ଧୂମ୍‌ଧାମରେ ପାଳିତ ହେଲା ଭଦ୍ରକର ଐତିହାସିକ ରାମନବମୀ ମହୋତ୍ସବ ।

65

କଟକ (ଉତ୍କଳ ନ୍ୟୁଜ ) ୧୮-୦୪-୨୦୨୪ : ଧୂମଧାମରେ ପାଳିତ ହେଲା ଭଦ୍ରକର ଐତିହାସିକ ରାମନବମୀ ମହୋତ୍ସବ । ଭାଇଚାରାର ସହର ଭଦ୍ରକ ଉତ୍ସବମୁଖର ହୋଇ ଉଠିଥିଲା । ଜାତି, ଧର୍ମ, ନିର୍ବିଶେଷରେ ଏକାଠି ହୋଇଥିଲେ ସହରବାସୀ । ସାତ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଉତ୍ସବର ଗତକାଲି ରାତିରେ ଶେଷ ହୋଇଛି । ଏହି ଅବସରରେ ବିଶାଳ ନଗର ସଙ୍କିର୍ତ୍ତନ ମଣ୍ଡଳୀ ସହର ପରିକ୍ରମା କରିଥିଲା । ଏନେଇ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଦୀର୍ଘ ବର୍ଷ ଧରି ପାଳନ କରାଯାଉଥିବା ରାମନବମୀ ପୂଜା ଉତ୍ସବ ଭଦ୍ରକରେ ଏକ ଗଣପର୍ବରେ ପରିଣତ ହୋଇଛି । ଆବାଳ-ବୃଦ୍ଧ-ବନିତା, ଜାତି, ଧର୍ମ, ବର୍ଣ୍ଣ, ଦଳ, ମତ ନିର୍ବିଶେଷରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଏହି ପର୍ବକୁ ପାଳନ କରିଛନ୍ତି । ସାତ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ପ୍ରଥମେ ମହିଳାମାନେ ସାଳନ୍ଦୀ ନଦୀରୁ ଜଳ ଆଣି ଗାନ୍ଧୀ ପଡିଆରେ ଘଟ ସ୍ଥାପନ କରନ୍ତି । ପରେ ଆରମ୍ଭ ହୁଏ ଅଖଣ୍ଡ ମହାଯଜ୍ଞ । ଏହାସହ ରାମନବମୀ ଦିନ ପୂର୍ଣ୍ଣାହୁତି ହୁଏ । ଏହାପରେ ଆରମ୍ଭ ହୁଏ ନଗର ସଙ୍କିର୍ତ୍ତନ ଶୋଭାଯାତ୍ରା । ଏହି କ୍ରମରେ ଗତକାଲି ନେହେରୁ ଷ୍ଟାଡିୟମରୁ ଏହି ନଗର ସଙ୍କିର୍ତ୍ତନ ଆରମ୍ଭ ହୋଇଥିଲା । ବିଭିନ୍ନ ସ୍ଥାନରୁ ଶହେରୁ ଉର୍ଦ୍ଧ୍ୱ ସଙ୍କିର୍ତ୍ତନ ମଣ୍ଡଳୀ ଶ୍ରୀରାମ ଏବଂ ହନୁମାନଙ୍କ ସୁସଜ୍ଜିତ ମେଢ ଧରି ନଗର ପରିକ୍ରମା କରିଥିଲା । ଏହି ନଗର ସଙ୍କିର୍ତ୍ତନ ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଏକ ଭାଇଚାରାର ମାହୋଲ ସୃଷ୍ଟି କରିଥାଏ । ନଗର ସଙ୍କିର୍ତ୍ତର୍ନ ନେହେରୁ ଷ୍ଟାଡିୟମରୁ ବାହାରି କଚେରୀ ବଜାର, ରାଜଘାଟ, କୁଆଁସ, ଚନ୍ଦନ ବଜାର, ଶଙ୍କରପୁର, ଲାହାପଟି, ନଙ୍ଗା ମହଲା, ସନ୍ଥିଆ ଏବଂ ବଙ୍କସାହି ହୋଇ ଗାନ୍ଧୀ ପଡିଆରେ ପହଂଚିଥିଲା । ଏନେଇ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଶୋଭାଯାତ୍ରାରେ ଲକ୍ଷାଧିକ ରାମ ଭକ୍ତ ମାନଙ୍କ ସମାଗମକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳାର ସହିତ ଏହି ଶୋଭାଯାତ୍ରାକୁ ସମାପିତ କରିବା ପାଇଁ ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ୩୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏଥିସହ ସହରରେ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ସ୍ଥାପନ କରାଯାଇଥିଲା । ସିସିଟିଭି କ୍ୟାମେରା ମାଧ୍ୟମରେ ନିର୍ଦ୍ଧାରିତ କେଣ୍ଟ୍ରୋଲ ରୁମ୍‌ରେ କଡା ନଜର ରଖାଯିବାର ବ୍ୟବସ୍ଥା କରାଯାଇଥିଲା । କେବଳ ସେତିକି ନୁହେଁ ଅଧିକ ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ ଡ୍ରୋନ କ୍ୟାମେରା ସହ ମଧ୍ୟ କେଣ୍ଟ୍ରୋଲ ରୁମରୁ ସବୁ ଟିକିନିଖି ସ୍ଥିତି ଉପରେ ପୋଲିସ ନଜର ରଖିଥିଲା । ଅନ୍ୟ ପକ୍ଷରେ ବିଶେଷ କରି ସାମାଜିକ ଗଣମାଧ୍ୟମ ଉପରେ ମଧ୍ୟ କଡା ନଜର ରଖିଥିଲା ପୋଲିସ । ଭଦ୍ରକ ପରି ଏକ ସ୍ପର୍ଶକାତର ଅଞ୍ଚଳରେ ଏହି ପର୍ବ ପାଳନ କରିବା ପାଇଁ ଉଭୟ ସମ୍ପ୍ରଦାୟ ଏବଂ ପୋଲିସ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଥିଲା । ଯାହାକି ୩୭ ପ୍ଲାଟୁନ ପୋଲିସ ଫୋର୍ସ ସହ ୪ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୨୦ ଜଣ ଡିଏସପି, ୨୯ ଜଣ ଇନ୍ସପେକ୍ଟର, ୧୪୦ ଜଣ ଏସ ଆଇ ଏବଂ ଏଏସଆଇ, ୧୫୦ ଜଣ କନେଷ୍ଟବଳ ଏବଂ ହୋମ ଗାର୍ଡ, ଏକ କମ୍ପାନୀ ବିଏସଏଫ ଏବଂ ଏକ କମ୍ପାନୀ ସିଆରପିଏଫ୍ ଯବାନ ମାନଙ୍କୁ ନିୟୋଜିତ କରାଯାଇଥିଲା । ତେବେ ବିଶାଳ ନଗର ସଙ୍କୀର୍ତ୍ତନ ମଣ୍ଡଳୀ ସହର ପରିକ୍ରମା କରି ଗାନ୍ଧୀ ପଡିଆରେ ପହଂଚିବା ବେଳକୁ ବିଳମ୍ବିତ ରାତ୍ରି ହୋଇଯାଇଥିଲା । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |