ବିଜେପି ଦଳରେ ନମିଶିବାରୁ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ |

231

କଟକ (ଉତ୍କଳ ନ୍ୟୁଜ ) ୧୨-୦୪-୨୦୨୪ : ୨୦୨୪ ନିର୍ବାଚନ ବିଗୁଲୁ ବାଜି ଯାଇଛି । ଏନେଇ ଚଳଚଞ୍ଚଳ ହୋଇ ଗଲେଣି ସମସ୍ତ ରାଜନୈତିକ ଦଳ । କେଉଁ ଦଳ ଛିଡୁଛି ତ ଆଉ କେଉଁ ଦଳର ମିଶ୍ରଣ ପର୍ବ ପାଳନ ହେଉଛି । ଯେନତେନ ପ୍ରକାରରେ ଦଳୀୟ ପ୍ରାର୍ଥିଙ୍କୁ ବିଜୟର ତିଲକ ପିନ୍ଧାଇବା ଲାଗି ଚାଲିଛି କସରତ । ଏହାରି ମଧ୍ୟରେ ଭଦ୍ରକ ଜିଲ୍ଲା ପ୍ରସିଦ୍ଧ ଶୈବ ପୀଠ ଆରଡି ବାବା ଆଖଣ୍ଡଳମଣି ପୀଠରେ ଘଟିଛି ଅଭାବନୀୟ ଘଟଣା । ବିଜେପି ଦଳରେ ନମିଶିବାରୁ ଜଣେ ସେବାୟତ ତଥା ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣର ଶିିକାର ହୋଇଥିବା ଅଭିଯୋଗ ହୋଇଛି । ମନ୍ଦିର ବେଢାରେ ବଡପଣ୍ଡାଙ୍କ ପୁଅ ସେବାୟତ ତଥା ସାମ୍ବାଦିକ ବାବାଜି ପାଢୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ବାବାଙ୍କ ସେବାପୂଜା ସାରି ଫେରୁଥିବା ସମୟରେ ମନ୍ଦିରର ପଶ୍ଚିମଦ୍ୱାର ନିକଟରେ ବିଜେପି ଦଳର ୪ରୁ ୬ ଜଣ କର୍ମୀ ରକ୍ତମୁଖା ହୋଇ ସଂଘବଦ୍ଧ ଭାବେ ବିଜେପି ହେବୁ ବିଜେପି ସପକ୍ଷରେ କହିବୁ ନହେଲେ ତୋତେ ବାଡେଇକି ଏଠି ଜୀବନରୁ ମାରିଦେବୁ ବୋଲି ଧମକ ଚମକ ଦିଆଯାଇଥିଲା । ପରେ ତାଙ୍କୁ ମାଡମାରିବା ସହ ବାଡି ଠେଙ୍ଗାରେ ବାଡେଇ ଚାଲିଥିଲେ । ସ୍ଥାନୀୟ ଲୋକଙ୍କ ନଜରରେ ପଡିବା ପରେ ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇଥିଲା । ଏହି ସମୟରେ ଅଭିଯୁକ୍ତମାନେ କୌଶଳ କ୍ରମେ ମନ୍ଦିର ବେଢାରୁ ଖସି ପଳେଇ ଯାଇଥିଲେ । ଘଟଣାକୁ ନେଇ ବାବାଜୀ ପାଢୀ ଆରଡି ଫାଣ୍ଡିରେ ଦ୍ୱାରସ୍ଥ ହେବା ସହିତ ବିଜେପି ଦଳର ଆରଡିର ମୁଖ୍ୟ ଦେବଦତ୍ତପାଢୀଙ୍କ ପୁଅ କାଳିଆ ପାଢୀ, ରାଜକିଶୋର ପାଢୀଙ୍କର ୪ ପୁଅ ବଳରାମ, ଅଜିତ, ପଞ୍ଚାନନ ଓ ଶଙ୍କର୍ଷଣ ପ୍ରମୁଖଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ସହିତ ତୁରନ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠନ କରାଯିବାକୁ ଦାବି କରିଛନ୍ତି । ଏନେଇ ପୋଲିସ କ୍ଷେତ୍ରୀୟ ତଦନ୍ତ କରିବା ସହିତ ଅଭିଯୁୁକ୍ତମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଅଧିକ ତନନ୍ତ ଚଳାଇଛି । ତଦନ୍ତ ସମୟରେ ସିସିଟିଭିର ଫୁଟେଜ୍ ପୋଲିସର ହସ୍ତଗତ ହୋଇଛି ଯେଉଁଥିରେ ଅଭିଯୁକ୍ତମାନେ ବାବାଜିଙ୍କୁ ମାଡ ମାରୁଥିବାର ଦୃଶ୍ୟ ପରିଲକ୍ଷିତ ହେଉଛି । ଏଠାରେ ସୂଚନା ଥାଉକି, ଅଭିଯୁକ୍ତମାନେ ପୂର୍ବରୁ ବହୁବାର ବିଜେପି ଦଳରେ ମିଶିବା ଲାଗି ବାବାଜି ପାଢୀଙ୍କ ପ୍ରବର୍ତ୍ତାଇଥିଲେ ମାତ୍ର ସେ ରାଜି ନହେବାରୁ ଅଭିଯୁକ୍ତମାନେ ଆକ୍ରୋଶ ମୂଳକ ମନୋଭାବ ପୋଷଣ କରି ଆସୁଥିଲେ ଏବଂ ଆଜି ଏକୁଟିଆ ପାଇ ଏପରି ମରଣାନ୍ତକ ଆକ୍ରମଣ କରିଥିବା ବାବାଜି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |