ଶ୍ରୀରାମ ନବମୀ ଶୋଭାଯାତ୍ରାକାରୀଙ୍କ ଉପରେ ଆକ୍ରମଣ କରିଥିବା ଅପରାଧୀଙ୍କୁ ଗିରଫ ଦାବି କଲା ବିଶ୍ୱ ହିନ୍ଦୁ ପରିଷଦ |

230

କଟକ (ଉତ୍କଳ ନ୍ୟୁଜ ) ୨୦-୦୪-୨୦୨୪ : ଶ୍ରୀରାମ ନବମୀ ଶୋଭାଯାତ୍ରାକାରୀଙ୍କ ଉପରେ ଆକ୍ରମଣ କରିଥିବା ଅପରାଧୀଙ୍କୁ ଗିରଫ ଦାବି କଲା ବିଶ୍ୱ ହିନ୍ଦୁ ପରିଷଦ । ଏନେଇ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି । ଭଦ୍ରକରେ ଶ୍ରୀରାମ ନବମୀ ମହୋତ୍ସବ ବିଗତ ୩୪ ବର୍ଷ ଧରି ନିରବଚ୍ଛିନ୍ନ ରୂପେ ପାଳିତ ହେଉଥିବା ବେଳେ ଏହା ଓଡ଼ିଶାର ଏକ ବିଶାଳ ଗଣପର୍ବରେ ପରିଣତ ହୋଇ ସାରିଛି । ପୂର୍ବ ବର୍ଷମାନଙ୍କ ପରି ଚଳିତ ବର୍ଷ ଏହି ମହୋତ୍ସବ ମହାଆଡମ୍ବରରେ ପାଳନ କରାଯାଉ ଥିଲାବେଳେ ୧୭ ତାରିଖ ରାମନବମୀ ଦିନ ଐତିହାସିକ ନଗର ସଂକୀର୍ତ୍ତର୍ନ ଶୋଭାଯାତ୍ରା ଉଦ୍ଦେଶ୍ୟରେ ଲକ୍ଷ ଲକ୍ଷ ଲୋକ ସମାଗମ ସହ ଶତାଧିକ ସୁସଜ୍ଜିତ ମେଢ ସହ ଶୋଭାଯାତ୍ରାର ଆରମ୍ଭ ହୋଇଥିଲା । ସମୟ ଅପରାହ୍ନ ୫ ଟା ସମୟରେ ସରକାର ନଗର ଛଡାକମହଲା ଛକରେ ରାମନବମୀ ଶୋଭାଯାତ୍ରାକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ଉପରେ ଆକ୍ରମଣ ହୋଇଥିଲା । ଖବର ପାଇ ବରିଷ୍ଠ ହିନ୍ଦୁ ସଂଗଠକ ମାନସ ମହାନ୍ତି ତାଙ୍କ ଅନୁଗାମୀଙ୍କ ସହ ସେଠାରେ ପହଁଞ୍ôଚଥିଲେ । ସେଠାରେ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ, ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଅନେକ ସୁରକ୍ଷା କର୍ମୀ ଉପସ୍ଥିତ ପରେ ମଧ୍ୟ ମୁସଲମାନ ସମାଜର ଶତାଧିକ ଲୋକ ପୋଲିସ ସହ ଧସ୍ତା ଧସ୍ତି କରିବା ସହ ଶୋଭାଯାତ୍ରାକାରୀମାନଙ୍କୁ ଗାଳିଗୁଲଜ କରୁଥିଲେ । ସେମାନଙ୍କ ମଧ୍ୟରୁ କେତେକ ଉଦ୍ଦ୍‌ଭ୍ରାନ୍ତ ଯୁବକ ପୂର୍ବ ପ୍ରସ୍ତୁତ ହୋଇ ଶୋଭାଯାତ୍ରାକାରୀ ମାନଙ୍କ ଉପରକୁ ଢେଲା ପଥର ଫୋପାଡି ଥିଲେ ଯେଉଁଥିରେ ଶୋଭାଯାତ୍ରାରେ ଭାଗନେବାକୁ ଆସିଥିବା ମହିଳା, ପୁରୁଷ ଓ ଛୋଟଛୋଟ ପିଲା ଅନେକ ଆହତ ହୋଇଥିଲେ ଏବଂ କେତେକଙ୍କ ମୁଣ୍ଡ ଫାଟିଥିବା ଅଭିଯୋଗ ହୋଇଛି । ପୋଲିସ ଅଧିକାରୀ ମାନେ ମଧ୍ୟ ଏଥିରୁ ବର୍ତ୍ତିନଥିଲେ । ଶୋଭାଯାତ୍ରାକାରୀ ମାନଙ୍କ ଗାଡି ମଧ୍ୟ ଭାଙ୍ଗିରୁଜି ଯାଇଥିଲା । ପୋଲିସ ଆକ୍ରମଣକାରୀ ମାନଙ୍କୁ ଘଉଡାଇଥିଲେ ମଧ୍ୟ ହିନ୍ଦୁ ସଂଗଠକ ମାନସ ମହାନ୍ତି, ତପନ ମହାନ୍ତି ତଥା ସ୍ଥାନୀୟ ମୁସଲିମ ସମାଜର କିଛି ବ୍ୟକ୍ତିଙ୍କ ସହଯୋଗରେ ପୋଲିସ ପରିସ୍ଥିତିକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ଏହି ଘଟଣାର କିଛି ସମୟ ପୂର୍ବରୁ ମଧ୍ୟ ସରକାର ନଗର ସାମାନ୍ୟ ଦୂରରେ ଅନୁରୂପ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ଢେଲା ପଥର ଫୋପାଡି ରାମନବମୀ ଶୋଭାଯାତ୍ରାକାରୀ ମାନଙ୍କୁ ଆକ୍ରମଣ ହୋଇଥିବା ସମସ୍ତ ବିଷୟ ପ୍ରତକ୍ଷ୍ୟଦର୍ଶି ମାନଙ୍କ ଠାରୁ ଜଣା ପଡିଥିଲା । ଉକ୍ତ ଦିନ ବୁଧବାର ହାଟରେ ମଧ୍ୟ କିଛି ଶୋଭାଯାତ୍ରାକାରୀ ଯୁବକମାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ପୁରୁଣାବଜାର ଥାନାରେ ଉଭୟ ଘଟଣାରେ କେସ୍ ରୁଜୁ ହୋଇଛି । ଘଟଣାର ୨/୩ ଦିନ ବିତିଗଲେ ମଧ୍ୟ ପୋଲିସ ଅପରାଧି ମାନଙ୍କୁ ଗିରଫ କରିନଥିବା ଏବଂ ଭଦ୍ରକର ହିନ୍ଦୁ ସମାଜର ପରିସ୍ଥିତି ଆଦି ବିଷୟକୁ ନେଇ ଶୁକ୍ରବାର ବିଭିନ୍ନ ହିନ୍ଦୁ ସଂଗଠନର ପ୍ରତିନିଧି ଦଳ ଭଦ୍ରକ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ବୋଲି ମାନସ ମହାନ୍ତି ମିଡିଆ ଆଗରେ ମତ ପ୍ରକାଶ କରିଥିଲେ । ସାମ୍ପ୍ରଦାୟିକ ଦଙ୍ଗାକୁ ଉସକାଉଥିବା ଅପରାଧି ମାନଙ୍କୁ ତୁରନ୍ତ ଗିରଫ କରିବା ଏବଂ ଗତବର୍ଷ ମଧ୍ୟ ଅନୁରୂପ ଆକ୍ରମଣ ସେହି ଅଞ୍ଚଳରେ ହୋଇଥିବା ହେତୁ ସେହି ଅଞ୍ଚଳରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ସ୍ଥାୟୀ ରୂପେ କରାଯିବାକୁ ଦାବୀ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଧର୍ମ ରକ୍ଷା ସମିତି ଓ ଅନ୍ୟ ହିନ୍ଦୁ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତା ଯଥା ମାନସ ମହାନ୍ତି, ତପନ ମହାନ୍ତି, ନିମାଇଁ ଦାସ, ରାଜୀବ ମହାନ୍ତି, ବିଭାସ ନାଥ, କ୍ଷିତିଶ ରାଉତ, ମହେଶ୍ୱର ବେହେରା, ଅଶୋକ ଲେଙ୍କା, ଦଶରଥ ସାହୁ, ପ୍ରମୋଦ ସେଠୀ, ପ୍ରିୟରଞନ ପାତ୍ର, ସୁକାନ୍ତ ସାହୁ, ରଜତ ଜେନା, ଶ୍ରୀକାନ୍ତ ସାହୁ, ଜଗନ୍ନାଥ ଜେନା, ତପନ ପଣ୍ଡା, ବବଲୁ ପଣ୍ଡା, ବଳରାମ ଜେନା ଓ ଶ୍ରୀକାନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |