ଅନନ୍ୟ ଶକ୍ତିପୀଠ ପାଟଣ ମଙ୍ଗଳା, ମହୋଦଧିରେ ବୁଡ ପକାଇଲେ ୨୦ ହଜାରରୁ ଉର୍ଦ୍ଧ ପାଟୁଆ |

54

କଟକ (ଉତ୍କଳ ନ୍ୟୁଜ ) ୧୫-୦୪-୨୦୨୪ : ପୌରାଣିକ ଓ ଐତିହାସିକ ଘଟଣାବଳୀର ସ୍ୱାକ୍ଷରରୂପେ ଦଣ୍ଡାୟମାନ ଭଦକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦ୍ରପୁର ଗ୍ରାମ ପଂଚାୟତ ଅଧିନ ଛତ୍ରପଦା ଗାଁର ପାଟଣ ମଙ୍ଗଳା ଏକ ଅନନ୍ୟ ଶକ୍ତିପୀଠ । ସଂକ୍ରାନ୍ତୀ ଦିନ ୨୦ ହଜାରରୁ ଉର୍ଦ୍ଧ ପାଟୁଆ ବୁଡ ପକାଇଥିବା ସୂଚନା ମିଳିଛି । ଐତିହ୍ୟ ଓ ପରମ୍ପରାକୁ ବହନ କରିଛି ଏହି ଗାଁର ଜନ ଜୀବନ । ବିଭିନ୍ନ ପୌରାଣିକ କୀର୍ତ୍ତିରାଜିକୁ ନେଇ ସମୃଦ୍ଧ ଏହି ପୀଠ ସଂପ୍ରତି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମଧ୍ୟ ପାଇଛି । ଏହି ପୀଠରେ ସବୁ ଠାରୁ ବଡ ପର୍ବ ଭାବେ ପଣାସଂକ୍ରାନ୍ତି । ସଂକ୍ରାନ୍ତି ପୂର୍ବ ଦିନରୁ ବହୁ ଦୂର ଦୂରାନ୍ତରୁ ମା’ଙ୍କ ପାଖରେ ମାନସିକ ରଖିଥିବା ଭକ୍ତ ପାଟୁଆ ହୋଇ ନାଚିଥା’ନ୍ତି । ମନ୍ଦିରରୁ ମାଳ ଓ ମା’ଙ୍କ ବେତ ନେଇ ପରଦିନ ସକାଳ ପର୍ଯ୍ୟନ୍ତ ଜାଗର ଜାଳିଥାନ୍ତି । ସଂକ୍ରାନ୍ତି ଦିନ ଶତାଧିକ ପାଟୁଆ ଗ୍ରାମ ପରିକ୍ରମା କରନ୍ତି । ପାଟଣ ମଙ୍ଗଳାଙ୍କ ପାଶ୍ୱର୍ରେ ଥିବା ପୋଖରୀକୁ ଭକ୍ତମାନେ ମହୋଦଧିର ଅଂଶ ଭାବେ ବିବେଚନା କରି ବୁଡ ପକାଇଥାନ୍ତିି । ଏହି ଅବସରରେ ଏଠାରେ ଏକ ବୃହତ୍ ବାଣିଜ୍ୟିକ ମେଳା ଅନୁଷ୍ଠିତ ହୋଇଥାଏ । ଏହି ଉତ୍ସବରେ ବିଭିନ୍ନ୍ ଅଂଚଳରୁ ବ୍ୟବସାୟୀ ଏଠାରେ ବ୍ୟବସାୟର ପସରା ମେଲାଇଥାନ୍ତି । ସମାଜସେବୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସେବା ସଂଗଠନ ଓ ବଦାନ୍ୟ ବ୍ୟକ୍ତି ଜଳଛତ୍ର ସହ ପଖାଳ ଭୋଜନ ପ୍ରଦାନ କରିଥାନ୍ତି । ଏହି ପୀଠ ପ୍ରାଚୀନ ନୌବାଣିଜ୍ୟ ଓ ପ୍ରାଚୀନ ସଭ୍ୟତା ସହ ସାମଞ୍ଜସ୍ୟ ଥିବା ଐତିହାସିକ ତଥ୍ୟରୁ ପ୍ରମାଣ ମିଳେ । ଧନେଶ୍ୱର ନାମକ ଜଣେ ସୌଦାଗର ପଡୋଶୀ ନରେନ୍ଦ୍ରପୁରରେ ଉଆସ ଥିବାର ପ୍ରମାଣ ମଧ୍ୟ ମିଳିଛି । ସୌଦାଗର ଧନେଶ୍ୱର ନରେନ୍ଦ୍ର ସିଂହଳରୁ ବାଣିଜ୍ୟ ସାରି ଫେରିବା ବେଳେ ଦେବୀ ଲଙ୍କେଶ୍ୱରୀଙ୍କୁ ବୋଇତରେ ଆଣି ନିଜ ରାଜ୍ୟ ସୀମାରେ ପାଟଣ ବସାଇ ପୂଜାର୍ଚ୍ଚନା କରିଥିଲେ । ସେବେଠାରୁ ଏହି ଅଧିଷ୍ଠ୍ରାତୀ ଦେବୀଙ୍କର ନାମ ପାଟଣ ମଙ୍ଗଳା ରଖାଯାଇଥିବା ବେଶ୍ ଅନୁମେୟ । ଏହି ଅଂଚଳରୁ ବିଭିନ୍ନ ସ୍ଥାନରୁ ମିଳିଥିବା ସ୍ମାରକୀରୁ ଜଣାଯାଏ ଯେ, ଅତୀତରେ ଏଠାରେ ଏକ ଉନ୍ନତ ବନ୍ଦର ଗଢି ଉଠିଥିଲା । ଏତତ୍ ବ୍ୟତିତ ତଅପୋଇ ଓ ଖୁଲଣାସୁନ୍ଦରୀ କାବ୍ୟରେ ଉଲ୍ଲେଖ ରହିଛି । ଧନେଶ୍ୱର ନରେନ୍ଦ୍ରଙ୍କ ରାଜତ୍ୱ କାଳରେ ସାମୂଦ୍ରିକ ନୌବାଣିଜ୍ୟର ସୀମା ସିଂହଳକୁ ଛୁଇଁଥିଲା । ଏହି ଗ୍ରାମ ଅତୀତରେ ସମୂଦ୍ରର ଖୁବ୍ ନିକଟବର୍ତ୍ତୀ ଥିବା ଏବଂ ତତ୍‌କାଳୀନ ଧର୍ମ ଓ ସଂସ୍କୃତିର ପୀଠସ୍ଥଳି ଥିଲା । ଏଠାରେ ତକାଳିନ ବୌଦ୍ଧ, ଶୈବ ଧର୍ମ ପରେ ମଠ ସଭ୍ୟତା ଏଠାରେ ଗଢି ଉଠିଥିବାର ବେଶ୍ ଅନୁମେୟ । ମନ୍ଦିର ଗର୍ଭଗୃହରେ ୩ ଫୁଟ୍ ଉଚ୍ଚର କଳା ମୁଗୁନି ପଥରରେ ନିର୍ମିତ ଚୁତର୍ଭୁଜା ଦେବୀ ମା ମଙ୍ଗଳାଙ୍କ ମୂର୍ତ୍ତୀ ପୂଜା ପାଉଛନ୍ତି । ଚଳିତ ବର୍ଷ ପାଟୁଆ ଯାତ୍ରାରେ ୨୦ ହଜାର ଉର୍ଦ୍ଧ ପାଟୁଆ ବୁଡ ପକାଇଥିବା ସୂଚନା ମିଳିଛି । ତେବେ ଚଣା, ପଣା ଓ ବିଞ୍ଚଣାର ପର୍ବଭାବେ ଏହାକୁ ଅବିହିତ କରାଯାଇଛି । ଯାତ୍ରୀମାନଙ୍କୁ ପଣା ଯୋଗାଇ ଦିଆଯାଉଥିବା ବେଳେ ଯାତ୍ରୀମାନେ ଚଣା ଓ ବିଞ୍ଚଣା ମା’ଙ୍କୁ ଅର୍ପଣ କରିଥାନ୍ତି । ଯାହାକୁ ନେଇ ଏହି ପର୍ବ ଭଦ୍ରକ ଜିଲ୍ଲା ସମେତ ଆଖପାଖ ଜିଲ୍ଲାରେ ପ୍ରସିଦ୍ଧି ଲାଭ କରିଛି । ସପ୍ତାହବ୍ୟାପି ଏହି ମେଳା ଚାଲିବ ଏବଂ ବିଭିନ୍ନ ଦୋକାନ ବଜାର ସମେତ ପିଲାଙ୍କ ଖେଳନା, ବାରମଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଏପରିକି ଅପେରା ପାର୍ଟିର ବ୍ୟବସ୍ଥା ରହିଛି । ମନ୍ଦିର କମିଟି ସମେତ ପ୍ରଶାସନ ପକ୍ଷରୁ ପରିଚାଳନା ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପରିଚାଳନା କମିଟିର ସଭାପତି ସତ୍ୟାନନ୍ଦ ଧଳ, ସମ୍ପାଦକ ଚୈତନ୍ୟ ଲେଙ୍କା, ସରପଞ୍ଚ ଦିପ୍ତୀମୟୀ ନାୟକ, ଜିଲ୍ଲା ପରିଷଦ ସଭ୍ୟ ଅଲୂଲ୍ୟ ମାଝୀ, ସମିତି ସଭ୍ୟ ଦାମୋଦର ଧଳ, ଗୋପିନାଥପୁର ସରପଞ୍ଚ ବାପୁନୁ ବାରିକ, ଚିନ୍ତାମଣି ନାୟକ, ଲକ୍ଷ୍ମୀଧର ମାଝୀ, ଧିରେନ୍ଦ୍ର ବେହେରା, ଅମୂଲ୍ୟ ଲେଙ୍କା, ପୁରୋସ୍ତମ ବାରିକ, ଦୀପକ ରାଉତ, ଅମୂଲ୍ୟ ବାରିକ, ରମେଶ ସାମଲ, ସୁଧାଂଶୁ ନାୟକ, ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |