଜନ କୁମାର ବେହେରାଙ୍କୁ ଏଠାରେ ଟିକେଟ ଦେଇଛି । ଧାମନଗର ବ୍ଲକର ୩୧ଟି ଓ ତିହିଡି ବ୍ଲକର ୧୩ଟି ମୋଟ ୪୪ଟି ପଞ୍ଚାୟତ ଓ ଗୋଟିଏ ଏନଏସିକୁ ନେଇ ଏହି ନିର୍ବାଚନ ମଣ୍ଡଳୀଟି ଗଠିତ ହୋଇଛି । ପ୍ରାର୍ଥୀ ଘୋଷଣା ହେବା ପରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ନିଜ କର୍ମୀ ଓ କର୍ମକର୍ତ୍ତାଙ୍କୁ ନେଇ ଜନ ସଂପର୍କ ଅଭିଯାନ ଆରମ୍ଭ କରି ଦେଇଛନ୍ତି । ଗତ ୨୦୨୨ରେ ଏଠାକାର ବିଧାୟକ ତଥା ବିଜେପିର ଜନପ୍ରିୟ ନେତା ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ପରେ ଅନୁଷ୍ଠିତ ଉପ ନିର୍ବାଚନରେ ତାଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜ ବିଜେଡି ପ୍ରାର୍ଥୀଙ୍କୁ ପରାଜିତ କରି ଏଠାରୁ ନିର୍ବାଚିତ ହୋଇଥିଲେ । ସେହିଦିନ ଠାରୁ ସେ ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟାକୁ ନେଇ ବିଧାନସଭାରେ ସର୍ବଦା ସ୍ୱର ଉତ୍ତୋଳନ କରି ଆସୁଥିବା ବେଳେ ଏଠାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସର୍ବୋପରି ବେକାର ଯୁବକଯୁବତୀଙ୍କ କର୍ମ ନିଯୁକ୍ତି ତଥା ରାସ୍ତାଘାଟ ନିର୍ମାଣ ନେଇ ଅନେକ ପଦକ୍ଷେପ ନେଇଛନ୍ତି । ବିଶେଷକରି ଯୁବ ଭୋଟରଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ସୂରଜ ଅଳ୍ପ ବୟସର ଯୁବକ ହେଲେ ବି ସାଙ୍ଗଠନିକ କ୍ଷେତ୍ରରେ ବେଶ ଦକ୍ଷ ଓ ପରିପକ୍ୱ । ଇତିମଧ୍ୟରେ ସେ ବିଭିନ୍ନ ପଞ୍ଚାୟତ ଗସ୍ତ କରି ଦଳୀୟ କର୍ମୀ ଓ ସାଧାରଣ ଭୋଟରଙ୍କ ସହ ସଂପର୍କ ରକ୍ଷା କରିବା ସହିତ ବିଭିନ୍ନ ପଞ୍ଚାୟତରେ ମିଶ୍ରଣ ପର୍ବ ମାନ ଆୟୋଜନ କରି ଅନ୍ୟ ଦଳର କର୍ମୀଙ୍କୁ ନିଜ ଦଳରେ ମିଶାଇ ସଙ୍ଗଠନକୁ ମଜବୁତ କରିବାରେ ଲାଗି ପଡିଛନ୍ତି । ସେହିପରି ବିଜେଡି ପ୍ରାର୍ଥୀ ଡା. ସଞ୍ଜୟ ଦାସ ନିଜ ଡାକ୍ତରୀ ଚାକିରିରୁ ଇସ୍ତଫା ଦେଇ ରାଜନୀତିକୁ ଓହ୍ଲାଇଥିବା ବେଳେ ଦଳ ତାଙ୍କୁ ଏଠାରୁ ପ୍ରାର୍ଥୀ କରିଛି । ତେବେ ତାଙ୍କୁ ଏଠାରୁ ପ୍ରାର୍ଥୀ କରାଯିବା ନେଇ ଡା. ଦାସ ପୂର୍ବରୁ ଦଳୀୟ ପ୍ରତିଶ୍ରୁତି ପାଇବା ପରେ ଏଠାରେ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେବା ସାଙ୍ଗକୁ ସ୍ୱାସ୍ଥ୍ୟ ସେବା ଶିବିର ମାନ ଆୟୋଜନ କରି ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କ ଆସ୍ଥାଭାଜନ ହେବାକୁ ପ୍ରୟାସ କରି ଆସିଛନ୍ତି । ଦଳର କର୍ମୀ ଓ କର୍ମକର୍ତ୍ତାଙ୍କ ସହଯୋଗ କ୍ରମେ ଦଳୀୟ ସଙ୍ଗଠନକୁ ମଜବୁତ କରି ଆଗାମୀ ନିର୍ବାଚନ ବୈତରଣୀକୁ ପାରି ହେବାକୁ ସେ ମନରେ ଆଶା ରଖିଛନ୍ତି । ତେବେ ଧାମନଗରରେ ବିଜେଡିରେ ତିବ୍ର ଗୋଷ୍ଠୀ କନ୍ଦଳ ଲାଗି ରହୁଥିବା କାରଣରୁ ଡା. ଦାସଙ୍କ ନିର୍ବାଚନୀ ପ୍ରଚାର ଏତେଟା ପ୍ରଭାବୀ ଓ ସରଗରମ ହୋଇ ପାରୁନଥିବା ଜଣା ଯାଇଛି । ଅନ୍ୟପକ୍ଷେ କଂଗ୍ରେସର ସଙ୍ଗଠନ ଏଠାରେ ଅତି ଦୁର୍ବଳ ଅବସ୍ଥାରେ ଥିବାରୁ ଦଳର ନିର୍ବାଚନୀ ପ୍ରଚାରରେ ସେତେଟା ସରଗରମ ଦେଖାଯାଉନାହିଁ । ଦଳର କିଛି ପୁରୁଖା କର୍ମୀଙ୍କୁ ବାଦ ଦେଲେ ଦଳ ପ୍ରତି ବର୍ତ୍ତମାନ ପୀଢିର ଯୁବକ ଯୁବତୀଙ୍କ ଆଗ୍ରହ ପରିଲକ୍ଷିତ ହେଉ ନଥିବା ଜଣାଯାଇଛି । ତେବେ ଏଠାକାର ଭୋଟର ବେଶ ସଚେତନ ଥିବା କାରଣରୁ ପ୍ରତିଦ୍ୱନ୍ଦିତା କରୁଥିବା ୩ ଯୁବ ପ୍ରାର୍ଥୀଙ୍କ ମଧ୍ୟରୁ ସେମାନେ ଜଣେ ଦକ୍ଷ, ଯୋଗ୍ୟ ଓ ପରିପକ୍ୱ ଯୁବ ପ୍ରାର୍ଥୀଙ୍କୁ ଏଠାରୁ ନିର୍ବାଚିତ କରିବାର ସମ୍ଭାବନା ଥିବା ବେଳେ ତିହିଡି ବ୍ଲକର ୧୩ ପଞ୍ଚାୟତ ଏଥିରେ ନିର୍ଣ୍ଣାୟକ ଭୂମିକା ନେଇପାରେ ବୋଲି ଆଶା କରା ଯାଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |